Unknown

 

 

 

 

 

 

 

 

 

 

 

ହାଟ-ବାହୁଡ଼ା

ରାଜକିଶୋର ପଟ୍ଟନାୟକ

 

 

 

 

 

 

 

 

 

କଥାଶିଳ୍ପୀ, ପ୍ରାବନ୍ଧିକ, ଔପନ୍ୟାସିକ

ବରେଣ୍ୟ ବନ୍ଧୁ

ଶ୍ରୀ ରବିନାରାୟଣ ମହାପାତ୍ରଙ୍କୁ

 

ଗଳ୍ପ ସୂଚୀ

 

୧.

ବୁଢ଼ିଆଣୀ ସୁତା

୨.

ଖାଲି ପକେଟରେ ଗୋଲାପ

୩.

ଦାନର ପ୍ରତିଦାନ

୪.

ଈଶ୍ୱରଙ୍କର ଆଶୀର୍ବାଦ

୫.

ହକ-ପାଉଣା

୬.

ମନର ଫୁଲ

୭.

ଜୀବନର ମାୟା

୮.

ଜୀବନର କାକଳି

୯.

ପାଠର ଅକ୍‌କଲ

୧୦.

ଛୋଟିଆ ପଣତ

୧୧.

—ଆଉ ସବୁ ଭଲ ?

୧୨.

କଡ଼ମା ଜହ୍ନି

୧୩.

ଦଧନଉତି

୧୪.

ସଜଡ଼ା ଘର

୧୫.

କାମର ତର୍ଜମା

୧୬.

ଛୁଟି

୧୭.

ହଟିଆର ହାଟ

୧୮.

ଆଶଙ୍କାର ଦେହ ଓ ଆତ୍ମା

୧୯.

କୁଟିଳ ମନର ପରିଧି

୨୦.

ସାହି-ପଡ଼ିଶା

୨୧.

ବୁଢ଼ା ଜୀବନର ମାପ

୨୨.

ହାଟ ବାହୁଡ଼ା

୨୩.

ଗଳ୍ପ ଲେଖକଙ୍କ ପରିଚିତି

Image

 

ବୁଢ଼ିଆଣୀ ସୁତା

 

ଏଁ, କ’ଣ କହିଲ ? —ମଣିଷ କାନରେ ଶୁଣେ !

—ଆଉ କ’ଣ ଆଖି ଆଉ ନାକରେ ଶୁଣିବ ?

—ହଁ, ମଣିଷ ଖାଲି କାନରେ ଶୁଣେ ନାହିଁ । ମନରେ ବି ସେ ଉତ୍ତର ପାଏ । ଆଖି କାନରେ ସେ ବି ଶୁଣିପାରେ । ସେଇଥିପାଇଁ ତା’କୁ କୁହାଯାଏ ମଣିଷ ।

ଭାରି ହସ ହେଲା—ପାଗଳ କ’ଣ ଗଛରେ ଫଳନ୍ତି ? ନା—ନା । ଏଇ ମଣିଷ ପାଗଳାମି ଅଭ୍ୟାସ କରୁ କରୁ ଦିନେ ପାଗଳ ହୋଇଯାଏ । ହେଇଟି ଦେଖ ଆମର ନୀଳମଣି ବାବୁଙ୍କୁ ।

—ଦେଖିବ କ’ଣ, ମତେ ? ଯିଏ ଯାହାକୁ ବୁଝି ନପାରେ ସେଇ ନିଜକୁ ଓଲମା କି ପାଗଳ ନ କହି ଅପର ଲୋକକୁ ପାଗଳ ବୋଲି ଗାଳି ଦିଏ ।

ପୁଣି ହସ ହେଲା ।

ନୀଳମଣି ଟିକିଏ ଉତ୍ତେଜନାରେ କହିଲେ—ଆଚ୍ଛା ଶୁଣ ଏଇ କଥାଟି—ଛୋଟ ମଣିଷ ବିଷୟରେ । ଘଟଣାଟି ମଧ୍ୟ ଛୋଟ । ଜଣକର ଜୀବନ ଓ ମରଣ—ଆତ୍ମହତ୍ୟା ବିଷୟରେ ।

କଥା ବନ୍ଦ ହୋଇଗଲା—ନୀଳମଣି ଗୋଟାଏ ମରଣ ବା ସ୍ୱେଚ୍ଛାମରଣ କଥା କହିବ । ଜୀବନ ଥିଲେ ମରଣ ଅଛି । ମରଣ ପରେ ପୁଣି ଜୀବନ ଅଛି ।

—ହଁ, କ’ଣ କହିଲ ନାହିଁ ।

 

—ଦିନକର କଥା । ଜଣେ ଲୋକ ଭାରି କଦର୍ଯ୍ୟ ହେଉଥାଏ ।

 

—କାହିଁକି ?

 

—ସେ ଯାହା ପାଇବା କଥା ପାଉ ନଥାଏ । ସେଥିପାଇଁ ଦିନକର ଖର୍ଚ୍ଚ ଦି’ ଟଙ୍କାକୁ ରୋଜଗାର ବାଦ ଯାଇ ଟଙ୍କାଏ ଧାର । ଏମିତି ଚାଲିଥାଏ ତାହାର ଜୀବନ । ସନ୍ଧ୍ୟା ହେଲା ବେଳକୁ ଧାର—ସକାଳ ହେଲା ବେଳକୁ ଧାରର ବୋଝ । ପୁଣି ସଞ୍ଜକୁ ଆଉ ଗାରେ ଧାର ମିଶେ-

 

—ତା’କୁ ଦିଅନ୍ତି ତ । ସେ ପାଏ କେମିତି ଏତେ ଉଧାର ?

 

—ଈଶ୍ୱର ଦିଅନ୍ତି । ସେ ଯେମିତି ଜଣକୁ ସଞ୍ଚୟ କି ଉପାର୍ଜନ ଦିଅନ୍ତି ଆଉ ଜଣକୁ ସେମିତି ଖରଚ ଓ ଧାର ଦିଅନ୍ତି । ସେ ଲୋକଟିର ଦୁଃଖ ଆଉ ଅଭିଯୋଗ ଯେ ଏମିତି ରୋଜ ମଜୁରିଆ ଦୁଃଖ ଭୋଗି ଭୋଗି ସେ ପୁଣି କ’ଣ ପାଇଁ କରଜିଆ ହେଲା ?

 

—କ’ଣ ଫଇସଲା ପାଏ ସେ ?

 

—ଫଇସଲା କଲା ଯେ ଜୀବନଟା ତୁଚ୍ଛ । ଯେଉଁ ମୂଲ୍ୟହୀନ ଜୀବନକୁ ବଞ୍ଚାଇବା ଆଉ ମରିବା ଏକା ଅର୍ଥ ସେ ଜୀବନକୁ ଛାଡ଼ିଦେବା ଭଲ ।

 

—ଏଁ, ଆତ୍ମହତ୍ୟା କରିଦେଲା ନା ?

 

—ଏଇଆ ବୁଝିଲ ? ଆତ୍ମହତ୍ୟାର ଯୋଜନା ଈଶ୍ୱରଙ୍କର ବିନା ସାହାଯ୍ୟରେ ସଫଳ ହୁଏ ନାହିଁ । କାହାରି ହେଇ ନାହିଁ । ସେହି ଈଶ୍ୱର ମଞ୍ଜୁର ନକରିବା ପର୍ଯ୍ୟନ୍ତ ମଣିଷ ଆତ୍ମହତ୍ୟା କରିପାରିବ ନାହିଁ ?

 

—ଓଃ, ସେ କ’ଣ କଲା ?

 

—ପ୍ରତିଦିନ ଭାବେ ସେ ମରିବ । ଠାକୁରଙ୍କୁ ଗାଳି ଦିଏ । ମଣିଷଙ୍କୁ ଗାଳିଦିଏ । ସମସ୍ତଙ୍କୁ ଗାଳି ଦିଏ । ନିଜକୁ ଯେ ଘୃଣା କରେ ସେ ସମସ୍ତଙ୍କୁ ଘୃଣା କରେ । ଦିନେ...

 

—ହଁ, କ’ଣ କଲା ?

 

—ବସିଥିଲା ସିନେମା ହଲରେ । ଖେଳ ଆରମ୍ଭ ହେଉଥାଏ । ଭାବୁଥାଏ ସିନେମା ଦେଖିବ । ସିନେମା ଦେଖି ସାରିଲେ ଆତ୍ମହତ୍ୟା କରିବ । ଏମିତି ବସି ବସି ନିଜ କଥା, ଆତ୍ମହତ୍ୟା କଥା, ଆଉ ଠାକୁରଙ୍କର କଥା ଭାବୁଥାଏ ।

 

ତାହାର ଆଖି ଛାତ ଉପରକୁ ଥାଏ । ଉପରେ କାଚ । କାଚ ଉପରେ ବିଜୁଳି ଆଲୁଅ । ସିନେମା ଘର ଥଣ୍ଡା ରହିବ ବୋଲି ସେମିତି ତିଆରି ହୋଇଛି । କାନ୍ଥ ଭିତରେ ଝରକା ପରି ଖଣ୍ଡେ ଖଣ୍ଡେ କାଚର ଉଜାଲା ।

 

ତାହାର ଆଖି ପଡ଼ିଲା ଖଣ୍ଡେ କାଚ ଉପରେ । ସେହି କାଚ ଉପରେ ଗୋଟିଏ ବୁଢ଼ିଆଣୀ ଜାଲ ବୁଣୁଛି । କିଛି ବୁଣି ସାରିଲାଣି । କାମ ସରିନାହିଁ ।

 

ଲୋକଟି ଚାହିଁଥାଏ ! ଏଣୁ ତେଣୁ ଭାବୁଥାଏ । ଭାବନାରେ ଖିଏ ଅଲରା ଖିଅ ପରି ବୁଢ଼ିଆଣୀ ଜାଲ ଆଖି ଆଗକୁ ଆସୁଥାଏ ।

 

ସେ ଲୋକଟିର ମନକୁ ଅନେକ କଥା ଆସିଲା ।

 

ସେ ସ୍ପଷ୍ଟ ଦେଖି ପାରୁଥାଏ—ଠାକୁର ସେହି ବୁଢ଼ିଆଣୀ ଜାଲ ପାଖରେ ଅଛନ୍ତି । ସେ କହୁଛନ୍ତି ।

 

—କ’ଣ କହୁଛନ୍ତି ?

 

—ମୁଁ କ’ଣ ଶୁଣିଛି ? ସେ ଲୋକ ପରା କହୁଥିଲା । ...ଠାକୁର ତା’କୁ କହିଲେ—

 

—ହେଇ ଦେଖ ଏଇ ବୁଢ଼ିଆଣୀକୁ । ତାହାର ଜୀବନ ଅଛି । ପରିବାର ଅଛି । ଘର ଅଛି-। ଭୋକ ଅଛି । ସଞ୍ଚୟ ଅଛି । ଶତ୍ରୁ ଅଛନ୍ତି । ମରଣ ବି ଅଛି । ମଣିଷର ଯାହା ସମସ୍ୟା ଅଛି ଅଧିକାଂଶ ସମସ୍ୟା ବୁଢ଼ିଆଣୀର ଅଛି ।

 

....ଆଉ ନାହିଁ କ’ଣ ? ତାହାର ଆତ୍ମହତ୍ୟାର ସମସ୍ୟା ନାହିଁ । ସେ ମରଣ କଥା ଭାବେ ନାହିଁ ।

 

ସେ ଲୋକଟି ଏଇ କଥା ସବୁ ତଳେ ବସି ବସି ଶୁଣିଲା । ଆଖି ଦେଖୁଥିଲା ବୁଢ଼ିଆଣୀକୁ । ମନ ଭିତରେ ଉତ୍ତର ଆସୁଥିଲା ନିଜର ସବୁ ପ୍ରଶ୍ନର ଉତ୍ତର । ସେହି ସିନେମା ଘର ଛାତ ପାଖରୁ ଠାକୁର ତା’କୁ ଶୁଣାଉଥିଲେ ।

 

—ସେ ଶୁଣିଲା ଆଉ ବୁଝିଲା ।

 

ଶୁଣିବା ଲୋକଙ୍କର ତନ୍ମୟତା ଭାଙ୍ଗିଗଲା । ନୀଳମଣି ହସି କହିଲା ଏଇଟା ପାଗଳର ପ୍ରଳାପ କି ପାଗଳାମି ନୁହେଁ । ମଣିଷ ଖାଲି ଆଖିରେ ଦେଖେ ନାହିଁ । ଆଖି, ନାକରେ ବି ଶୁଣିପାରେ । କେହି କଥା କହୁନଥିଲେ ବି କଥା ଶୁଣିପାରେ ।

 

ଈଶ୍ୱର ଏମିତି କଥା କହନ୍ତି । ଏଇ ପ୍ରକାରରେ ସେ ମଣିଷର ଦ୍ୱନ୍ଦ୍ୱର ଫଇସଲା କରି ଦିଅନ୍ତି ।

Image

 

ପଥର ଆଉ ଠାକୁର

 

କଥା ଅଛି ଯେ, ମାନିଲେ ଠାକୁର ଆଉ ନ ମାନିଲେ ପଥର । କାଠ, ପଥର ଆଉ ଧାତୁରେ ଗଢ଼ା ସମସ୍ତ ପ୍ରତିମା ଏପରିକି ମାଟି ଓ ନଡ଼ା ତିଆରି ଦେବାଦେବୀ ସମସ୍ତଙ୍କ ପ୍ରତି ଏଇକଥା ଊଣା ଅଧିକେ ଖଟେ । ମୋଟ ଉପରେ କଥା ରହିଛି ଯେ, ନ ମାନିଲେ ଠାକୁର ଖାଲି ଖଣ୍ଡେ ପଥର ଅବା କାଠ ଅବା ମେଞ୍ଚାଏ ମାଟି ।

 

ଧର୍ମ କଥା ଭାବି ଲାଭ ନାହିଁ । ସ୍ୱାଧୀନ ଭାରତ ଧର୍ମନିରପେକ୍ଷ ହୋଇଯାଇଛି । ଏଇଠି ଦରକାର ଦୁର୍ନୀତି ରାକ୍ଷସ ଆଉ ସେମାନଙ୍କୁ ପୋକମାଛି ବା ବାଘସିଂହ ପରି ଧରୁଥିବା ଦୁର୍ନୀତି-ନିବାରଣ ଶିକାରୀ ଦଳ । ଅଧିନାୟକ ବା କାପ୍ତାନ ହୋଇଛନ୍ତି ମନ୍ତ୍ରୀ—ପ୍ରଧାନ । କଥାଟା ଖାପିଛି କାରଣ ପ୍ରଧାନମନ୍ତ୍ରୀକୁ ଓଲଟାଇ ଦେଲେ ହେଉଛି ମନ୍ତ୍ରୀ—ପ୍ରଧାନ ।

 

ଏହି ଦୁର୍ନୀତିକୁ ନାନାପ୍ରକାରର ଆଇନକାନୁନ୍‌ର ବୁଢ଼ିଆଣୀ ଜାଲରେ ଧରିଛନ୍ତି ବିଚାର ବିଭାଗର ବହୁପ୍ରକାରର ମୁଖ୍ୟ । ପବ୍ଲିକ୍‍ ସର୍ଭିସ୍‌ କମିଶନର୍‌ ସଭ୍ୟମାନଙ୍କର ଅଗ୍ରାଧିକାର ଓ ନବକଳେବର ବଡ଼ଦାଣ୍ଡରେ ଯିବା ପାଇଁ ବଡ଼ ବଡ଼ ମୁଖ୍ୟଙ୍କର ଦାବୀ ଓ ଅଧିକାରଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭାର ଅଧିକାର । ଶେଷରେ ରାଷ୍ଟ୍ରର କର୍ତ୍ତବ୍ୟ ପ୍ରସଙ୍ଗରେ ବିଚାରାଳୟରେ ହେଉଥିବା କିସମ କିସମର ଦାବୀ ଏହି ବିଚାର ବିଭାଗକୁ ଶ୍ରୀମଣ୍ଡିତ କରିଛି । ସମସ୍ତେ ଏକ ମନରେ କଚେରୀକୁ ଦେଉଳ ମନେ କରୁଛନ୍ତି ।

 

ତେଣୁ ଏହି ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଓ ଧର୍ମୀ ବା ଧାର୍ମିକ ବଦଳରେ ଏହି ହାକିମମାନେ ଏକପ୍ରକାରର ଏକଚାଟିଆ ଗୌରବ ଅର୍ଜନ ଓ ଆୟତ୍ତ କରିପାରିଛନ୍ତି । ଗଣତନ୍ତ୍ର ପକ୍ଷରେ ଏଇଟା ଅତି ଆନନ୍ଦର କଥା ।

 

କିନ୍ତୁ ଏହି ହାକିମମାନେ ମଠ ମହନ୍ତଙ୍କ ପରି ସମୂହ ଓ ବ୍ୟକ୍ତିଗତ ଆଚରଣବିଧି ଓ ଲୋକ ସମର୍ଥନକୁ ଭୁଲି ଯାଉଛନ୍ତି । ମଠର ମହନ୍ତ, ଗାଦି ଆରୋହଣ ଓ ଅବରୋହଣ, ମଠ ସମ୍ପତ୍ତି, ମଠାଧୀଶମାନଙ୍କର ଆଚାର ଓ ସଦାଚାର ଯେଉଁ ଲୋକ ଆଲୋଚନାର ବିଷୟ ହେଲା ତାହାର କାରଣ ହେଉଛି ଯେ ଧର୍ମ ବିଭାଗରେ ମହନ୍ତଙ୍କର ଏକାଧିପତ୍ୟ । ଲୋକ ଓ ଠାକୁରଙ୍କ ଭିତରେ ରହିଲେ ମହନ୍ତ ।

 

ଏହ ପୁନରାବୃତ୍ତି ଯେପରି ବିଚାର ବିଭାଗରେ ନ ହୁଏ ସେଥିପ୍ରତି ସମୀକ୍ଷା ଓ ତୀକ୍ଷ୍‌ଣ ଦୃଷ୍ଟି ରଖିବା ସମସ୍ତଙ୍କର କର୍ତ୍ତବ୍ୟ ।

 

ପାଣି ଗଡ଼ିଗଲା ପରି ଅବା ପବନ ବହିଗଲା ପରି ଖାଲି ସମସ୍ତେ ମନକୁମନ କଚେରୀର ବିଚାରର ଧାରାକୁ ସୁନ୍ଦର ଓ ସୁରଭିତ ମନେ କରିବାର କାରଣ ନାହିଁ । ଏହା ଯେପରି ପ୍ରକୃତରେ ଏହିସବୁ ବିଶେଷ ମାଧୁର୍ଯ୍ୟର ଅଧିକାରୀ ହେବ ସେତକ ଦେଖିବା କଥା—

 

କାର୍ଯ୍ୟରେ ଏହା କିପରି ନିସ୍ତରଙ୍ଗ ବା ବିକ୍ଷୁବ୍‍ଧ ବୁଝିବା ପାଇଁ କେତୋଟି ଉଦାହରଣ ନିଆଯାଉ ।

 

ବିଚାର ବିଭାଗ କେବେହେଲେ ଅମଲାତନ୍ତ୍ର ନୁହେଁ । ଏବେ ଏହା ଅମଲାତନ୍ତ୍ରର ପରିଚ୍ଛଦ ପିନ୍ଧୁଛି କି ନାହିଁ ଦେଖାଯାଉ ।

 

ରାମ ହରିକୁ ପିଟିଲା । ମାଡ଼ ହେବା ଜାଗାରୁ ଫେରାଦ ହେବା କୋର୍ଟ ପାଞ୍ଚ ମାଇଲରୁ ପଚିଶି ମାଇଲ । ଲୋକଟି ହିଡ଼, ନାଳ, ପାହାଡ଼ ଡେଇଁ ଆଉ ସେହି ଅବସ୍ଥାରେ ଦଶ ପଚିଶି ଡାକ୍ତରଙ୍କୁ ଛାଡ଼ି ଆସି କଚେରୀ ହତା ପାଖରେ ଦୋକାନ ଦେଇଥିବା ଡାକ୍ତରଙ୍କ ସାର୍ଟିଫିକେଟ୍‌ ହାସଲ କରି କିଏ ତିନି ଦିନରେ ଅବା ଆଠ ଦିନରେ ମକଦ୍ଦମା କଲା ।

 

ସବୁ ରହିଗଲା ସାର୍ଟିଫିକେଟ୍‌ ଖଣ୍ଡିକରେ । ସେତକ କେଉଁ ହାକିମ ତଉଲିଲେ ? କିପରି ସେ କାମ କଲେ ? ସେ ଅତ୍ୟନ୍ତ ପରିଶ୍ରାନ୍ତ ଭ୍ରଦବ୍ୟକ୍ତି । ଫୌଜଦାରୀ ଦରଖାସ୍ତକୁ ନ ପଢ଼ି ଦରଖାସ୍ତକାରୀକୁ ଭଲକରି ପଚରାପଚରି ନ କରି ଦେଲେ ତଲବ କରି—କେଉଁଠି ସାତଜଣରୁ ତିନିଜଣ । ଆଉ କେଉଁଠି ସାତଜଣରୁ ସାତଜଣ ଯାକଙ୍କୁ ।

 

ଏହି ଛୋଟିଆ କଥାକୁ ବିଚାର ବିଭାଗର କେଉଁ ପାହାଚରେ କେହି ଅନେଇବେ ନାହିଁ । ଯେମିତି ଗ୍ରାମଦେବୀଙ୍କର ଚକଡ଼ା ଭିତରକୁ ଖୋଦ୍‌ ବିମଳା ବି ଆସିପାରିବେ ନାହିଁ ।

 

ସେଇଠୁ ଚାଲିଲା ଅମଲାତନ୍ତ୍ର । କିଏ ଆସିଲା, ନ ଆସିଲା, ବା ହାକିମ ମକଦ୍ଦମା ନେବେ କି ନ ନେବେ ତାହାର ଚଉଦ ପନ୍ଦର ପଣ ଅର୍ଥାତ୍‌ ଶତକଡ଼ା ନବେ ପଞ୍ଚାନବେ ଭାଗ ବିଚାର କରିବେ ପେସକାର ଓ ଅମଲାମାନେ ।

 

ହାକିମଙ୍କର ଅଧିକାର ସତେ ଯେପରି ତାଙ୍କର ବହୁ ମୂଲ୍ୟବାନ୍‌ ଅସ୍ପଷ୍ଟ ଦୁଇ ବା ତିନି ଅକ୍ଷରର ଦସ୍ତଖତଟିରେ । ଆଉ ଅର୍ଡରର ସବୁଯାକ ଲେଖିବା ଭାର ପେସକାର ହାତରେ । ସେ ଜଣେ ସର୍ବଜ୍ଞ । ହାକିମଙ୍କର ମନର ଭାବ ଓ କଲମର ଭାଷାକୁ ସେ ଯେପରି ଆଗରୁ ଜାଣିପାରି ଲେଖି ଦେଇଛି ।

 

ଏହାକୁ ଦେଖିଲେ ଲୋକ ଆଶ୍ଚର୍ଯ୍ୟ ହୋଇ ପଚାରିବେ ଏଥିରେ ଭୁଲ କ’ଣ ରହିଲା ? ଲୋକେ ପିତଳ ଛାଞ୍ଚରେ ମୁରୁଜ ପକାଇଲେଣି । କାଠ ଛାଞ୍ଚରେ ଦେହରେ ନାମାବଳୀଠାରୁ ଆରମ୍ଭ କରି ଶ୍ଳୋକ ଲେଖି ବୁଲିଲେଣି । ଭାଟଭିକାରୀଙ୍କର ଭେକ ପରି ବିଚାରାଳୟ ଓ ସେଠି ଅଧିଷ୍ଠିତ ଠାକୁରମାନେ ଠିକ୍‌ ଏମିତି ଛାଞ୍ଚ ତିଆରି କରିଦେଲେଣି ।

 

ସାର୍ଟିଫିକେଟ୍‌ ଅଫିସରମାନଙ୍କର ପହିଲି ଅର୍ଡରର ଛାଞ୍ଚ ପରି ।

 

ଏହି ଛାଞ୍ଚ ଭିତରୁ ବିଚାରର ସମସ୍ତ ପ୍ରକାରର ବିଜ୍ଞତା ବାହାରୁଛି ବୋଲି ମାମଲାବାଜ ବା କଚେରୀଆ ବୁଝୁ କି ନ ବୁଝୁ ବିଚାର ବିଭାଗ ଠିକ୍‌ ବୁଝୁଛି ।

 

ଇଏ କ’ଣ ଅମଲାତନ୍ତ୍ର ନୁହେଁ ? ବିଚାର ବିଭାଗ କ’ଣ ଅମଲାତନ୍ତ୍ରକୁ ପସନ୍ଦ କରେ ?

 

ଏଇ ପ୍ରଶ୍ନ ପ୍ରକାଶ୍ୟରେ ଆସେ ନାହିଁ କାରଣ ଏହା ସହିତ ଯୋଡ଼ିଏ କଥା ରହିଛି । ହାକିମଙ୍କର ସ୍ୱେଚ୍ଛାକୃତ ଭ୍ରମ ପ୍ରମାଦ ନାହିଁ ବୋଲି ବିଚାର ବିଭାଗ ସମ୍ପର୍କୀୟ ଆଇନ ସେମାନଙ୍କୁ ମାଫ୍‌ ଦେଇଛି । ଅଧିକ କହିଲେ କୋର୍ଟ ଅବମାନନା ହେବାର ଆଶଙ୍କା ଆସି ଦେଖାଦେବ ।

 

ତଥାପି ଲୋକେ ବୁଝିପାରୁ ନାହାନ୍ତି ଯେ ଜଣେ ହାକିମ ଦି’ମିନିଟରେ ଦି’ଟା ଗୋଟାଏ ପନ୍ଦର କୋଡ଼ିଏ ପୃଷ୍ଠାର ରାୟ ବିଷୟରେ ଶୁଣିଦେଇ ‘‘ଆଡ଼ମିସନ’’ ହେଲା ନାହିଁ କହିଦେଇ ପାରୁଛି-। ଆଉ ଏଣେ ମକଦ୍ଦମାକୁ ଶୁଣାଣି କରିସାରି ରାୟ ଦେବାକୁ ଆଠଦିନ, ପନ୍ଦର ଦିନ ଓ ମାସେ ଗଡ଼ାଇ ଦେଉଛି ।

 

କ’ଣ ପାଇଁ ? ବୁଝିବାରେ ଭ୍ରମ ରହିଲା ବୋଲି ନା ଯାହା ବୁଝିଲା ସେତକ କହିବାର ଅକ୍ଷମତା ପାଇଁ; ନା, ଏହି ରାୟ ଦିଆହେଲା ବେଳେ ଆଉ କିଛି ବିଷୟର ପ୍ରାସଙ୍ଗିକ ଚିନ୍ତା ପାଇଁ ?

 

କିଏ କହିବ କଥା କ’ଣ ? ଲୋକ ତ ଚିଠିର ଜବାବ ଦେବାକୁ ମାସେ ଦି’ମାସ ଗଡ଼ାଇ ଦେଉଛି । ସେଇ ଲୋକ ହଠାତ୍‌ ବା ହୁଁ କିନା ଲେଖି ପକାଇବ ଅଥଚ ତାହାର ଷ୍ଟେନୋକୁ ଡାକି ପକାଇବ କେମିତି ?

 

ହେଇଥିବ, ଉଭୟ କଥା ଠିକ୍‌ । ରାୟ ବା ଅର୍ଡର ସାଙ୍ଗେ ସାଙ୍ଗେ ଦେଲେ କାଳେ ଉପରିସ୍ଥ ହାକିମ ତା’କୁ ଘୁସ୍‌ଖୋର ମନେ କରିବ, ସେଥିପାଇଁ ସେମାନେ ରାୟ ଓ ଅର୍ଡର ଦେବାକୁ ଥାକ ଥାକ କରି ତାରିଖ ପକାଉଛନ୍ତି । ଏଣେ ଲୋକ ବିଳମ୍ୱକୁ ମନ ଅନୁସାରେ କଦର୍ଯ୍ୟ କରି ଭାବୁଛନ୍ତି ।

 

ମହନ୍ତ ଯୁବତୀଟିକୁ ଧର୍ମଶିକ୍ଷା ଦେଉ ଦେଉ ମଠ ସରକାରୀ ହୋଇଗଲା । ସେହିପରି ବିଚାରପତିମାନେ ନିଜର ସୁରଭିରେ ମୁଗ୍‌ଧ ହୋଇ ଲୋକମତକୁ ବେଖାତିର କରି ଚାଲିଲେ ଜନତା ଦରବାର ଆଗେଇ ଆସିବ, ଆଉ ଲୋକବିଚାର ହେବ । ବଳ କଷାକଷିରେ ‘ଲୋକରାୟ’ କେତେ ଶକ୍ତିଶାଳୀ ହୋଇପାରୁଛି ଦେଖାଯାଉ ।

 

ମାନିଲେ ଠାକୁର, ନ ମାନିଲେ ପଥର । ଠାକୁର ସିନା ଠାକୁର ପରି ହେଲେ ରହିବେ । ଆଉ ଧର୍ମ ଓ ଧର୍ମନିରପେକ୍ଷ ଗଣତନ୍ତ୍ରକୁ ରଖିବେ । ...ଈଶ୍ୱର ସବ୍‌କା ଭଲା କରେ ।

Image

 

ଖାଲି ପକେଟରେ ଗୋଲାପ

 

ଚାଉଳ, ଲୁଗା ଆଉ ସିମେଣ୍ଟ ଦାମ୍‌ ବଢ଼ି ଚାଲିଛି । ସମସ୍ତଙ୍କର ଗୋଟିଏ ସମସ୍ୟା—ଏତେ ଦାମ୍‌ ବଢ଼ିଗଲା ଆମେ ଚଳିବା କେମିତି ?

 

କେବେ ଅବା ଏଇ ଅନାଟନ ନ ଥିଲା ? ଯେତେବେଳେ ଚାଉଳ ମହଣ ଅଢ଼େଇ ଟଙ୍କା ଥିଲା ସେତେବେଳେ ଭିକାରୀ ଥିଲେ । ଦରଦାମ୍‌ ସାଙ୍ଗରେ ଅଭାବ ଅନାଟନ ଲାଗି ରହେ ପାଠୁଆ କହନ୍ତି । ଏଇ ପାଠୁଆଙ୍କୁ ନେଇ ଯାହା ବିପଦ ।

 

ପାଠୁଆ ଏବେ ଦରଦାମ୍‌ର ଟୀକା କରୁଛନ୍ତି । ପାଠ ବଦଳରେ ସେମାନେ ଲୁଗା, ଚାଉଳ, ସିମେଣ୍ଟ ପାଉ ନାହାନ୍ତି । ଆଉ ରୋଜଗାରରୁ ପୁଳାଏ ସାଇତି ପାରୁ ନାହାନ୍ତି । ସେମାନେ କହୁଛନ୍ତି ଯେ ସଂସାରଟା ଭୁଷୁଡ଼ି ପଡ଼ୁଛି ।

 

ଠିକ୍‌ ସେତିକିବେଳେ ସେହି ଦରଦାମ୍‌ର ହାହାକାର ଭିତରେ ବେଙ୍ଗର ବରା ଦୋକାନ ନୂଆ ହେଇ ନିଜର ସନ୍ତକ ପକାଇଲା ।

 

ବେଙ୍ଗ ଗୋଟାଏ ସାଧାରଣ ଲୋକର ପିଲା । ଆଉ ନିଜେ ବି ଜଣେ ଅତି ସାଧାରଣ ଲୋକ । ତାହାର ପିଲାବେଳୁ ସେଇ ଗୋଟାଏ ନାଆଁ—ବେଙ୍ଗ । ଭଲ ନାଆଁ ଦିଆ ହୋଇ ନାହିଁ । କାରଣ ଦରକାର ନ ଥିଲା ।

 

ବେଙ୍ଗ ବି ବିଭା ହେଇଛି । ତାହାର ଦୁଇଟି ପିଲା । ଦୁଃଖଧନ୍ଦା କରି ଚଳେ । ତାହାରର ଚଳିବାର ଅସଂଖ୍ୟ ଅଭାବ ଅଭିଯୋଗର କାହାଣୀ ନାହିଁ । କାରଣ ସେ ପାଠ ପଢ଼ିନାହିଁ । ତାହାରି କଥାଟି ଠିକଣା ଭାବରେ ଧରା ହେଇଥାଏ ଯେ ବେଙ୍ଗ ବହୁତ ପ୍ରକାରରେ ଭୋଗିବ । ସେହି ଭୋଗ—ଅନୁଭୋଗର ହିସାବ ଦରକାର ନାହିଁ ।

 

ପଡ଼ାପଡ଼ୋଶୀ କାମରେ ଲାଗନ୍ତି ବୋଲି ପାଠୁଆଙ୍କର ମତ । କିନ୍ତୁ ବେଙ୍ଗର ଜୀବନରେ ପଡ଼ାପଡ଼ୋଶୀ କେହି କେବେ ଆସି ଠିଆ ହୋଇ ତା’କୁ ତାହାର ଦୁଃଖ ସୁଖ କଥା ପଚାରି ନାହିଁ ।

 

ତାହାହେଲେ ସାହିଭାଇ, ପଡ଼ାପଡ଼ୋଶୀ ତାହାର କିଏ ? —ଗରିବର ସାଥୀ କିଏ ? ସେହି ସହରର ଚାଳକୁ ଚାଳ, ପିଣ୍ଡାକୁ ପିଣ୍ଡା, ବାଡ଼କୁ ବାଡ଼ ଲାଗିଥିବା ଲୋକ ତାହାର କେହି ହେଲେ ନାହିଁ ।

 

ସେହି ବେଙ୍ଗ ଖୋଲିଲା ବରା ଦୋକାନ । ଦେହର ପରିଶ୍ରମ ବଦଳରେ ଦୋକାନ ।

 

ଯୋଗ ବି ସବୁ କାମରେ ଆସି ପହୁଞ୍ଚେ । ଧୀରେ ଧୀରେ ତାହାର ବରା ଦୋକାନରେ ଗରାଖ ବଢ଼ିଲେ । ସମସ୍ତେ କୁହାକୁହି ହେଲେ—ବେଙ୍ଗର ବରା ଭଲ ।

 

ବେଙ୍ଗ ଶୁଣିଲା । ତାହାର ନାଁ ପ୍ରସାର ହେଉଛି । ସେ ଖୁସି ହୁଏ । ତା’କୁ କେହି ପଚାରୁ ନ ଥିଲେ । ଏବେ ତାହାରି କଥା ପାଞ୍ଚଜଣ ଅଜଣା ଲୋକଙ୍କ ତୁଣ୍ଡରେ ବସିଗଲାଣି ।

 

ଘରେ ଆଲୋଚନା ଚାଲେ—ପାଞ୍ଚଟା ବାଜି ଗଲାଣି । ବେଙ୍ଗ ତାହାର ବରା ଛଣା ଆରମ୍ଭ କରି ଦବଣି ।

 

—ବାବୁ କ’ଣ ବରା ଖାଏ ? —ବେଙ୍ଗ ପଚାରିଲା ।

 

—ଖାଉ ନ ଥିଲା ଯେ ଏବେ ଖାଇଲାଣି । ତମରି ବରା ବାବୁର ପସନ୍ଦ । —ଚାକର ହସି କହିଲା ।

 

—ହବା କଥା । ଏତ ନିଘା ରଖି ଆଉ କେତେ ଆଡ଼କୁ ହେପାଜତ କରି ଜିନିଷ ତିଆରି କରୁଛି ।.... କହି ବେଙ୍ଗ ତାହାର ବରା ଛଣାରେ ଲାଗିଥାଏ ।

 

—କ’ଣ ବେଙ୍ଗ ଭାଇ, ଆମେ ଆସି କେତେବେଳକୁ ଠିଆ ହେଲୁଣି । ତୁ ଆମ କଥା ଆଗ ବୁଝିବୁ ନା ?

 

—ହଁ ରେ ଭାଇ, ତମରି ପାଇଁ ତ ବେଙ୍ଗ ଚଳୁଛି । ସେଇ ଏକଣା ଘରର ବାବୁ ମଗାଇଛି ଦି’ ଅଣ୍ଡା । ଏଇ ଭାରିକରେ ଦେଇ ଦିଏଁ ତାହାର ଲୋକକୁ ।

 

—ସେମିତି ହେଇପାରିବ ନାହିଁ । ଯିଏ ଆଗ ଆସିବ ସିଏ ଆଗ ନବ । ବାବୁ ଅଣ—ବାବୁ କ’ଣ ନିୟମ ପାଖରେ । ମୁଁ ଅଲବତ ଆଗ ନେବି ।

 

—ଚାକର ଚାହିଁ ରହିଲା ବେଙ୍ଗ ମୁହଁକୁ । ବାବୁଙ୍କର ପସନ୍ଦ ବେଙ୍ଗର ବରା । ବାବୁ ଆଗ ନା ଯିଏ ଆଗରୁ ଆସି ଠିଆ ହୋଇଛି ତାହାର ଭାଗ ଆଗ ?

 

ଇଏ ତ ହେଲା ନିୟମ ଶୃଙ୍ଖଳା କଥା । ବେଙ୍ଗର ଇଚ୍ଛା ଥିଲେ ବି ବାବୁଙ୍କୁ ଆଗ ଦେଇପାରିଲା ନାହିଁ । ଭାବି ମନେ ମନେ ସ୍ଥିର କଲା—ଅସଲ କଥା ହେଉଛି ଯେ ଧାଡ଼ିରେ ଆଗକୁ ଆଗ ଦେଇ ଦବା କଥା ।

 

—କ’ଣ ଏତେବେଳେ ଆସିଲୁ ! ବରା ଦି’ଗଣ୍ଡା ପାଇଁ ସେଠି କ’ଣ ଏତେବେଳ ଲାଗିଲା-?

 

—ଭିଡ଼ ହେଇଥିଲା । ଲୋକ ପାଟିକଲେ ଯେ ଆଗରୁ ଆସି ଠିଆ ହୋଇଛନ୍ତି । ପରେ କାହିଁକ ନେବେ ?

 

—କହିଲୁ ନାହିଁ ମୋରି ନାଆଁ ।

 

—ଆଜ୍ଞା କହିଥିଲି । ଦୋକାନୀ ଜଣେ । ଗରାଖମାନେ କହିଲେ ସେମିତି ବାବୁ, ଅଣ–ବାବୁ, ପାତର ଅନ୍ତର ଚଳିବ ନାହିଁ ।

 

ବାବୁଙ୍କୁ ବିରକ୍ତ ଲାଗିଲା ଏଇ ଅପମାନିଆ କଥା ଶୁଣି । ବାବୁଆଣୀ ତମତମ ହୋଇ କହିଲେ ସେ ବରା ଛୁଇଁବେ ନାହିଁ । ଛାର ବରା ଦିଇଟା ପାଇଁ ଇଜ୍ଜତ ଦି’କଡ଼ାର ।

 

ପଇସା—ଦିଆ କିଣା ବରା ନଷ୍ଟ ହୁଏ ନାହିଁ । ଗରମ ଭାଙ୍ଗିଯିବା ଆଗରୁ ଖତମ କରିଦବା ଦରକାର । ଘରେ ବରାର ପାଗ ଏମିତି ହୁଏ ନାହିଁ । ତାହାର ରଙ୍ଗ ବି ଉଠେ ନାହିଁ ।

 

ଖାଉ ଖାଉ ବାବୁ ନିଜକୁ ଶୁଣାଇ ଶୁଣାଇ କହୁଥିଲେ—ବରା ପାଇଁ ମୋର କେମିତି ଘୃଣା ଥିଲା । ପିଲାଦିନେ ଏହାର ଡବଲ ସାଇଜର ବରା ମିଳୁଥିଲା । ସେ ଖାଉ ନ ଥିଲେ ।

 

—ବରା ଦେହକୁ ଭଲ ।

 

—କିଏ ଜାଣେ ସେ କଥା ? ଏବେ ସବୁଆଡ଼େ ଦରଦାମ୍‌ ବଢ଼ିଲା । ମୁଢ଼ି ଖାଇବାଠାରୁ ବରା ଖାଇବା ଭଲ...ଚାଉଳ କିଲୋ ଦୁଇ ଟଙ୍କାରୁ ଉପରକୁ ଚାଲିଗଲାଣି ।

 

ଯାହା ହେଉ ଏହି ଦରଦାମ୍‌ର ଉତ୍ପାତ ପାଇଁ ବରା ଉଠିଲା । ଖାଲି ବରା ନୁହେଁ ତାହାର କାରିଗର ବେଙ୍ଗର ବି ନାଁ ଡାକ ହେଲା ।

 

ସେ ମନୁଆ ହୋଇଗଲାଣି । ସଞ୍ଜବତୀ ନ ଲାଗିଲେ ସେ ବରା କମ୍ପାନୀ ଖୋଲେ ନାହିଁ-। କ’ଣ ମିଳିବ ଏମିତି ତନାଘନା କରି ? ଯିଏ ମୋର ବରାକୁ ପସନ୍ଦ କରିଥିବେ ସେଇମାନେ ବଳେବଳେ ଆସିବେ ଯେ ବେଙ୍ଗର ବେଳକୁ ଠଉର କରି ରଖିଥିବେ ।

 

ଦରଦାମ୍‌ର ବଢ଼ତି ପାଇଁ ବେଙ୍ଗର ବଢ଼ତି ହେଇଛି । ସେ ସନ୍ଧ୍ୟାଯାକେ ଏଣେତେଣେ ହେଉଥାଏ । ଯିଏ ଯେତେ କହିଲେ ଶୁଣେ ନାହିଁ । ତାହାର ନିଜର ବେଳରେ ସେ କଡ଼େଇ ବସାଇବ ଚୁଲି ଉପରେ । ତା’ପରେ ଲାଇନ ଳଗାଇ ଜଣେ ପରେ ଜଣକୁ ବିଦାୟ କରିବ ।

 

ତାହାର ବିକ୍ରିବଟା ସରିଗଲେ ଚୁଲିରେ ପାଣି ଟିକିଏ ପକାଇ ଦଣ୍ଡବତ ହେଇ ଉଠିଯାଏ-। ଯାହା ମିଳିଥାଏ ସେଥିରେ ସେ ଭଲରେ ଚଳେ ।

 

ପାଠୁଆମାନେ ପକେଟକୁ ଜଗି ବରାରେ ଭୋକ ମାରି ଆଲୋଚନା କରନ୍ତି—ସବୁ ଭଲ । ହେଲେ କ’ଣ ହେଲା ସ୍ୱାସ୍ଥ୍ୟରକ୍ଷା ନିୟମକୁ ସେ ଦୋକାନୀ ଫୋପାଡ଼ି ଦେଇଛି ।

 

—ଗରମ ତେଲ ଛଙ୍କା ଜିନିଷ । ସେଥିରେ କ’ଣ କ୍ଷତି ?

 

—ରାସ୍ତା ଧୂଳି ଆଉ ଲୋକଙ୍କ ଆଖି । ଦୋକାନୀର ଅସନା ଦୁଆର, ମଇଳା ଶୀଳ, ଅମଜା କଡ଼ା ଆଉ ଦାଣ୍ଡେ ଦାଣ୍ଡେ ବିକ୍ରି ।

 

—ଏତେ ମନକୁ ଯଦି ଖରାପ ବାରୁଛ, ନ ଖାଇଲେ ଭଲ ହୁଅନ୍ତା । ....ସ୍ତ୍ରୀ ତିଆରି କହିଲେ ବାବୁଙ୍କୁ ।

 

—ଭଲ ଲାଗୁଛି ତ । ଇଚ୍ଛା ହେଉଛି ତ । ସାଇଜ ଛୋଟ ଦାମ୍‌ ଚଢ଼ା । ହେଉ ପଛକେ ।

 

—କ’ଣ କରିବା ? ସମୟ ସେମିତି କରିଦେଉଛି । ଜିନିଷର ଚଢ଼ା ଦର ଭିତରେ ଜଳଖିଆ ଘରେ କରି ହେଉ ନାହିଁ । କାଠ, କୋଇଲା କିରାସିନି, ଆଉ ଗ୍ୟାସ୍‌ ସବୁ ତ ଅପୂର୍ବ ହେଇଗଲାଣି । ସିଏ କେମିତି କୁଆଡ଼ୁ ଆଣି ଚଳାଉଛି ବେପାର ।

 

—ଛାଡ଼ । ଆଜି ଦିନଟା ଗଲା ତ । ସେଇ ଦରଦାମ୍‌ ପାଇଁ ଆମେ କ’ଣ ମରିଗଲେ ? ବରା ଖାଇଲେ ବୋଲି କ’ଣ ଅଣନିଶ୍ୱାସୀ ହୋଇଗଲେ ?

 

—ଆଉ ।

 

ହସି ବାବୁ କହିଲେ—ଭଲ ହେଲା । ଅଡ଼ୁଆ ପଡ଼ିଲା ବୋଲି ସିନା ଆମେ ଲୋକ ପଠାଇ ବରା ଦୋକାନୀ ପାଖରେ ଧାଡ଼ି ବାନ୍ଧିଲେ । ଭାଇତିରିଆ ହେଇଗଲା ତ !

Image

 

ଦାନର ପ୍ରତିଦାନ

 

ଇଏ ହେଲା ଚାଉଳ କିଲୋକୁ ଦୁଇ ଟଙ୍କାର ଉପର ଦାମ୍‌ ବେଳର କଥା । ଖବରକାଗଜରେ ଅନାହାର ମରଣ ଏଇ ସହର ଆଉ ତାହାର ଆଖପାଖ ମଫସଲରେ ହେଉଥିଲା-। ଚାଉଳ ଦାମ୍‌ ବଢ଼ିଯାଇଛି । ଲୋକେ ଖାଇବାକୁ ପାଉନାହାନ୍ତି ।

 

କଥାଟା ଏକାବେଳେକେ ଠିକ୍‌ । ତମେ ଆମେ ଯିଏ ଯାହା ଖାଉଥିଲେ ତା’କୁ କମ୍‌ କରିଛୁ । ଭିକାରୀଙ୍କୁ ଚାଉଳ ବଦଳରେ ପଇସା ଦେବା ଆରମ୍ଭ କରିଛୁ । ତଥାପି ଲୋକଙ୍କର ସ୍ୱାସ୍ଥ୍ୟହାନୀ ସେଇ ପରିମାଣରେ ବଢ଼ିଲା ନାହିଁ । କିଏ କହୁଛି ଧାନ କ୍ଷେତର ପେଣ୍ଠ ଗାଆଁମାନଙ୍କରେ ଲୋକେ ଭଲରେ ଅଛନ୍ତି ? ସେମିତି ଆଉ କେତେ ବି କହୁଛନ୍ତି ଏଇ ନିଆଁଲଗା ଦରଦାମ୍‌ ଭିତରେ ପ୍ରାଣ ତିଷ୍ଠି ରହିବ ନାହିଁ ।

 

ଇଏ ହେଲା ସେଇ ପ୍ରାଣ ରହିବାର କଥା—ବେଳ ହେଲା ଦଶହରା । ଯେଉଁ ବେହିପେ ଦେଉଥିଲେ ଦେବେ—ନ ଦେବେ କାହିଁକି ?

 

ଅଦିୟା ତୋ’ ନେହିଁ ଦିୟା

 

ଦିଆ ବାହାଁଚୋ କେହୋଁ ନେହି ଦିୟା ?

 

ଲୋକ ଆସନ୍ତି । କିନ୍ତୁ ପାଞ୍ଚ ସାତ ବର୍ଷ ତଳର ଦେବାଦିଆଇବା—ମାଗଣ ଭିତରେ ବହୁତ ଭାଷା ଆଉ ଶୈଳୀ ବଦଳି ଯାଇଛି ।

 

ଫାଟକ ଖୋଲି ଜଣେ ଲୋକ ତାହାର ପିଲାକୁ ଧରି ଆସିଲା । ଦେହ ବେଶ୍‌ ହୃଷ୍ଟପୁଷ୍ଟ । ମୁହଁରେ ଅନାହାରର ସୂଚନା ନାହିଁ । ଦାରିଦ୍ର୍ୟର ସୂଚନା ଅଛି । ଧନୀ ମୁହଁରେ ମଧ୍ୟ ଦାରିଦ୍ର୍ୟ ପଢ଼ାଯାଇପାରେ । ଦେବା ଲୋକ ମୁହଁରେ ଅସହାୟତାର ଲିପି ଲେଖାଥାଏ ।

 

—କ’ଣ ?

 

—ମୁଁ, ବାବୁ । ଏଇଠି ତମର ବାହାଘର କାମ କରିଥିଲି । ବାକ୍‌ସ ରଙ୍ଗ କରିଛି । ଆଖି ଅନ୍ଧ ହୋଇଗଲା ।

 

—ସିଏ ତ ତିରିଶି ବର୍ଷ ତଳର କଥା । ଏଥି ଭିତରେ ତମେ କେତେଥର ଆସି ସେଇ କଥା କହିଲଣି ।

 

—ଦେବ କଥାର ଭାର ଆପଣଙ୍କର । ମାଗି ବୁଲୁଛି । ମୁଁ ଆଉ ଏଇ ପିଲା ଦଶହରା ପର୍ବରେ ବି ଉପାସ ।

 

—ପିଲାକୁ କେତେ ବର୍ଷ ?

 

—ଛଅ ପୁରି ସାତ ଚାଲିଲାଣି ।

 

—ପଢ଼ୁଛି ?

 

—ହଁ, ତୃତୀୟରେ ପଢ଼େ ।

 

—ଚଳୁଛ କେମିତି ?

 

—ଏମିତି ମାଗିଯାଚି । ଯିଏ ଯାହା ଦେଲେ ।

 

ମନ୍ଦ କ’ଣ ? ମଣିଷ ମଗାଯଚା ଭିତରେ ତାହାର ଘର ସଂସାର ଚଳେଇ ପାରୁଛି । ମାଗି ଖାଇ ତାହାର ପୁରୁଣା ସଂସାରକୁ ରଖୁଛି ଆଉ ତା’କୁ ବି ବଢ଼େଇ କୁଢ଼େଇ ପାରୁଛି । ଆହା–ଆହା ।

 

—କ’ଣ, ବାବୁ, ବିଚାର କଲେ ନାହିଁ ?

 

—ହଁ,—ହଁ ତ । ଆରେ ବାବା ଆମେ ଖରାପ ଅବସ୍ଥାରେ ଅଛୁ । କ’ଣ ଆଉ ଦେବା ?

 

—ଆଠଅଣାର ସୁଉକି ଦୁଇଟି ଆଣି ଦେଲାବେଳକୁ ପିଲା ମାଗିଲା ରୁଟି ।

 

—ମନ୍ଦ କ’ଣ ? ଭାତ ନାଆଁ ଓଡ଼ିଶାରୁ ଉଠିଯାଉଛି ।

 

—ନାହିଁରେ ରୁଟି । ଆମେ କୁଆଡ଼ୁ ଦବୁ ? ହଉ ନେ କହି, ଆଉ ପାଞ୍ଚ ପଇସିଟିଏ ବଢ଼ାଇ ଦେଲାପରେ ଅନ୍ଧ କହିଲା—କ’ଣ ବାବୁ, ଆଠଅଣା ବି ଦେଲ ନାହିଁ ? ମୋଟେ ଚାରିଅଣା–

 

—ଏଁ । ହେଇପରା ପଞ୍ଚାବନ ପଇସା । ଦୁଇଟି ସୁଉକି ଆଉ ଗୋଟିଏ ପାଞ୍ଚ ପଇସି ।

 

ଲୋକଟା ଆଠଅଣା ମୁହଁରୁ ଖସେଇ ଦେଇଛି । ତେଣୁ ଟଙ୍କା କଥା ଉଠାଇଲା ନାହିଁ । ଚାଲିଗଲାବେଳେ ବେଶ୍‌ ଟାଣୁଆ ପାହୁଲ ।

 

କେଜାଣି ତାହାକୁ ଅବା ଚାଉଳ ଶସ୍ତାରେ ମିଳୁଥିବ କି ଆଉ କିଛି ରୋଜଗାର ଥିବ । ଦିଆ ବାବୁର ପକେଟ ଖାଲି ହେଇଯାଉଛି । ଦମ୍ଭିଲା ଚାଲି ଥରିଲାଣି ।

 

ଫାଟକ ସେପାଖେ ଅନ୍ଧୁଣୀ ତାହାର ତିନିନମ୍ୱର ପିଲାର ହାତ ଧରି ଏକନମ୍ୱର ପଚାରୁଛି—କି, ଏତେବେଳ ହେଇଗଲା ଯେ...

 

—ରୁଟି ପାଇଁ ବସିଥିଲି । ଦେଲେ ତ ଆସିବି ।

 

—ହଉ, ରୁଟି ଆଣିଛ ? ଯଦି ଆଣି ନ ଥିବ ତାହାହେଲେ ତୁମକୁ କଇଫିଏତ୍‌ ମାଗିବି ।

 

ଆରେ, ଏଠି ତ ଆଉରି ଅଦ୍‍ଭୂତ କଥା—ଅନ୍ଧୁଣୀକୁ ଭିକାରୁଣୀ ବେଶରେ ଦେଖି ଦେଖି ତାହାର ତୁଣ୍ଡରେ ସାହିତ୍ୟର ଭାଷା ଶୁଣିବା ଟିକିଏ ଚମକ ଆଣିଲା ।

 

ଅନ୍ଧୁଣୀର ରହିବା ଥାନ ଓ ଇତିବୃତ୍ତି ସବୁ ବେଶ୍‌ ଜଣା । ସେଥିରେ ସେ ଶୁଣି ଶୁଣି ଭାଷା ପାଇଛି ଏଇ ସହରରୁ । ହେଇଥିବ...ଅନ୍ଧର ସ୍ମରଣ ଶକ୍ତି ପ୍ରଖର ।

 

ତାହାହେଲେ ଅନ୍ଧୁଣୀକୁ ଚାଉଳ କିଲୋ ବାଧିଲା ନାହିଁ । ତାହାର କଥାରେ ବେଶ୍‌ ଠସକ ଅଛି ।

 

କେଜାଣି କ’ଣ ହେଇଛି ଏଇ ସଂସାରରେ ? ଦାମ୍‌ ଯେମିତି ବଢ଼ୁଛି ଖାଉଟିଙ୍କର ଦମ୍ଭ, ସାହସ ଓ ଆସ୍ପର୍ଦ୍ଧା ସେମିତି ବଢ଼ୁଛି ତ । ମରିବାକୁ ସେମିତି ପ୍ରସ୍ତୁତି ପର୍ବ ଦିଶୁ ନାହିଁ ।

 

ତେବେ କ’ଣ ଦଶହରାଟା ବୃଥା ହବ ନାହିଁ ? ଲୋକେ ସେମିତି ଆସି ଭିଡ଼ ଠେଲିବେ-? ଆଚାର କିଣି ଖାଇବେ ? ଦହିବରା ଆଉ ଆଳୁଦମ୍‌ ପାଖରେ ଭିଡ଼ ଲଗାଇବେ-? କାହାର ତେବେ ସର୍ବନାଶ ହେଇଛି ?

 

ସର୍ବନାଶ ଗୋଟାଏ ବିଡ଼ମ୍ୱିତ ଶବ୍ଦ । କେତେବେଳେ ହେଲେ ସର୍ବନାଶ ନାହିଁ । ସଂସାରର ମୋଟ ଶକ୍ତି, ମୋଟ ଧନ, ମୋଟ ସୁଖ, ମୋଟ ଶାନ୍ତି...ସମାନ । ଏଠି ସେଠି କ୍ଷୟବୃଦ୍ଧି ହେଲେ ବି କୋଡ଼ା ଓ ମଡ଼ା ମିଶି ଫଳ ସମାନ ।

 

ବେଶ୍‌ ହେଉ ଚାଉଳ ଦର କିଲୋକୁ ଦୁଇଟଙ୍କା ନବେ । ବେକଣ୍ଟ୍ରୋଲ ରେଟ୍‌ରୁ କଣ୍ଟ୍ରୋଲ୍‌ ରେଟ୍‌ ତାହାର ଅଧା ପାଖାପାଖି । ଏଇ ଅନ୍ଧୁଣୀର କ’ଣ ପଡ଼ି କାର୍ଡ଼ ଅଛି ? ସେହି ଆଗରୁ ଆସିଥିବା ଅନ୍ଧଟିର ଅବା ଥିଲେ ଥାଇପାରେ ।

 

ତାହାର ଛୋଟ ପିଲା ତୃତୀୟ ଶ୍ରେଣୀରେ ପାଠ ପଢ଼ି ଛୁଟି ହେଲେ ବାପାର ଆଶାବାଡ଼ି ହୋଇ ଧନ ସଂଗ୍ରହରେ ବାହାରନ୍ତି । ଭାଟ ବା ଯୋଗୀ ମଲେଣି । ତାଙ୍କର ଗୀତ ମରିଛି । ତାହା ବଦଳରେ ଆସିଛି ଦାମ୍ଭିକତାର ପଦେ ଆତ୍ମଜୀବନୀ—ମୂଳକ ଗଦ୍ୟ ।

 

—ମୁଁ ଦିନେ ଖଟୁଥିଲି । ଅନ୍ଧ ହେଇଗଲି । ମତେ ଦିଅ । ଅବା ମୁଁ ଅନ୍ଧୁଣୀ ହେଇଗଲି । ମତେ ସେ ମାଡ଼ି ବସି ରଖି ନେଇଛି । ମୋର ପିଲା ଆଉ ନିଜେ ମିଶି ମାଗୁଛୁ ।

 

ମନ୍ଦ କ’ଣ ? ସାହିତ୍ୟର ସୃଷ୍ଟି ଚାଲିଛି । କେତେ ସେଇ ସାହିତ୍ୟକୁ ପଢ଼ିବ ? କିଏ ଅବା କେତେ ଲେଖିବ ? ମାଗିବା ଗୋଟାଏ ଅର୍ଥକରୀ କଳା ହିସାବରେ ଆଗେଇ ଆସୁଛି ଚୀନା ଦେଶର ପିଲାଟିଲା ମାଛ ପରି ବଂଶ ବଢ଼ାଉଛି । କାହାର ନାକଟେକା କି ଆଦରରେ କାମ ନାହିଁ ।

 

ତେବେ ଦୟା ଓ କରୁଣା କ’ଣ ଆଜିର ଦଶହରା ଦିନରେ ମରିଯିବେ ?

Image

 

ଈଶ୍ୱରଙ୍କର ଆଶୀର୍ବାଦ

 

ଛୁଟି ଦିନ—ଶୀତ ଦିନ ।

 

ସେଥର ଦଶହରା ମାସେ ଡେରିରେ ପଡ଼ିଥାଏ । ସଞ୍ଜ ପହରକୁ କାକର ହେଉଥାଏ । ଦିନରେ ଶୋଇ ହୁଏ ନାହିଁ ।

 

—ଲୋକଗୁଡ଼ାକ ସତରେ ଓଲା । କୁହନ୍ତି ଯେ ଖରା ପାଇଁ, ଗରମ ପାଇଁ ଶୋଇବା କଷ୍ଟ । ଥଣ୍ଡାରେ କ’ଣ କେହି ଶୋଇ ପାରେ ?

 

ମୁରଲୀ ବୁଲି ବାହାରିଲା—ତେବେ ଯିବ କାହା ଘରକୁ ? କେଉଁଠି ସେ ପ୍ରିୟ ଆଉ ଦରକାରୀ ?—ଧିରେ ଧିରେ ସେ ଗୋଟିଏ ଗୋଟିଏ କରି ଘରଗୁଡ଼ାଙ୍କୁ ଚାହିଁ ବାଟ ଚାଲିଲା ।

 

ଘର ଅଛି ଭଲରେ । ଲୋକ ଅଛନ୍ତି । କେଉଁଠି କେମିତି ପରିଚିତ ଲୋକ ଅଛନ୍ତି । କିନ୍ତୁ ଦୁଆର ଭିତରକୁ ଗୋଡ଼ ବଢ଼ାଇବାକୁ ମନ ବାରଣ କରିଦିଏ ।

 

ବାଧ୍ୟରେ ମୁରଲୀ ଆଗକୁ ଚାଲେ । କେତେବେଳେ କେମିତି ପଛକୁ ବୁଲି ଚାହେଁ । ଘରର ଝରକାରେ ପରଦାଗୁଡ଼ିକ ପବନରେ ଝୁଲି ଝୁଲି ମୁରଲୀକୁ ଯେପରି ହାତ ଠାରି ଡାକୁଥାନ୍ତି-

 

ଏଣେ ଭିତରେ ମନଟା ମନା କରେ ।

 

ମୁରଲୀ ଚିଡ଼ି ଉଠେ ଲୋକଙ୍କ ଉପରେ—ଓଲୁ ତ । ଆଉ କ’ଣ କହନ୍ତେ ? ମନ ଆମର ଅଧିନ । କାହିଁ, ଏଇ ମନଟା ସବୁ କଥାକୁ ବାରଣ କରୁଛି ।

 

ହଉ । ମନର ହୁକୁମ ପାଳିଲେ କ୍ଷତି କ’ଣ ? ଅପମାନ ହେଲେ ମନ ଆଘାତ ପାଏ । ଦେହ ତ କିଛି ଖରାପ ପାଏ ନାହିଁ ମାଡ଼ ଖାଇବା ପର୍ଯ୍ୟନ୍ତ ।

 

ମୁରଲୀ ଆଗ ବଢ଼ି ଚାଲିଲା—ବଡ଼ ବଡ଼ ପାହୁଲ ପକାଇଲା । ମନ ଆଉ ଏବେ ଅଡ଼ି ବସିବ ନାହିଁ । ଧପ୍‌ଧପ୍‌ ଚାଲି ଭିତରେ ମନ ସୁବିଧା ପାଇଲେ ପଚାରୁ ଥାଏ—ଆସିଲୁ କାହିଁକି ?

 

—ଭଲ ଲାଗିଲା ନାହିଁ ବସି ବସି ।

 

—ଏବେ ଭଲ ଲାଗୁଛି ତ ?

 

—ନା, ଏକୁଟିଆରେ ଆନନ୍ଦ ନାହିଁ ।

 

ରାସ୍ତା ଉପରେ ଟ୍ରକ୍‌, ମଟର, ଆଉ ପରିବହନ ବସ୍‌ଗୁଡ଼ିକ ବଡ଼ ପାଟିରେ ହୁସିଆର କରୁଥାନ୍ତି । ଲୋକ ଖୁବ୍‌ କମ୍‌ । ତେଣୁ ସେମାନଙ୍କର ଡାକ ମୁରଲୀ ପାଇଁ । ମୁରଲୀ ପ୍ରତ୍ୟେକ ଗାଡ଼ି ଭିତରକୁ ଅନାଏ ।

 

ଲୋକ ଚାଲି ଯାଆନ୍ତି । ଚାହଣୀରେ ଚାହାଣୀ ମିଶେ । ପୁଣି ମିଶେ ନାହିଁ । ତାଙ୍କର ସ୍ତର ଅଲଗା । ତାଙ୍କର ମନ ଅଲଗା । ଏମିତି ଏଣେତେଣେ ଚାହିଁବାକୁ ମନଟା ବି ଅରାଜି ।

 

ଆସି ଆସି ପହଞ୍ଚିଗଲା ବସ୍‌ ଷ୍ଟେସନରେ । ବହୁତ ଲୋକ । ଛୁଟି ପାଇଁ ଭିଡ଼ ଅଛି । ଲୋକେ ଛୁଟିରେ ଯାଇ ଆସି ଆନନ୍ଦ ପାଆନ୍ତି । ଭିଡ଼ ଯେତିକି ବଢ଼େ ଭଲ ବି ସେତିକି ଲାଗେ । ମୁଁ ଭିଡ଼ ଠେଲି ଆଗେଇବି....ଅବା ଭିଡ଼ ଦେଖି ହଟି ଆସିବି ।

 

କାହିଁ, କେହି ତ ଠିଆ ହେଇ ପଦେ ମନକିଣା କଥା କହିଲା ନାହିଁ ? ନ କହିଲେ ମଧ୍ୟ ଜାଗାଟା ଭଲ । ଆଖି ଡେଇଁ ଯାଉଛି ୟା’ଠାରୁ ତାହା ପାଖକୁ । ଠିକ୍‌ ବଢ଼ିଲା ନଈ ଅବା ବତାସିଆ ପବନ ସମୁଦ୍ର ପରି—କିଛି ଭଲ ଠଉର ହେଉ ନାହିଁ । କିନ୍ତୁ ଲଦାଲଦି ଭିଡ଼ାଭିଡ଼ି ଆଉ ଟଣାଟଣି ଗୋଟିଏ ପ୍ରକାର ଆନନ୍ଦ ।

 

ସମୟ କଟାଇବାକୁ ଅଳିଆ ପୁରୁଣା କାଗଜ ବସି ବସି ସଜାଡ଼ିଲା ପରି—ଖଣ୍ଡେ ଖଣ୍ଡେ ପୁରୁଣା ସ୍ମୃତି ଅବା ଦରକାରୀ ବିଷୟ ଆଖି ଆଗକୁ ଚାଲି ଆସେ । ମନ ଅଟକି ଯାଏ ।

 

ସେମିତି ଭିଡ଼ି ଠେଲି ପିତାମ୍ୱରବାବୁ ଓହ୍ଲାଇଲେ । ଲୋକଟା ସେତେ ସୁଆଦିଆ ନ ହେଲେ ବି ଧୀରସ୍ଥିର । ଉଠି ଆସିଲା ବେଳକୁ ବସ—ବସ—ଆଉ ପନ୍ଦର ମିନିଟ୍‌—କହେ ତ ।

 

—ନମସ୍କାର ।

 

—ନମସ୍କାର । ଓଃ, ଭାରି ଭଲ ହେଲା ।

 

—କ’ଣ ?

 

—ମୋ’ ସାଙ୍ଗରେ ଆସି ପାଟି ନ କଲେ ଦେଖିପାରିବ ଆଜିର ଅବସ୍ଥା !

 

ଦେଖିଲା ବେଳକୁ ମିନି ବସ୍‌ଟିର ଡାହାଣ ପାଖରେ ଗୋଟାଏ ଚଉଡ଼ା ଗାର । ଭିତର ଫୁଟି ନାହିଁ ନୂଆ ଗାଡ଼ି ବୋଲି । ପୁରୁଣା ହେଇଥିଲେ ଭିତର ଫୁଟି ମଣିଷ ବି ବାହାରି ଆସିଥାନ୍ତେ ।

 

—ଚାଲ କହୁଛି । ଏଇ ଗାଡ଼ିରୁ ପୀତାମ୍ୱର ଓହ୍ଲେଇଲେ । ମୋର ବସିବା ଜାଗା ପାଖରେ କେତେ ଚଉଡ଼ା ଦାଗ । ଭିତରକୁ ଯାଇଥିଲେ ଠିକ୍‌ ତଳ ପଞ୍ଜରା ହାଡ଼ ପାଖରେ—ତେଣିକି ଭାବିଲ ।

 

—ରକ୍ତ ! ରକ୍ତାକ୍ତ ।

 

—ଠିକ୍‌ ସେଇଆ । ତୁମେ ଯାଇ ଘରେ ଖବର କହିଥାନ୍ତ ।

 

—ଏଁ, କ’ଣ ଏଇଠି ବସ୍‍ଷ୍ଟାଣ୍ଡରେ ହେଲା ?

 

—ଓଃ । ଭୁଲି ଯାଇଥିଲି । ଏଇ ମାଡ଼ ହେଲା ଏଠୁ ସତେଇଶି ମାଇଲ ଦୂରରେ ।

 

—କେମିତି ?

 

—ଏକଦମ ନୂଆ ଗାଡ଼ି । ଆଜି ଦଶହରାରେ ଅନୁକୂଳ । ଏକାବେଳେକେ ବାଁ ପାଖକୁ ମାଡ଼ି ଗାଡ଼ି ଆସୁଥିଲା । ଗୋଟାଏ ଧଳା ଜିପ୍‌ ସାଇଁ କରି ଚାଲିଗଲା । ଗଲାବେଳେ ଏତକ କରି ଦେଇଛି ।

 

—ଏଁ । କାହା ଗାଡ଼ି ?

 

—କେହି ଦେଖି ପାରିଲେ ନାହିଁ । ଅଧା ଅଧା ନମ୍ୱର ପଢ଼ା ଯାଇଛି । ସେ ପଳାଇଲା । ଆମେ ହୁଏତ ମରା—ଦରମରା ହେଇଥାନ୍ତୁ । ଡ୍ରାଇଭର ଭାରି ସାବଧାନ ।

 

—ଦେଖି ଆସେଁ ତା’କୁ ।

 

—ଦରକାର ନାହିଁ । ଦୁର୍ଘଟଣା ସେ ଘଟାଇ ନାହିଁ । ଦୁର୍ଘଟଣା ତାହାରି ଉପରେ ହେଲା-। ଆମେ ସମସ୍ତେ ଗାଡ଼ିରୁ ଓହ୍ଲାଇ ଦେଖିଲୁ । ବାଁ ପାଖରେ ଆଉ ଚାଖଣ୍ଡେ ଦି’ଚାଖଣ୍ଡ ଖସିଥିଲେ ଗାଡ଼ି ଓଲଟି ଥାଆନ୍ତା ।

 

—ଆହା । ଦଶହରା ଦିନରେ ଦୁର୍ଘଟଣା ।

 

—ଡ୍ରାଇଭର ଭାରି ବ୍ୟସ୍ତ ହେଇ ଆମକୁ କହୁଥାଏ । ଭାଗ୍ୟ ଖରାପ—ମାଲିକ କହିବ ନୂଆ ଗାଡ଼ିର ଅନୁକୂଳ ବହିନିରେ ଏଇଆ ହେଲା ?

 

—ବଡ଼ ଦୁଃଖର କଥା । ମାଲିକ କେତେ ଆଶା କରି ବସିଥିବ...

 

—କିନ୍ତୁ କଣ୍ଡକ୍ଟର ମାଲିକର ଲୋକ । ସେ ଆଉ କ’ଣ କଲା.... ନା ?

 

—କ’ଣ ?

 

—ଆସି ଡ୍ରାଇଭରକୁ—ଯା ଇଚ୍ଛା ତା—ଶୋଧିଦେଲା । କହିଲି ଏତେକରି ଗୋଟାଏ ନଡ଼ିଆ ଆଉ ଚାରିଅଣାର ଉଖଡ଼ା ଭୋଗ କର । ଏଇ ଡ୍ରାଇଭର ମନା କଲା ।

 

—କାହିଁକି ? କ’ଣ ହେଇଥାନ୍ତା ପୂଜାରେ ?

 

—କିଏ କହିବ ? ଦୁର୍ଘଟଣା ଆଉ ଇଞ୍ଚେ ଗାଡ଼ି ପାଖକୁ ଲାଗିଥିଲେ ହୁଏତ ରକ୍ତନଦୀ ହୋଇଥାନ୍ତା ।

 

—ଡ୍ରାଇଭର କ’ଣ କହିଲା ?

 

କହିଲା ମାଲିକଙ୍କ ଘରେ ପୂଜା ହେଇ ସିନ୍ଦୂର ଭୋଗ ଆସିଲା । ଦୋହରା ପୂଜା କ’ଣ ଦରକାର ? ....କଣ୍ଡକ୍ଟର କହିଲା—ଏଇ ଆକ୍‌ସିଡେଣ୍ଟ ହେଇ ନ ଥାନ୍ତା ।

 

—ହେଇ ନ ଥାନ୍ତା ? ମୁରଲୀ ପଚାରିଲା ପୀତାମ୍ୱରଙ୍କୁ ।

 

—ବୋଧହୁଏ ସେଇଆ । ଡ୍ରାଇଭର ମନରେ ଆଶଙ୍କା ଥିଲା.... ମୁହଁଟାଣରେ ନାହିଁ ସିନା କରି ଦେଇଥିଲା । ତେବେ ସେଇ ଦକ ଦକ ମନ ପାଇଁ ହାତଟା ଆଉ ବାଁ ପାଖକୁ ଇଞ୍ଚେ ଘୁଞ୍ଚିଲା ନାହିଁ । ନିଦକ ମନ ହେଇଥିଲେ ହୁଏତ କଟେଇ ନେଇଥାନ୍ତା ।

 

—ଇଏ କ’ଣ ସମ୍ଭବ ?

 

—ଛାଡ଼ । ଚାଲ ଯିବା । ଗାଡ଼ି ଦରଜଗମ ହେଇଛି । ମାଲିକର ଲୋକସାନ ହେଇଛି । ଆମେ ଟିକିଏ ଛନକା ପାଇବା ଛଡ଼ା କାହାରି ବୁନ୍ଦାଏ ରକ୍ତ ପଡ଼ିନାହିଁ । ଗୋଟାଏ ଅନୁଭୂତି ହେଇଗଲା ତ । ମରଣ ଅତି ପାଖରେ ଚାଲିଗଲା ।

 

—ହେ । ଏମିତି କ’ଣ ମରଣ ହୁଏ ? ଯିଏ ବଞ୍ଚେ ହଜାରେ ଥର ସେ ମରୁ ମରୁ ବଞ୍ଚେ-। ମାଳ ମାଳ ଦୁର୍ଘଟଣା ପାର କରି କେତେ ଲୋକ ସାଧାରେ ବିଛଣାରେ ମରନ୍ତି-

 

—ହଁ । ସେମିତି ହୁଏତ । ପିଲାମାନେ ତାଗିଦ୍‌ କରି କହିବେ ଯେ ବସ୍‌ ଟାକ୍‌ସି ନ ଚଢ଼ିବା ଉଚିତ୍‌ ।

 

ମୁରଲୀ ଫେରି ଆସିଲା । କ’ଣ ପାଇଁ ସେ ଘଡ଼ିକ ଆଗରୁ ଏତେ ବିଚଳିତ ହେଇ ପଡ଼ିଥିଲା ସେ ଜାଣେ ନାହିଁ । ତାହାର ମନ ସଜାଡ଼ି ହେଇ ଯାଇଛି ।

 

ରାସ୍ତାରେ ସେମିତି ଗାଡ଼ି ମଟର ତାଙ୍କର ଶବ୍ଦ ଦେଇ ଦେଇ ଚାଲିଥାନ୍ତି—ଦୁର୍ଘଟଣା ଏଡ଼ାଇବାକୁ ।

 

ଦୁର୍ଘଟଣା ଭିତରେ ମଣିଷ ବଞ୍ଚିରହେ । ଆଉ ଯେତେକ ବଡ଼ ମଣିଷ ସମସ୍ତେ ଦୁର୍ଘଟଣା ଭିତରେ ମଣିଷ ।

 

ମିନି ବସ୍‌ ପାଶୋରି ଯାଇଛି । ପୀତାମ୍ୱର ବାବୁଙ୍କ କଥା ପାଶୋରି ଯାଉଛି ।

Image

 

ହକ-ପାଉଣା

 

ସିଏ ହେଉଥିଲା ସେଇ ନୂଆଁଣିଆ ଚାଳଘରେ । —ସାତ ଆଠ ଜଣ ଲୋକ ଅନ୍ୟାୟର ପ୍ରତିକାର ମାଗୁଥିଲେ ।

କୃଷ୍ଣର ଦୋକାନ ଉପରେ ମୁନିସିପାଲିଟି ଜୁଲୁମ କରୁଛି—ଜଣେ ଇନିସପେକ୍ଟର ଆସି କୃଷ୍ଣଙ୍କୁ ଧମକାଇ ଧମକାଇ ଯାଇଛି । ଏମିତି ଜାଗାରେ ଓ ଏତିକି ସରଞ୍ଜାମ ନେଇ ତମର ଦୋକାନ ଚାଲିପାରିବ ନାହିଁ ।

—କ’ଣ କରିବି ବୋଲି ପଚାରିଥିଲା ।

—କାଚ ଆଲମାରୀ ରଖିବ । ତାହାର ଭିତର ପାଖ ବନ୍ଦ ରହୁଥିବ । ଆଲମାରୀ ଭିତର ପରିଷ୍କାର ପରିଚ୍ଛନ୍ନ ଥିବ । ମାଠିଆର ପାଣି ଆଉ ପିଇବା ଗିଲାସ ସଫା ରହିବ ।

କୃଷ୍ଣ ମୁଣ୍ଡ ହଲେଇଲା । ସେ ମୋଟେ ବୁଝି ପାରୁ ନ ଥିଲା ଏଇ କଟକଣାଗୁଡ଼ାକୁ । ନିଜର ନୁଆଁଣିଆ ଚାଳଘର ଓ ମାଟିର ପିଣ୍ଡି । ସେଥିରେ ଆଲମାରୀ କାହିଁ ? ତା’କୁ ସେ ଆଣି ରଖିବ କେଉଁଠି ?

—କ’ଣ ବୁଝିଲ ?

—ନା ।

—ତେବେ ଶୁଣ ମୁନିସିପାଲିଟିର ନିୟମ । ଯିଏ ଜଳଖିଆ ଦୋକାନ ଚଳାଇବ ତାହାପାଇଁ କିଛି ନିୟମ ରହିଛି । ନ ହେଲେ ତମ ପାଇଁ ସହରରେ ରୋଗ ବଢ଼ିବ ।

—ଏତେ ଅଡ଼ୁଆ ? କୃଷ୍ଣର ଛୋଟ ବରା ଦୋକାନରୁ କଟକଣା ମାଳେ । ଯେତେ ବରା ସେ ବିକିବ ସେତିକିରୁ ଅଧିକ କଟକଣା ।...ଭାବି କହିଲା । ହଜୁର ଏବେ ତ ଖାଲି ହାତ । ପରେ ଯାଇ ଦେଖା କରିବି ।

—ହଉ, ଆସିବୁ । ଜାଣିଛୁ ନା ମୋର ଠିକଣା ?

—ନା ।

—ସେଇ ବରଗଛ ପାଖରେ ଧାଡ଼ିଏ ଘର ନୂଆ ହେଇ ମେସ୍‌ ହେଇଛି । ତାହାର ସାତ ନମ୍ୱର ଘରେ ମୁଁ ଥାଏ । ମୋର ଅଫିସ୍‌ ବେଳ ସକାଳ ଆଠଟାରୁ ସନ୍ଧ୍ୟା । କାଲି ଆସି ଦେଖା ନ କଲେ ଅସୁବିଧା ହେବ ।

ମୁନିସିପାଲିଟି ବାବୁ ଚାଲିଗଲା ପରେ କୃଷ୍ଣ ତାହାର ଦୁଃଖ ସମସ୍ତଙ୍କୁ ଶୁଣାଇଲା—ଏଇ ସଂସାରରେ ନ୍ୟାୟ କି ନିଶାପ ନାହିଁ ।

—କିଏ କହିଲା....ନାହିଁ ? ସବୁ ଅଛି ଯେ ତେବେ ଜିନିଷର କିମତ୍‌ ହେଇଗଲାଣି । ମୁନିସିପାଲିଟି ବାବୁ ଆସି ଦୋକାନ ତଦାରଖ କରି ଆସାମୀକୁ ଚିହ୍ନୋଟ କରିଗଲା । ଆଜି ଅବା କାଲି ଦେଖାଦେଖି ହେଇଗଲେ ସେ ହେଇଯିବ ଆମର ବରା କାରଖାନାର ଧର୍ମ୍ମବାପ ।

କୃଷ୍ଣ ମନ ଦୁଃଖରେ କହୁଥିଲା—ଆମ କୁଆଡ଼େ ବେମାରି ବାଣ୍ଟିବୁ ଏମିତି ଦୋକାନ କଲେ ।

—ଆଉ ? ଠାକୁରଙ୍କୁ ରିସପତ୍‌ ନ ଦେଲେ ସେ ନାଲି ଆଖି କାଢ଼ନ୍ତି । ଏଇ ବାବୁମାନଙ୍କୁ ସନ୍ତୋଷ ନ କଲେ ସେ ତାଙ୍କର ଆଇନକୁ କାମୁଡ଼ା କୁକୁର ପରି ଧୋ—ଧୋ କରି ଲଗାଇ ଦେବେ ତମରି ପଛରେ । —ଡବଲ ତେବଲ କୃଷ୍ଣିଆ ଆଇନର ଦାନ୍ତରେ ଖତମ୍‌ ହେଇଯିବେ ।

 

—ଇଏ ତ ଭାଇ ବରା—ଦୋକାନ । ତେଲ କଡ଼େଇରୁ ଛଣା ହେଇ ବିକ୍ରି ହେଲା । କେଉଁ ଜୀଅନ୍ତା ମାଛି କି ମଶା ସେଥିରେ ବସିବ ନା ଆଗ ?

 

—ଆବେ, ସେକଥା କିଏ ପଚାରୁଛି ? ବରା କହ କି ଜିଲିପି କି ରସଗୋଲା ଯାହା ବିକ-। ସବୁଗୁଡ଼ାକ ନାଁ ହେଲା ଜଳଖିଆ । ସେଥିପାଇଁ ଜଳଖିଆ ନିୟମ ଠିକ୍‌ ଆସି ଲାଗିଯାଉଛି ବାଟିଆ ଲାଗିଲା ପରି ।

 

—ଯାହା ହେଲା ହେଇଗଲା । ଆମେ ନ ଗଲେ ସେ କ’ଣ କରିବ ?

 

—ସେମିତି ଠିକ୍‌ ହେବ ନାହିଁ । ତା’କୁ କେତେ ଜଗି ହବ ? ହେଲେ ଆମେ ଦଳେ ଯିବା

 

ସନ୍ଧ୍ୟାବେଳେ ଦଳ ବାନ୍ଧି କୃଷ୍ଣ ଯାଇ ପହଞ୍ଚିଲା ବାବୁଙ୍କ ଡେରାରେ ।

 

—କିରେ ? କଥା କ’ଣ ? ଏଠି କ’ଣ ମିଟିଂ କରିବ ନା ଘେରାଉ କରିବ ?

 

ବାବୁଙ୍କର ତୋଡ଼ ଶୁଣି ଅନ୍ୟମାନେ ଛପଟି ଗଲେଣି । କୃଷ୍ଣ ଯାଇ ଚୁପ୍‌ ହେଇ ଛିଡ଼ା ହେଲା ।

 

—ସେଗୁଡ଼ାକ ଗଲେ କୁଆଡ଼େ ?

 

—ବରା ତିଆରି ଡେରି ହେଉଛି ବୋଲି ଜଗିବାକୁ ଆସିଥିଲେ । ଆପଣଙ୍କର କଥା ଶୁଣି ହତା ପାର ।

 

—ହଉ, ଯାହା ହେଲା ହେଇଛି । ଏଣିକି ଆସିଲାବେଳେ ଏକୁଟିଆ ଆସିବୁ । ସବୁ କଥାରେ ଗୁମର ଥାଏ । ....କ’ଣ ଆଣିଛୁ ?

 

ହଜୁର, ମୂଳପାଣ୍ଠି ମୋଟେ ବାର ଟଙ୍କା । —କହି ପାଞ୍ଚଟି ଟଙ୍କା ଥୋଇଲା ।

 

—ହଇରେ, ତମମାନଙ୍କ ଭଳି ଯିଏ ଦିଆନିଆ କରି ନ ପାରିବେ ଭଲା ବେପାରରେ ପଶୁଛ କାହିଁକି ?

 

—ବେପାର ? ....ବରା ବିକ୍ରି କ’ଣ ବେପାର ?

 

—ଯେତେ ଛୋଟ କାମ ସିଏ ସେତେ ବଡ଼ ବେପାର । ଅଳପକିଆ କାହାରି ଆଖିରେ ପଡ଼େ ନାହିଁ । ଏଣେ ସେଇ କରେ ବେଶି ମୁନାଫା । ....ଏତିକିରେ ହବ ନାହିଁ ।

 

ବାବୁ ଛୁଇଁଲେ ନାହିଁ ।

 

—ପରେ ଦେବି । ବେପାର ଭଲ ଚାଲିଲେ ଦେବି । ଏଇଠି ଆପଣଙ୍କର ଆଶ୍ରାରେ ଆଉ ଭରସାରେ ରହିଲି ।

 

—ହଉ । ଦବୁ । ନ ଦେଇ ଯିବୁ କୁଆଡ଼େ ? ତେବେ ଲାଭ କରିବାକୁ ହେଲେ କିଛି ଖରାପ ପଚାସଢ଼ା ମାଲ୍‌କୁ ପାର୍‌ କରିପାରିଲେ ସିନା ମୁନାଫା ପାଇବୁ ।

 

—ଲୋକଗୁଡ଼ାକ ଆଜ୍ଞା ।

 

—ଆରେ ସଢ଼ାପଚା ଖାଇଲେ କେହି ମରନ୍ତି ନାହିଁ । ବିଷ ଖାଇଲେ କି କ’ଣ ସମସ୍ତେ ମରନ୍ତି ? ଯଦି ଧର୍ମ୍ମ କରିବୁ ତାହାହେଲେ ବେପାର କରିବୁ କାହିଁକି ? ବେପାର କରିବାକୁ ମନ ଡାକିଲେ ଏତେ ଧର୍ମ୍ମ କର୍ମ କ’ଣ ? ବାବାଜୀ ହବୁ କିରେ ?

 

—ନାହିଁ ହଜୁର । କିବା ଲୋକଟାଏ ମୁଁ ଯେ–ବାବାଜୀ ହେବି ?

 

—ସେଇ ହେଉଛି ଅସଲ କଥା । ଛୋଟିଆ ମଣିଷ ସବୁଦିନେ ଛୋଟିଆ । ସେ ସାଧୁ କି ବାବାଜୀ—ପଣିଆକୁ ବି ଯୋଗାଏ ନାହିଁ । ଛୋଟିଆ ମଣିଷ ଆଗ ବଡ଼ ହୋଇ ସାଇଜ ପ୍ରକାରର ହେଲେ ତେଣିକି ସେସବୁ ହୁଏ ।

 

କୃଷ୍ଣ ଚୁପ୍‌ ରହିଲା—

 

—ହଉ ବସିଗଲୁ ଯେ । ଯା ବରା ଛାଣିବୁ । ବିକିବୁ । ପଇସା କରିବୁ । କୋଠାବାଡ଼ି କରିବୁ । ତେଣିକି ମହତ ଲୋକ ହବୁ । ....ହଁ, ମନେକରି ମତେ ଆଣି ମୋ’ ଗଣ୍ଡାକ ବୁଝାଇ ଦବୁ । ଦବୁ ତ ?

Image

 

ମନର ଫୁଲ

 

ଆମ ମଣିଷଙ୍କର ହସ ଓ କାନ୍ଦର ଅଳ୍ପ କେତୋଟି କାରଣ ଭିତରେ ଗୋଟାଏ ହେଲା ଜୀବିକା ଆଉ ଉପାୟ । ଯିଏ ଟଙ୍କା ଆଣି ନ ପାରିଲା ସେ ହେଲା ସବୁ ଆଲୋଚନାର ନାୟକ । କିନ୍ତୁ ଖାଇଲା କି ଉପାସ ରହିଲା ସେଇଟା ବଡ଼ କଥା ହୁଏ ନାହିଁ । କାରଣ କି ମଣିଷ କି ଜୀବଜନ୍ତୁ ସମସ୍ତ ଖାଇବାକୁ ପାଆନ୍ତି—ମୋଟା ବା ପତଳା ଯାହା ହେଇଥାଉ । ଖାଇବାକୁ ନ ପାଇଲେ ସେ ହୁଏ ଦେଶ ଓ ଦଶର ଖବର । ଶାସନ କଳ ଦୋହଲି ଯାଏ—ମଣିଷ ଖାଇବାକୁ ପାଇଲା ନାହିଁ । ଉପାସରେ ମରିଗଲା । ହେଲେ ବି ସେ କଥା କଦବା ଘଟେ ।

 

କିନ୍ତୁ ବେକାରୀ ହେଉଛି ସାଧାରଣ ଘଟଣା—ଖରାଦିନରେ ତାତି ଆଉ ଚତୁର୍ମାସ୍ୟାର ପାଣିପବନ ପରି । ସେଥିପାଇଁ ବେକାର ଉପାସ ରହେ ନାହିଁ । ସେ ଠିକ୍‌ ଖିଆପିଆ କରେ କିନ୍ତୁ ପଇସା କମାଇବା କାମ ପାଏ ନାହିଁ । ଅଲେଖ ବାବୁ ସେଇଥିରୁ ଜଣେ ।

 

ଖାଇବାକୁ ପାଆନ୍ତି ଅନ୍ୟକୁ ଖୁଆଇବାକୁ, ଅନ୍ୟକୁ ସଙ୍ଖୋଳିବାକୁ କେବେହେଲେ ଅସୁବିଧାରେ ପଡ଼ନ୍ତି ନାହିଁ । ହେଲେ କ’ଣ ହେଲା ତାଙ୍କୁ ତାଙ୍କର ଶିକ୍ଷା ଦୀକ୍ଷାକୁ ଚାହିଁ ତାଙ୍କୁ କାମ ମିଳିନାହିଁ ।

 

ବହୁତ ଦିନ ଏହି ଖୋଜାଲୋଡ଼ା ଧନ୍ଦାରେ ରହି ସେ କାଲୁଆ ହେଇ ଯାଇଛନ୍ତି । ବୟସ କଳିଷଠାକୁ ଛୁଇଁଲା ଆଉ କାମ କିଏ ଦେବ ? କାମ ମିଳିଲେ ବି ଅଲେଖ ବାବୁ କି କାମ କରିପାରିବେ, କେତେ ଦୂର ? ତେଣୁ ସେ ଖାଇପିଇ ଘରେ ରହିଥାନ୍ତି ।

 

ମୁହଁରେ ହସ—ଆଖିରେ କୌତୂହଳ ଆଉ ତୁଣ୍ଡରେ ଶୁଭେଚ୍ଛା ।

 

କିନ୍ତୁ ତାଙ୍କୁ ବେଳ ଭାରି ନିଅଣ୍ଟିଆ ହୁଏ । ଦୁନିଆ ଯାକର ଦାୟିତ୍ୱ ତାଙ୍କ ଉପରେ । ସେଥିରେ ପୁଣି ନିଜର ଖାନାବାଡ଼ିର ଖାଲି ଜମିରେ ବଗିଚା କରିବା ଗୋଟିଏ କାମ ।

 

ସକାଳେ ଆଉ ସଞ୍ଜରେ ସେ ସେହି କାମରେ ଲାଗିଥାନ୍ତି—ଏଠି ସେ ବସିବେ । ଘାସ ନରମ ଗାଲିଚା ପରି ହେବା ଦରକାର । ଘାସଗୁଡ଼ାକ କ’ଣ ମଣିଷର କଥା ଶୁଣନ୍ତି ନା ସେ ତା’କୁ ଜୀଆଁଇ ରଖିଛି ବୋଲି ତାହାର ମନକୁ ପାଇଲା ପରି ବଢ଼ନ୍ତି ?

 

ଏଇ ସୃଷ୍ଟିରେ ଯେତେ ରୁଆ, ବୁଣା, ପୋତା ପଦାର୍ଥ ମିଳିଲା କିଏ କେଉଁଠି କେତେବେଳେ ତାହାର ମାଲିକର ମନ ନେଇ ଚଳିଲା ଯେ..... ।

 

ଅଲେଖବାବୁ ସକାଳଯାକ ଦା ଖଣ୍ଡେ ହାତରେ ଆଉ ଓଠରେ ସିଗାରେଟ୍‌ ଧରି ଏହି ଘାସ କଟା କାମରେ ଲାଗି ରହନ୍ତି । କେହି ଦୈବାତ୍‌ ଜୁଟିଗଲେ ସେ ଦେଖନ୍ତି ଓ ବୁଝାଇ ଦିଅନ୍ତି ଯେ ଘାସ କଟା କଳ ନ ଥାଇ ସେ ଖାଲି ‘ଦା’ ମୁନରେ କୋଡ଼ି ଏହି ତାଙ୍କର ବସିବା ଜାଗାକୁ—ସଜାଡ଼ି ନରମ ଓ ସରସ କରିଛନ୍ତି ।

 

—କ’ଣ କରିବେ ଏଠି ?

 

—କାହିଁକି ? ବସିବା । କ’ଣ ପସନ୍ଦ ହେଉନାହିଁ ?

 

—ହଁ ବଗିଚାରେ ମୋର ଖୁସି । ଘାସ ବିଛଣା, ବାଲି ବିଛଣା ଏହି କାଠ ବେତର ଚୌକି ବେଞ୍ଚଠାରୁ ଭଲ ।

 

—ମତେ ବି ଭାରି ଭଲ ଲାଗେ । ସେଥିପାଇଁ ମୁଁ ଏଠି ଉପରଓଳି ବସେ । ଚା’ ଖାଏ । ସୂର୍ଯ୍ୟ ବୁଡ଼ିଗଲା ବେଳକୁ ଭାରି ଭଲ ଲାଗେ...ସେଥିପାଇଁ ପରା ଗଛ କରିଛି ।

 

—ହଁ ତ....ଏଇ ବାଡ଼ଟା ଜଙ୍ଗଲିଆ ଦିଶୁଛି ।

 

—କଥା କ’ଣ କି ? ଏଠି ଲୁହା କଣ୍ଟାର ବାଡ଼ ଥିଲା । ମୁଁ ସେଥିରେ ହାଡ଼ଭଙ୍ଗା ଗଛ ଲଗାଇଲି । ଭଲ ଔଷଧଟାଏ । ଏଇ ହାଡ଼ଭଙ୍ଗା ପରି ମାଡ଼ିଗଲାଣି ବଣ ପରି । ମୁଁ ତା’କୁ କାଟେ ନାହିଁ । ତା’ରି ପାଖରେ ଲାଭେଣ୍ଡର ଗଛ କରିଦେଲି । ଦିହେଁ ମାଡ଼ୁଥାନ୍ତୁ ।

 

—ସେଥିରେ କ’ଣ ହେବ ?

 

—ଆଃ, ଜାଣନ୍ତି ନାହିଁ ନା । ନେଳି ଆସୁଆଁ ଫୁଲ । ବହୁତ ଫୁଟେ । ସନ୍ଧ୍ୟାବେଳେ କେଡ଼େ ନରମ ସୁବାସ । ଫୁଲ କଟିଲା ବେଳେ ଦେଖିବ ଯେ ।...ଓଃ ଚାହୁଁଛନ୍ତି ଘରକୁ ନା ? —ବଣ ପରି ଲାଗୁଥିବ ।

 

—ହଁ, ସେମିତି ଲାଗୁଛି । କୋଠା ଆଉ ତା’ରି ଝରକା ପାଖକୁ ଏତେ ଗଛ । ଡର ଲାଗେ ନାହିଁ ।

 

—ମତେ ଲାଗେ ନାହିଁ । ତେବେ ଆମର ଭାଇ ହେରିକାଙ୍କୁ ଲାଗେ । ବହୁତ କଳିକଜିଆ ଯେ ସାପ ଆସିବେ । କୀଟପତଙ୍ଗ ପଶିବେ । ଭାରି ବିପଦ ।

 

—ହଁ, ତ । ଠିକ୍‌ କଥା ।

 

—ମୁଁ ସେମିତି ଭାବେ ନାହିଁ । ହେଲେ ସାପ ଆସିଲେ ଦୁର୍ଘଟଣା ହେବ । ଏଇ ସଂସାରରେ ରେଳ, ମଟର ଉଡ଼ାଜାହାଜ କେଉଁଥିରେ ଦୁର୍ଘଟଣା ନାହିଁ ଯେ । ମୁଁ କହେ ଗଛ କଟା ହେବ ନାହିଁ । ସେମାନେ କିନ୍ତୁ ବେଳେ ବେଳେ କାଟି ଦିଅନ୍ତି । କିନ୍ତୁ ଗଛଗୁଡ଼ାକ ଭାରି ପାଜି । ପୁଣି ଦି’ ମାସରେ ବଢ଼ିଯାନ୍ତି ।

 

—କି ଗଛ ?

 

—ଏଇ ଲଟା କନିଅର, ମଧୁମାଳତୀ ଆଦି । କେଡ଼େ ସୁନ୍ଦର ନ ଦିଶେ ଫୁଲ ଫୁଟିଲା ବେଳେ ? ଦେଖି ନାହାନ୍ତି ?

 

—ହଁ ଦେଖିଛି ଯେ । ବାବୁମାନେ ବହୁତ ଗଛଲଟା ତାଙ୍କର ପାଚିରି ଆଉ ପୋଟିକୋରେ ରଖିଥାନ୍ତି । କିନ୍ତୁ ସେଥିରେ ଏତେ ପାଠ ଅଛି ବୋଲି ଜାଣି ନ ଥିଲି ।

 

—ହେଇ ଦେଖିଛ । ଏଇ ହାଡ଼ଭଙ୍ଗା ବାଡ଼ ଏପାଖରେ ମୁଁ ଅନେକ ଜାତିର କ୍ରୋଟନ ଗଛ ଲଗାଇଛି । ସମସ୍ତଙ୍କର ରଙ୍ଗ ଅଲଗା । ତା’କୁ କାଟଛାଣ୍ଟ କରିଦେଲେ ଗୋଟିଏ ହାର ପରି ଦିଶିବ ।

 

—ବାଃ ।

 

—ତା’ ଏପାଖକୁ ବିଲାତି ମଦରଙ୍ଗା । ଏଇ ଗଛକୁ କାଟିଦେଲେ ଠିକ୍‌ କରି ସେଥିରେ ନମସ୍ତେ—ସ୍ୱାଗତଂ ଆଦି ଲେଖା ହେଲା ପରି ଦିଶିବ...ମୁଁ ଦାର୍ଜିଲିଂରୁ ଆସିଲାବେଳେ ଗଡ଼ନ୍ତିଆରେ ଟ୍ରେନରୁ ଏମିତି ଜଣକର ବଗିଚାରେ ଏଇ ବିଲାତି ମଦରଙ୍ଗା ଗଛରେ ଖାଲି କାଟିବାର ବାହାଦୁରିରେ ଲେଖା ହେବା ଦେଖିଛି ।

 

—ବଡ଼ ମଜ୍ଜା ତ ।

 

—ଖାଲି ଏତିକି ? ଏଠି ଲଗାଇଛି ରଙ୍ଗଣୀ ଗଛ—ନାଲି ଆଉ ହଳଦିଆ । ହଳଦିଆ ରଙ୍ଗଣୀ ବଞ୍ଚେ ନାହିଁ । ବହୁତ କଷ୍ଟରେ ଲଗାଇଛି ଆଉ ଜୀଆଁଇଛି । ଫୁଲ ଫୁଟିଲେ ଦେଖିବେ ନାଲି ଆଉ ହଳଦିଆ ଫୁଲ ଗୋଟାଏ ହାରପରି ଦିଶିବ । ଆଉ ମଝିରେ ଏଇ ହେନା ଗଛ ।

 

ଅଲେଖ ବାବୁଙ୍କର ଏଇ ଟିକାଟିପ୍‌ପଣୀ ଓ ବର୍ଣ୍ଣନା ଶୁଣି ବିରକ୍ତି ଲାଗିଲାଣି....ହେଲେ ବି ତାଙ୍କର କ୍ଳାନ୍ତି ନାହିଁ ।

 

—କାହିଁକି ଏତେ ଧନ୍ଦା ଖୋଲିଛନ୍ତି ଅଲେଖ ବାବୁ ?

 

—ଏଥିରେ ଗୋଟାଏ ଦର୍ଶନ ତତ୍ତ୍ୱ ଅଛି । ଜାଣନ୍ତି ନାହିଁ ?

 

—ନା ।

 

—ଆପଣ ଫୁଲ ବଗିଚା କଲେ କେବେ ନିଜର ଅଭାବ ଅଭିଯୋଗ ବା ଦୀନତା କି ବିଫଳତା ପାଇଁ ଈଶ୍ୱରଙ୍କୁ ଅଭିଶାପ ଦେବେ ନାହିଁ । ନିଜକୁ ମଧ୍ୟ ଛୋଟ ମନେ କରିବେ ନାହିଁ ।

 

—କଲେ କ’ଣ ବିଗିଡ଼ିବ ?

 

—ମନୁଷ୍ୟ ନିଜର ଭାଗ୍ୟକୁ ହେୟ ବିଦ୍ରୂପ କଲେ ଈଶ୍ୱର ଅସନ୍ତୁଷ୍ଟ ହୁଅନ୍ତି ଆଉ ଏଣେ ମଣିଷର ଦେହ ଖରାପ ହୁଏ । ଈଶ୍ୱର ଯାହା ଦେଲେ ସେତିକିରେ ସନ୍ତୁଷ୍ଟ ହେବା ଈଶ୍ୱରଙ୍କର ଇଚ୍ଛା–ସେଥିପାଇଁ ସେ ଦେଇଛନ୍ତି ସଂସାରକୁ ଫୁଲ—

 

—ସତେ ନା ?

 

—ଯିଏ ଫୁଲକୁ ଭଲପାଏ, ସେହି ଈଶ୍ୱରଙ୍କୁ ଭଲ ପାଏ । ମୋର ଅନୁଭବରୁ ଶିଖିଛି ଆଉ ବୁଝିଛି । ଏଇଟା ପୂରା ଠିକ୍‌ ।

Image

 

ଜୀବନର ମାୟା

 

ଦେଖାହେଲେ ଗିରିଜା ବାବୁ ଖୁସି ହୁଅନ୍ତି; ନ ହେଲେ ସେହି ପତଳା ଓଠରେ ମିଠା ହସଟିଏ ସେ ବୋଧହୁଏ ଆଣିପାରନ୍ତେ ନାହିଁ । ଜୀବନରେ ସେ ବହୁତ ଆଘାତ ପାଇଛନ୍ତି । ତାଙ୍କର ଦେଖାଚାହାଁ ସମାଜ ତାଙ୍କୁ ମଣିଷରେ ଗଣିନାହିଁ, କିନ୍ତୁ ତାଙ୍କର ଖୁଣ କେଇଟା ହିସାବ କରିଛି । ଆଉ ତାଙ୍କୁ ରଦ୍ଦି ବୋଲି କହି ଥରେ ନୁହେଁ ବାରମ୍ୱାର ଫୋପାଡ଼ି ଦେଇଛି ଠିକ୍‌ ଛତ୍ରବଜାର ପରିବା ଦୋକାନର ଖରାପ ଫଳକୁ ଗରାଖ ନ ଚାହିଁଲା ପରି ।

 

ହେଲେ ବି...ଆଘାତ କ’ଣ ମଣିଷର ପ୍ରକୃତିରୁ ସବୁ ଗୁଣ ଓ ସୌରଭ କାଢ଼ିନେଇ ପାରିବ ? ବୋଧହୁଏ ପାରେ ନାହିଁ । ସଢ଼ାପିଜୁଳି, ପଚରା ଆମ୍ୱ ଆଉ ଶୁଖିଲା ପୋଟଳ ତାହାର ନିଜ ଗୁଣ କ’ଣ ସବୁ ହରାଇ ଥାଏ ? ....ନା । କେବେ ନୁହେଁ ।

 

ଗିରିଜା ବାବୁ କାହାରି କ୍ଷତି କରିନାହାନ୍ତି । କାହାରି ମନ୍ଦ ପାଞ୍ଚି ନାହାନ୍ତି । ନିଜର ଦୁଃଖକୁ ସେ ଦୁଆର ଦୁଆର ବୁଲି ପରଶି ନାହାନ୍ତି । ଚଳନ୍ତି ନିଜ ଉପାୟରେ । ମାତବର ଭାବରେ ଚଳି ନ ପାରିଲେ ମଧ୍ୟ ନିଜର ସୁଖ ଦୁଃଖର ହିସାବ ଫର୍ଦ୍ଦ ଅନ୍ୟ ଆଗରେ ପରଶିବା ଦରକାର ପଡ଼େ ନାହିଁ-

 

ଏମିତି ହେଲାଣି ବହୁତ ଦିନ । ବେଳ କଟେ ନାହିଁ । ସଂସାରକୁ ସେ ଭଲ ପାଉଥିଲେ । କିନ୍ତୁ ସଂସାର ତାଙ୍କୁ ଠେଲି ଦେଇଛି ।

 

ପାଖ ପଡ଼ିଶା ଘରୁ ବିଲେଇ ଆସିଥିଲେ—ଆସନ୍ତି ସମସ୍ତଙ୍କ ଘରକୁ । ସେହି ପଦେ କଥା—ମିଆଁଉ ମିଆଁଉ । ଅନ୍ୟ କିଛି ସେମାନେ ଜାଣନ୍ତି ନାହିଁ । ଯିଏ ସେହି ମିଆଁଉ ଡାକକୁ କାନ ପାତିଲା ସେ ହେଲା ଖାଉନ୍ଦ । ଗିରିଜା ବାବୁ ଏମିତି ବେଉଆରିସ ବିଲେଇ ପୁଞ୍ଜାଏ ପାଳିଥାନ୍ତି । ସେମାନଙ୍କର ପାଳିବା ପାଇଁ ଅଧିକା କିଛି କରିପାରନ୍ତି ନାହିଁ; ହେଲେ ବି କେବେ ସେ ସେମାନଙ୍କୁ ଛାଟ ଧରି ଗୋଡ଼ାଇ ନାହାନ୍ତି ।

 

ସେମାନେ ତାଙ୍କର ଗଲା ଅଇଲା ବେଳେ ପାଦେ ପାଦେ ଛୁଟିଥାନ୍ତି ।

 

ଗଲାବେଳେ ରାସ୍ତାରେ ବିଲେଇ ଡେଇଁଗଲେ କାମ ଅଶୁଭ ହୁଏ ବୋଲି କେତେ ପ୍ରକାର କରନ୍ତି । କିଏ ବାଟଭାଙ୍ଗି ଫେରିଯାଏ ଅନ୍ୟ ବାଟରେ ଆସିବ ବୋଲି । ଆଉ କିଏ ପଛକୁ ଦି’ ଚାରି ପାଦ ଘୁଞ୍ଚିଯାଇ ପୁଣି ଆଗକୁ ଆସେ ନୂଆ ଅନୁକୂଳ କଲା ପରି । ଆଉ କିଏ ଫେରିଯାଏ-। ସେମିତି କିଏ ମାଡ଼ିମକଚି ଯାଏ, କିନ୍ତୁ ମନଟା ଦବୁଥାଏ ।

 

ଏହି ବିଲେଇଙ୍କର ସ୍ନେହର ଉତ୍ପାତ ଗିରିଜା ବାବୁଙ୍କୁ ଆଘାତ ଦିଏ ନାହିଁ । ପୋଷା ବିଲେଇ ଖୁସି ହେଇ ଗଲାଅଇଲା ବେଳେ ଛୁଟୁଛନ୍ତି । କାମରେ ବିଘ୍ନ ହେଲା କି ନାହିଁ—ସେ ଖବର କ’ଣ ସେମାନେ ଜାଣନ୍ତି ?

 

କ’ଣ ଅବା କାମ ? ବିଘ୍ନ ବାଧା ସେଥିରେ କ’ଣ ଏମିତି ଆକାଶ ପାତାଳ ପ୍ରଭେଦ ଆଣିବ ? ଯେତେବେଳେ ଫଳଫୁଲରି ହେବା କଥା ସେତେବେଳେ କଷି କଅଁଳିଲା ନାହିଁ । ଏବେ ସେମାନେ କ’ଣ ଆଉ କ୍ଷତି କରିବେ ?

 

ଗଲାବେଳେ ସେହିପରି ହସି ସେ ସେମାନଙ୍କୁ କହନ୍ତି—ଯା, ଘରକୁ । ମୁଁ ଆସିବି ଦି’ଘଣ୍ଟା ପରେ—ବହୁତ ଜାଗାକୁ ଯିବାର କଥା ଅଛି । ବୁଝିଲା ପରି ସେମାନେ ଫେରି ଯାଆନ୍ତି । ଗଲାବେଳେ କୁକୁରକୁ ଚାହିଁ ଚାହିଁ ଯା’ନ୍ତି—ତମେ ଯେମିତି ଆମେ ସେମିତି । ତମେ ଶିଙ୍କୁଳିରେ ରହିଛ ଆଉ ଆମେ ମେଲା—ବନ୍ଧନହୀନ ।

 

କୁକୁର ଦୁଇଟା ଧକାଉଥାନ୍ତି । ବନ୍ଧା ହୋଇ ରହିବା ସେମାନଙ୍କର କାମ । ବାବୁ ଥିଲେ ଖୋଲା ହେବାକୁ ତାଙ୍କର ଇଚ୍ଛା । ସେହି ଓଜରକୁ ବାବୁ କାନ ଦିଅନ୍ତି । ସେତେବେଳେ ଟଣାଭିଡ଼ା ହୁଏ । ବାବୁ ନ ଥିଲେ ଅନ୍ୟମାନେ ଆସି ଗୋଳମାଳ ବନ୍ଦ କରିବାକୁ ଲାଠିଚାଳନା କରିବେ—ତେଣୁ ପାଟି କରିବା ମାନେ ମାଡ଼ ମୁଲାଇବା ।

 

କୁକୁରମାନେ କାମକୁ ପାଇଲେ ନାହିଁ । ଆସିଥିଲେ ଜାତିଆ ନାଁ ନେଇ । ଦେଖାଗଲେ ଅଜାତିଆ । ଗୋଟାଏ ସେଥିରୁ ଡରୁଛି ପୋଷା ପାତିମାଙ୍କଡ଼କୁ । ଦିହେଁ ଦୁହିଁଙ୍କୁ ଚିଡ଼ନ୍ତି । ପୋଷାମାଙ୍କଡ଼ ଖୁଣ୍ଟରେ ବନ୍ଧା ହୋଇ କୁଦା ମାରୁଥାଏ । କୁକର ଦିଓଟି ଚାହିଁ ରହିଥାନ୍ତି ।

 

ମାଙ୍କଡ଼ ଏମିତି ଚାରିହାତ, ଜଞ୍ଜିର ଭିତରେ ଦିନଯାକ କସରତ କରୁଥାଏ । କ’ଣ ଆଉ କରିବ ? ଖେଳିବାକୁ କେହି ନାହିଁ । ମାଙ୍କଡ଼ ତା’କୁ ଦେଖିଲେ ତା’ ପିଠିରେ ସବାର ହୋଇ ବସିବ । ତାହାର କାନକୁ ଧରିଥିବ ।

 

ସେତିକିବେଳେ କୁକୁର ଟାଉଟାଉ କରି ମାଙ୍କଡ଼କୁ ଦିଆହୋଇଥିବା ଖାଇବା ଜିନିଷ ଖାଇଦେବ । ସେଇଠୁ ମାଙ୍କଡ଼କୁ ଧମକଦେଇ ତା’ ପିଠିରୁ ଓହ୍ଲାଇ କାମରେ ଚାଲିଯିବ ।

 

ଗୋଟିଏ କୁକୁର ଏମିତି ବୁଦ୍ଧି ଦେଖାଉଥାଏ । ସେଥିପାଇଁ ଗିରିଜାବାବୁ ତା’କୁ ଶାସନ କରନ୍ତି । ମାଙ୍କଡ଼ର ସେତିକି ଖାତିର ନ ଥାଏ । ଟିକିଏ ଖେଳିବାର ସୁବିଧା ପାଇଁ ସେ ଖୁସିରେ ତାହାର ଖାଇବା ଥାଳିକୁ ଦେଇଦିଏ କୁକୁରକୁ । ମାଙ୍କଡ଼ ମନେକରେ ଯେ, ଖାଇଲାବେଳେ ସେଇ କୁକୁର ଭାଇ ଖେଳିବାକୁ ଆସେ ।

 

....ଆସୁ । ଦି’ଟା ଖାଉ । ଖେଳିଛି ତ ।

 

ଆର କୁକୁର ଚାହିଁରହେ ହିଂସାରେ । ସେ ପାଖେ ପଶେ ନାହିଁ । କ’ଣ ଗୋଟାଏ କରିବ ବୋଲି ଭାବି ବୋଧହୁଏ ଅନ୍ୟ କିଛି ନ ପାଇ ମାଙ୍କଡ଼ର ଲଣ୍ଡିତକ ଖାଇଦିଏ ।

 

ମାଡ଼ ଖାଏ । —ଏଇଟା କ’ଣ ବଞ୍ଚିବ ? ଓଲୁଟା ହେଇ ବସିଛି । ଆଉ ସୁବିଧା ପାଇଲେ ପ୍ରଥମେ ଯାଇ ମାଙ୍କଡ଼ ଲଣ୍ଡିକୁ ଶେଷ କରି ଦେଉଛି । ଆରଟା ଖେଳୁଛି । ମାଙ୍କଡ଼ର ଖାଇବାରେ ଭାଗ ବସୁଛି । ହେଲେ ବି ମାଙ୍କଡ଼କୁ ଘୋଡ଼ା ପରି ପିଠିରେ ବସାଇ ସେ ଯେ ବୁଲୁଛି–ସେତକ ଗୋଟାଏ ମଜା ଦେଖିବା କଥା ।

 

ମାଙ୍କଡ଼ଟି ଖୋଜୁଥାଏ ଗିରିଜାବାବୁଙ୍କୁ । ପାଖରେ ପାଇଲେ ଗଛ ଚଢ଼ିଲା ପରି ଚଢ଼ିଯିବ-। ଓହ୍ଲାଇବାକୁ ବହୁତ ଭିଡ଼ କରେ ।

 

ଓହ୍ଲାଇଲା ପରେ ଗିରିଜାବାବୁ ଧୋଇ ହୁଅନ୍ତି । ମାଙ୍କଡ଼ ଏତେ ଆଦର ଖୋଜୁଥିଲେ ମଧ୍ୟ ସଫାସୁତୁରା ରହିପାରେ ନାହିଁ । ଦୂରରୁ ଚାହିଁ ଦେଖେ ସେ ଓହ୍ଲେଇଗଲେ ଗିରିଜାବାବୁ ଧୋଇ ହେଉଛନ୍ତି ।

ଅନ୍ୟମାନଙ୍କର ଆଗ୍ରହ ଓ ଆଦର ଊଣା ହେଲେ ବି ଏହି ସାମାନ୍ୟ ପଶୁ କେତୋଟି ଗିରିଜାବାବୁଙ୍କର ସମସ୍ତ ସମୟକୁ ନଖଟ କରି ଦେଉଥିଲେ । ସେମାନଙ୍କର ପୂରା ଦାବି ରହିଛି ଗିରିଜାବାବୁଙ୍କ ଉପରେ ।

ବିଲେଇ ଆସି ଗୋଳମାଳ କରେ । କୋଠା ଉପରେ ବହୁତ ପାରା ଖୁନ୍ଦିହୋଇ ରହିଛନ୍ତି-। ଦି’ଟା ଗୋଟାଏ ଖିଆଯିବ ।

ଦୋତାଲା ଉପରକୁ ଯିବାପାଇଁ ଦୁଇଟା କବାଟ ଫିଟିବ । ବିଲେଇ ଖୋଲିପାରିବ ନାହିଁ-। ଗିରିଜାବାବୁଙ୍କ ସାଙ୍ଗରେ ଜିଦି କଲାପରି ଅଳି କଲାପରି ଲାଗିଯାନ୍ତି । ମିଆଁଉ ମିଆଁଉ ହୋଇ ଏପାଖ ସେପାଖ ଯାଇଁ କବାଟର ଜଞ୍ଜିରକୁ ଚାହାନ୍ତି । ଯେମିତି ହେଲେ କବାଟଫିଟା ନ ହେବା ଯାଏ ଅଥୟ କରିଦିଅନ୍ତି ।

ତା’ପରେ ଆଉ ଗିରିଜାବାବୁ ସହିପାରନ୍ତି ନାହିଁ । ବେକ ଫୁଲାଇ ପରା ଘୁମୁରି ଘୁମୁରି ଆସନ୍ତି । ମରଣକୁ ଭୟ ନଥାଏ । ଏମିତି ମେଲାରେ ବାଜ ଛଞ୍ଚାଣ ଆଖି ଆଗରେ ପରିବାର ବଢ଼ୁଛି-। କେତେ ଏମିତି ବିଲେଇ ପେଟରେ ହଜିଛନ୍ତି । କ’ଣ ଯାଏ ଆସେ ? ଉପରର ପର ଯେମିତି ଇନ୍ଦ୍ରଧନୁର ରଙ୍ଗ, ଧଳା କାଗଜର ରଙ୍ଗ ଦେଖାଉଛି । ....ବେକତଳେ ରୁମ ସେମିତି ଚିକ୍‌କଣ....ଆଖି ସେମିତି ଛୋଟ ଆଉ ନାଲି, ଥଣ୍ଟ ସେମିତି ଦୁର୍ବଳ ।

ବିଲେଇ ଯାଇ ଶିକାର କରନ୍ତି । ପେଟ ପୂରିଯାଏ । ମନର ଚଟକ ମରିଯାଏ । ବାବୁ ଖୁସି ହୁଅନ୍ତି ବିଲେଇର ବୁଦ୍ଧି କଥା ବିଚାରି । ବିଲେଇ ଆନନ୍ଦ ହୁଏ ନିଜର କୌଶଳକୁ ପରୀକ୍ଷା କରି-। ପାରା ସେମିତି ଉଡ଼ିଯାନ୍ତି ଉପରକୁ, ପୁଣି ଫେରି ଆସନ୍ତି ଘୁମୁରିବା ପାଇଁ । କିଏ ଗଲା କି ରହିଲା ସେ ଖବର ବୁଝିବାକୁ କିଏ ଅଛି ଯେ ସେଠି ସେ ଖବର ନେଇ ଆନ୍ଦୋଳନ ହେବ ?

କୋଠା—ପଲସ୍ତରା ଟୋଲକେଇ ଖସିଲା ପରି ପାରା ଦଳରୁ ଦି’ଚାରି ମୂର୍ତ୍ତି ଅନ୍ତର ହୋଇଯାନ୍ତି । ସେଥିରେ କବିତାର ଝର ଫୁଟେ ନାହିଁ । ଉଡ଼ନ୍ତା ପାରାର ପକ୍ଷୀ ଖସିଲା ପରି ସେହି ପାରା ଖୁଆଡ଼ରୁ କିଛି ଶେଷ ହୁଏ ମାତ୍ର ।

ଛୋଟ ପୁଅ ଭାରି ଚିଡ଼ୁଛି ଏଇ ବିଲେଇଙ୍କ ଉପରେ । ବାପା, ତଡ଼ ସେମାନଙ୍କୁ । ଆମ ଘରେ ଛୋଟ ପିଲା;....ଡିପ୍‌ଥେରିଆ ଆଣନ୍ତି ବିଲେଇମାନେ ।

—ଆରେ, ମତେ କହିଲେ ମୁଁ ବିଲେଇ ରୁମ ଖାଇପାରିବି । ବିଲେଇ ରୁମରେ ଡିପଥେରିଆ ନାହିଁ । ବିଲେଇ ବାହାରକୁ ଯାଇ ନିଜ ଦେହକୁ ରୋଗ ଆଣିଲେ ଏଠି ସିନା ବେମାରି ଆସିବ ।

ଭାରି ବିରକ୍ତ ହୁଏ ସେହି ପୁଅ । ବିଲେଇଙ୍କୁ ଦେଖିଲେ ମାଡ଼ ଚଢ଼ାଏ । ଗିରିଜାବାବୁଙ୍କର ଦେହରୁ ଖଣ୍ଡେ ଖସିପଡ଼େ ଯେମିତି । ଏମାନଙ୍କର ଦୋଷ କ’ଣ ? ମାରିଲେ କ’ଣ ଏମାନେ ଯିବେ-?

ଭାରି ବିରକ୍ତ ହୁଏ କୁକୁରଙ୍କ ଉପରେ—ଏଗୁଡ଼ାକ ପେଟବେମାରିର ଭାରବାହୀ । ତଡ଼ ଏମାନଙ୍କୁ ।

—ଆରେ ଏତେ ଲୋକ କୁକୁର ପୋଷୁଚନ୍ତି ?

—ବେମାରିରେ ପଡ଼ି ପଇସା ଖର୍ଚ୍ଚ କରିବେ ବୋଲି ।

—ଆଚ୍ଛା, ମୁଁ କୁକୁର ସାଙ୍ଗରେ ଏକାଠି ରହିବି । ମୋଟେ ଦେହ ଖରାପ ହେବ ନାହିଁ ।

—ନ ହେଲେ ନ ହେଉ । ମୋ’ ପାଖ ଦେଇକି ମୋର ବସିବା ଜାଗାକୁ କୁକର ଆସିଲେ ମୁଁ ତାଙ୍କର ଅଣ୍ଟା ଭାଙ୍ଗିବି ।

ସାନବାବୁଙ୍କର ପାହାର ଖାଇ କୁକୁର ଧାଇଁ ଆସନ୍ତି ଗିରିଜାବାବୁଙ୍କ ପାଖକୁ । କାନ୍ଦି କାନ୍ଦି ପଚାରନ୍ତି—ଆମର ଦୋଷ କ’ଣ ? କାହିଁକି ସାନବାବୁ ପିଟିଲେ ?

ଗିରିଜାବାବୁଙ୍କର ଆଖି ମେଘୁଆ ହୋଇଆସେ । ବୃଥାରେ ତାଙ୍କପାଇଁ ଏହି ନିରୀହ ବିଲେଇ କୁକୁର ମାଡ଼ ଖାଉଛନ୍ତି । ଏମାନେ ଏଠି ରହିବେ କେମିତି ? ମଣିଷର ଏହି ବେମାରିର ଭୟ ହେଲା ପ୍ରକୃତରେ ମାୟା—ଜୀବନର ମାୟା ଆଉ ମାୟାର ଭେଳିକି ।

କିଏ ନ ଜାଣେ ? ପିମ୍ପୁଡ଼ି ଅଳିଆ ଗଦାରୁ ରୋଷେଇ ଘରକୁ ଧାଡ଼ି ବାନ୍ଧିଛି । ଘରଚଟିଆ ଖତଗଦାରୁ ପୋକ ସାଉଁଟି ଭଣ୍ଡାର ଘରେ ଚଳପ୍ରଚଳ ହେଉଛି । କାଉ ନାନା ଅଖାଦ୍ୟ ଖାଇ ମେଲା ବାଲଟିରେ ଥଣ୍ଟ ଧୋଉଛି । ମାଡ଼ କାହିଁ ? ପ୍ରତିକାର କାହିଁ ? ଆଉ ଏହି ବିଲେଇ, କୁକୁର ମାଡ଼ ଖାଇଲେ କ’ଣ ରୋଗର ପ୍ରତିକାର ହୋଇପାରିବ ? ଜୀବନର ମୋହ କ’ଣ ଏମାନେ ଭାଙ୍ଗି ଦେଇପାରିବେ ?

Image

 

ଜୀବନର କାକଳି

 

କେତେଶହ ବର୍ଷର କେଜାଣି କେତେ ଲୋକଙ୍କର ଆଶା ନିରାଶାର ପଟୁଆର ବୋହି ଏଇ କାଠଯୋଡ଼ି ବନ୍ଧ ଠିଆ ହୋଇ ରହିଛି । ଏହାର ବନ୍ଧ ପଡ଼ିଶାରେ ଯେତେ ଗଛ ଥିଲା, ସେଥିରୁ ଅଧିକରୁ ବେଶି ମରିଗଲେଣି । ତାଙ୍କର ଖବର କେହି ରଖିନାହିଁ । ପୁରୀଘାଟ ଫାଣ୍ଡି ସାମନା ମଶାଣିଟି ଉଠିଯାଇଛି ପୂର୍ବକୁ ପ୍ରାୟ ମାଇଲିଏ । କିନ୍ତୁ ରାସ୍ତା ଯେମିତି ଥିଲା ସେମିତି ରହିଛି—ପୁରୀଘାଟ ଫାଣ୍ଡିରୁ କଚେରୀ ଫାଟକ ଯାଏ ।

 

ନଈରେ ଏ ବର୍ଷ ହାଉଯାଉ ନାହିଁ ଡଙ୍ଗାର । ସେଥିପାଇଁ ଘାଟ କାଳୀ, ଘାଟ ଗଣେଶ, ଘାଟ ମହାବୀର, ସେମିତି ଆଉ ପଚରାଉଚରା ଅବସ୍ଥାରେ ନାହାନ୍ତି । ପୁରୀଘାଟ ଫାଣ୍ଡି ଥିଲା ପୁରା କଟକ ସଦର ଥାନା ଅଞ୍ଚଳର ମାଲିକ । ଏବେ ସେ ହେଇଯାଇଛି ଲାଲବାଗ ଥାନାର ଗୋଟାଏ ସୀମା ସରହଦର ଫାଣ୍ଡି ।

 

କିନ୍ତୁ ରାସ୍ତାର ଭାଉ ବଢ଼ିଛି । ସିଧା ରାସ୍ତା....ଲୋକଗହଳି ବହୁତ କମ୍‌ । କାରଣ ଘର ବୋଧେ ମୋଟେ ଶହେ । ତେଣୁ ଏଇଟା ହେଇଯାଇଛି ଗୋଟିଏ ସଦର ରାସ୍ତା ସରକାରୀ ବସ୍‌, ଘରୋଇ ଟ୍ରକ୍‌ ଆଉ ସ୍କୁଟର, ମଟର ସାଇକେଲମାନଙ୍କ ପାଇଁ ।

 

ଏହି ରାସ୍ତାକୁ ଆଦରି ଯେଉଁ କଲିଜିଏଟ୍‌ ସ୍କୁଲ ଓ ମାଇନର ସ୍କୁଲ ଥିଲା, ଏବେ ତାହାରି ସାଥୀ ହେବାକୁ ଶିକ୍ଷକ କଲେଜ, ଶିକ୍ଷକ ସ୍କୁଲ, ବାଳିକା ସ୍କୁଲ ଆଦି ଗଢ଼ିଉଠିଛି । ସେଥିପାଇଁ ପାଠପଢ଼ା ପିଲାଙ୍କର ଯିବା ଆସିବା ରାସ୍ତା— ।

 

ଏଠି କଦବା କେବେ ଦୁର୍ଘଟଣା ଘଟେ । କେହି ଏଠି ଗାଡ଼ିଚାପାରେ ମରିବା ଶୁଣାଯାଇ ନାହିଁ । ଓଲଟି କାଠଯୋଡ଼ିରେ ଖରାଦିନ ହେଲେ ବି ବର୍ଷକୁ ମୁଣ୍ଡଟିଏ ବଡ଼ବୁରୁଜ ବା ଫତେମୁଖା ବୁରୁଜର ଆଖପାଖରେ ଧରିନିଏ ।

କୁନି କୁନି ପିଲାଏ ବହି ବାକ୍‌ସ ଓ ବହିର ଥଳି ଧରି ଯିବା ଆସିବା କରନ୍ତି । କଟକ ସହରର ରାସ୍ତା ଭିତରେ ନିଶ୍ଚୟ ଇଏ ଗୋଟିଏ ଲୋକଗହଳିଆ ନିରାପଦ ରାସ୍ତା ।

ବାପା ଦାଦାମାନେ ପାଠ ପଢ଼ିଲାବେଳେ ସେଇ ରାସ୍ତାରେ ଯାଇ ଆସି ମାଇନର ସ୍କୁଲ ଓ ହାଇସ୍କୁଲ ପାଠ ପଢ଼ିଥିଲେ । ସେଇ ରାସ୍ତାରେ ଏବେ ପୁଅ ଯିବ ।

ସହର ଆଉ ତାହାର ଚଳଣି ବଦଳି ଗଲାଣି । କେବେ ଚାଳିଶ ପଚାଶ ବର୍ଷ ତଳେ ନାଲି ଗୋଡ଼ି ରାସ୍ତା ଥିଲା ସିନା ଏବେ ହେଲାଣି କଳା ପିଚୁ ରାସ୍ତା । ସେତେବେଳେ ଯୋତା ଚଟି ପିନ୍ଧାଳି ଲୋକ କାଣ୍ଟନମେଣ୍ଟ ଅଞ୍ଚଳରୁ ଆସୁଥିଲେ । ଏବେ ସମସ୍ତଙ୍କର ପାଦରେ ଖଣ୍ଡେ ଚମଡ଼ା କି ରବର ରହିଛି ।

—ପୁଅରେ । ଏଇ ରାସ୍ତାରେ ଏତେ ପିଲା ଯାଉଛନ୍ତି ଯିବୁ—ଆସିବୁ ।

—ନା, ମୋତେ ଡର ମାଡ଼ିବ । ମୁଁ ଯିବି ନାହିଁ ।

—ତେବେ କ’ଣ ପଢ଼ା ବନ୍ଦ କରିଦେବା ।

—ହଁ ।

ପାଠପଢ଼ା ବନ୍ଦ ହେବ କେମିତି ? ପାଠ ହେଉଛି ସହରର, ଚାକିରିର ଆଉ ଜୀବନର ଗୋଟିଏ ମଝବୁତ୍‌ ଅବଲମ୍ୱନ । ସେମିତି ହୋଇ ପାରିବ ନାହିଁ—ପାଠ—ଡରୁଆ ଓ ରାସ୍ତା—ଡରୁଆ ବି ପାଠ ପଢ଼ିବେ । ଏତେ ପାଖରେ ଏତେ ଭଲ ସ୍କୁଲ ରହିଛି । ଅନ୍ୟଠାକୁ ଅବା ପଢ଼ିବାକୁ ଯିବେ କାହିଁକି ? ....ସୁବିଧାର ସଦୁପଯୋଗ ହେଉଛି ପ୍ରାଣୀର ଧର୍ମ ।

ବେଶ୍‌ ହେଲା । ପୁଅ ବି ଚାଲିଲା ବାପା ସାଙ୍ଗରେ ରିକ୍‌ସାରେ ବସି । ବାପା ଯିବ ତାହାରି କାମକୁ—ପୁଅ ବି ଯିବ ପାଠ ପଢ଼ିବାକୁ । ହେଲା ଏବେ, ସେ ଏକୁଟିଆ ସେଇ ବାଟରେ ଚାଲିବ ଶିଖିବ ନାହିଁ । ସେଥିରେ କ’ଣ ଜୀବନ ବୃଥା ହେଇଯିବ ?

ଏତକ ପୁଅଟି ଶିଖାଇ ପାରିଲା—ଇଏ କ’ଣ ଗୋଟାଏ ବଡ଼ ଅନୁଭବ ନୁହେଁ ?

ଅନୁଭବର ପାହାଚ ବି ଅନେକ । ଏହାର ବାଙ୍କ ଚାହାଣୀ ବି ବହୁତ ପ୍ରକାରର ।

ରିକ୍‌ସାରେ ଗଲାବେଳେ ପୁଅ ବସି ବସି କହେ—କହିଲ ବାପା, ଏଇଟା କି ମଟର ? ଆମ୍ୱାସଡ଼ର ନା ଫିଆଟ୍‌ ? ମୁଁ ତାହାର ଶବ୍ଦରୁ କହିଦେଇ ପାରୁଛି ।

—ଇଏ ବି ତ ମନ୍ଦ ନୁହେଁ । ରିକ୍‌ସାର ଆରୋହୀ ମଟର ବିଷୟରେ ଖୁବ୍‌ ଭଲ ସାଧାରଣ ଜ୍ଞାନ ବଢ଼ାଇଛି ।

—ହେଇ ଦେଖ ବାପା, ଏଇ ମଟରରେ ସବୁଦିନେ ବେଶ ପୋଷାକ ପିନ୍ଧି ଚପରାସୀ ଯାଏ ।

 

—ହଁ ।

 

—କିଏ ସେ ବାପା ?

 

—ସେ ଜଣେ ଜଜ୍‌ ।

 

—ମୁଁ ଦେଖନ୍ତି । ସେ ଦେଖିବାକୁ କେମିତି ?

 

ପୁଅର କୌତୂହଳ ବୁଝିବାକୁ ଆନନ୍ଦ ଲାଗେ । ରିକ୍‌ସାରେ ଚଢ଼ି ମଟରର ହର୍ଣ୍ଣରୁ ତାହାର ତିଆରି ଜାଣିଲା । ସେଥିରୁ ମଟର ଆରୋହୀଙ୍କୁ ଚିହ୍ନିଲାଣି ।

 

ଭାରି ଖୁସି ହୁଏ ଜଜ୍‌ ସାହେବଙ୍କର ମଟରକୁ ଦେଖିଲେ । ଜଜ୍‌ ସାହେବଙ୍କର ଗାଡ଼ି ଆସିନାହିଁ । ତାହାହେଲେ ସ୍କୁଲ ଘଣ୍ଟା ପଡ଼ି ନଥିବ । କେମିତି ସେ ଠିକ୍‌ ସମୟରେ ଯାଆନ୍ତି ? ତାଙ୍କର କ’ଣ ଘଣ୍ଟା ପଡ଼େ ?

 

—ନା, ସେ ଆଗରୁ ଯାଆନ୍ତି ।

 

—ବାଃ, ସବୁଦିନେ ଠିକ୍‌ ସ୍କୁଲ ବେଳାରେ ତ ।

 

ଯେଉଁଦିନ ଜଜ୍‌ ସାହେବଙ୍କର ମଟରକୁ ବାଟରେ ସେ ପାଏନାହିଁ, ସେଦିନ ସେ ଆଗରୁ କରାର କରେ ତା’କୁ ନେଇ କ୍ଲାସ ପିଣ୍ଡାରେ ଛାଡ଼ିବାକୁ । ଡେରିହେଲେ ସାର୍‌ ମାରିବେ ।

 

ଘରର ଘଡ଼ି ଆଉ ବାପ ମା’ଙ୍କର ତଦାରଖକୁ ବେଖାତିର କରି ଜଜ୍‍ ସାହେବଙ୍କର ମଟରକୁ ସେ ନିଜର ମନର ନିଶାଣ କରି ପାରୁଥିଲା । ଏଇ ତ କମ୍‌ ଉନ୍ନତିର ଲକ୍ଷଣ ନୁହେଁ । ବଡ଼ ହୋଇଥିବା ଲୋକଙ୍କୁ ଆଉ ବଡ଼ ହେବାର ଯୋଗ୍ୟତାକୁ ଯିଏ ଜାଣତରେ ଅବା ଅଜାଣତରେ ସମର୍ଥନ ଦେଇ ସେହି ସମର୍ଥନକୁ ଧରିପାରେ, ସିଏ ତ ସଂସାରର ଉପଯୁକ୍ତ ମଣିଷ ।

 

ଏଇ ଅନୁଭବ ବି ବେଶ୍‌ ଆମୋଦ ଦିଏ । ବାପା ମନ ଭିତରେ ବେଖାତିର ଅଭ୍ୟାସ କରୁଥିଲା ଯେ ପୁଅ ଆରମ୍ଭରୁ ଖାତିର କରିବା ଶିଖି ଯାଉଛି ।

 

ରାସ୍ତାରେ ଦଳ ଦଳ ହୋଇ ପଢ଼ାପିଲା ଯାଉଛନ୍ତି ।

 

—ଦେଖରେ ପୁଅ, ଏମାନେ କେଡ଼େ କୁନି କୁନି ପାଦରେ ଚାଲି ଯାଉଛନ୍ତି । ତାଙ୍କର ହାତ ଥକି ପଡ଼ୁନାହିଁ । ବହି ବାକ୍‌ସ ବୋହି ଚାଲୁଛନ୍ତି ।

 

—ଚାଲୁଥାନ୍ତୁ ।

 

—କାଲିଠାରୁ ସେମାନଙ୍କ ସାଙ୍ଗରେ ଗଲେ ଭଲ ହବ ।

 

—ମୁଁ ସ୍କୁଲକୁ ଯିବି ନାହିଁ ।

 

—ଆଉ କ’ଣ ବାବୁ ହେଇ ଯାଇପାରିଲେ ପଢ଼ିବୁ ।

 

—ହଁ ।

 

ଇଏ ବି ବେଶ୍‌ ଗୋଟାଏ ବଡ଼ କଥା । ଯିଏ ନିଜକୁ ଅପରଠାରୁ ଭିନ୍ନ ବୋଲି ଦୃଢ଼ ଧାରଣା କରେ, ସେ ଜଣେ ସାର୍ଥକ ଓ ସଫଳ ମଣିଷ । କାରଣ ତାହାର ବଡ଼ ପାଇଁ ଖାତିର ଅଛି ଆଉ ଛୋଟ ପାଇଁ ସମାନ ବେଖାତିର ରହିଛି ।

 

ବାପା ଚାହୁଁଥିଲା ପୁଅକୁ । ପୁଅ ଏଣେ ଚାହୁଁଥିଲା ରାସ୍ତାକୁ । କ’ଣ ଦରକାର ବାପା ସାଙ୍ଗରେ ଯୁକ୍ତି କରିବା ? ବାପା ତାହାର ସାହାଯ୍ୟ କରି ଯାଉଥାଉ ।

 

ଏମିତି ଯିଏ ଅନ୍ୟର ସାହାଯ୍ୟକୁ ସୁବିଧାରେ ହାତ ପଇଠ କରିପାରେ, ସେ ହେଉଛି ବଢ଼ନ୍ତା ମଣିଷ । ପିଲାଟିଏ ହେଲେ କ’ଣ ହେଲା—ମାତ୍ର ଜ୍ଞାନ ମନ୍ଦ ନାହିଁ ।

 

ବାପ ପରି କଳା କୋଟ ପିନ୍ଧା ଲୋକଙ୍କୁ ନେଇ ଆଉରି ଅନେକ ମଟର ଯାଏ । ପୁଅ ସମସ୍ତଙ୍କୁ ଲକ୍ଷ୍ୟ କରି ପଚାରେ ସେମାନଙ୍କର ପରିଚୟ ।

 

କିନ୍ତୁ ସେମାନଙ୍କ ବିଷୟରେ ଅଧିକ ଉତ୍ସାହ ଦେଖାଏ ନାହିଁ । —ଆହା ବିଚରା ବାପାଟା ମଟର କରି ପାରିନାହିଁ । କାଳେ ତାହାର ମନରେ କଷ୍ଟ ଆସିବ । କିନ୍ତୁ ସେ ପ୍ରତିଦିନ ଲକ୍ଷ୍ୟ ରଖେ କେଇଜଣ କଚେରୀ ଲୋକ ମଟରରେ ଯାଉଛନ୍ତି ।

 

ବାପାକୁ ସହାନୁଭୂତି ଦେଖାଇ କିଛି କହେ ନାହିଁ । ଦିନେ ଦିନେ କହେ ସେ ନିଜେ ଗୋଟାଏ ମଟର କିଣିବ ।

 

—ଏଁ, ମଟର ? କ’ଣ କରିବୁ ?

 

ଚୁପ୍‌ ରହିଯାଏ । ଏଇ କଥାଟା ବାପା ପାଖରେ ତା’କୁ ସତ ଜଣାପଡ଼େ ନାହିଁ ।

 

ବାପା ଚାହେଁ ପୁଅର ଆଠ ବର୍ଷର ମୁହଁକୁ । ସେଇ ଆଖି ଦୁଇଟିରେ ସେ ଦେଖିଲା କେତେ କେଜାଣି ଏତେ ସୁନ୍ଦର ବ୍ୟାବହାରିକ ଜ୍ଞାନ ଦେଖାଇ ପାରିଲାଣି ।

 

ଜଜ୍‌ ସାହେବଙ୍କ ମଟର ଥରେ ଚାଲିଗଲା ବେଳେ ସେ ପଚାରି ବୁଝିଲା ତାଙ୍କର ଦରମା କଥା ।

 

—ଦିନକୁ ଶହେ ଟଙ୍କାରୁ ବେଶି ପାଆନ୍ତି ।

 

—ଏଁ, ଦଶ ହଜାର ପଇସା ?

 

ବାପା ଚାହିଁଥାଏ ପୁଅ ନିଶ୍ଚୟ ପଚାରିବ—ବାପା କେତେ ପାଉଛ ?

 

କାହିଁ ସେ ପ୍ରଶ୍ନ ? ଆଠବର୍ଷରେ ସେ ଭଲ କରି ବୁଝିଲାଣି ଯେ, ବାପା ସେମିତି ଯୋଗ୍ୟ ନୁହେଁ । ଏତେ ଲୋକ ମଟରରେ କଚେରି ଯାଉଛନ୍ତି । କିନ୍ତୁ ସେ ଯାଉଛି ରିକ୍‌ସାରେ ।

 

ପ୍ରତିଦିନି ବାପା ଭାବେ—ଦିନେ ନା ଦିନେ ପୁଅ ଅଭିଯୋଗ କରି ପଚାରିବ—ବାପା ତା’କୁ ମଟରରେ ନବା ଆଣିବା କରିବ କି ନାହିଁ ?

 

ଏମିତି ଦିନପରେ ଦିନ ଚାଲିଲା । ପ୍ରତିଦିନ ନ ହେଲେ ବି ବହୁତ ଦିନ ଜଜ୍‌ ସାହେବଙ୍କର ମଟର ସହିତ ମୁଲାକାତ ହୁଏ ପୁଅର । ତାହାର ଆଖିର ପିତୁଳା ଦୁଇଟି ଚକ୍‌ ଚକ୍‌ କରେ ଆନନ୍ଦରେ । ସେ ଦିନର ସ୍କୁଲ ଯିବା ସତେ ଯେପରି ସାର୍ଥକ ହୋଇଛି ।

 

ସାମନାରେ ରିକ୍‌ସାବାଲାର ପିଠି ଦିଶେ—ସେଠି ଥାଏ ଛିଣ୍ଡା କମିଜ ଅବା ଖାଲି ଦେହ-

 

ପାଖରେ ବାପାର ଦେହ ଲାଗି ରହିଥାଏ—ଜଣେ ନିପାରିଲା ଲୋକର ଦେହ । ଗୋଟାଏ ଉତ୍ସାହୀ ଓ କୌତୂହଳୀ ପିଲାର ମନର ଖୋରାକ ପୂର୍ଣ୍ଣ କରିବାକୁ ଅକ୍ଷମ ।

 

ଘଣ୍ଟାରେ ଦଶଟା ବାଜିଲା ବେଳକୁ ବାପପୁଅ ସଜ ହୁଅନ୍ତି ଯିବା ପାଇଁ—ରିକ୍‌ସା ଡକାହୁଏ । ରିକ୍‌ସାରେ ବସି ସେହି କାଠଯୋଡ଼ି ବନ୍ଧର ରାସ୍ତାରେ ଯାଆନ୍ତି ।

 

ବାପା ଚାହେଁ ପୁଅର ମୁହଁକୁ—କେଉଁଦିନ ସେ ତାହାର ମନର ରାୟ ଶୁଣାଇବ । ବାପାଟା ଗୋଟାଏ ସାଧା ଆଦମି । ଅନ୍ୟମାନେ ବେଶ୍‌ ବୈଚିତ୍ର୍ୟମୟ ।

 

କାହିଁ ପଚାରୁ ନାହିଁ ତ । ତା’ର ମନରେ କ’ଣ ଏଇ ପ୍ରଶ୍ନ ଉଠୁନାହିଁ ? ନା, ସେ ତା’କୁ ନିଜର ଅସୀମ ଦରଦ ଓ ସହାନୁଭୂତିରେ ଚାପି ଦେଉଛି । ନା, ସେହି ପ୍ରଶ୍ନ ଅନୁଚିତ ପ୍ରଶ୍ନ ବୋଲି ସେ ମନ ଭିତରୁ ଫୋପାଡ଼ି ଦେଉଛି ?

 

କାଠଯୋଡ଼ି କୂଳର ବୁଢ଼ାବର ଓ ଓସ୍ତ ଗଛରେ କାଉ ମେଳା ମେଳା ହୋଇ ବସା କଲେଣି । ବାଣୁଆର ଛରରାରେ ଗୋଟାଏ ଅଧେ ମରା ହୁଅନ୍ତି ବାଜେ ହୋଟେଲର ଚଢ଼େଇ ମାଂସ ପାଇଁ । ତଥାପି ଗଛ ନ ମିଳିବାରୁ ଚଡ଼େଇଗୁଡ଼ିକ ନିଜର ବିପଦ ଆପଦକୁ ବିଶେଷ ମନ ନ ଦେଇ ସେହି ଗଛ କେଇଟିକୁ ଆଦରି ରହନ୍ତି ।

 

ଏଇ କ’ଣ ତେବେ ଜୀବନ ? ଅପରର କୁହା ଓ ଅକୁହା ସାର୍ଟିଫିକେଟକୁ କିଛି ନୁହେଁ ବୋଲି ନିଜକୁ ବୁଝାଇ ମନାଇବା କ’ଣ ଜୀବନ ? ଛୋଟିଆ ପିଲାଟିଏ କ’ଣ ଜୀବନର ଅଟକଳ ନେବାକୁ ଅକ୍ଷମ ?

Image

 

ପାଠର ଅକ୍‌କଲ

 

—ବେଳ ଖରାପ । ମାଢ଼େ ମାଢ଼େ ଟଙ୍କା ଖର୍ଚ୍ଚ କରି ପୁଅକୁ ହରେକ ଜାଗାରେ ପଢ଼ାଇଲୁ । ସେ ଏବେ ଆମ ଉପରେ ଢିରା ଦେଇ ଛିଡ଼ାହେଲାଣି ।

 

—ଏଇ ପଢ଼ା ଖରାପ । ପିଲାଙ୍କୁ ଯୋଗା କରିବା ପାଇଁ ପାଠ ଦରକାର କି ନୁହେଁ, ସେଇକଥା ଏବେ ବୁଝା ଯାଉଛି । ସମସ୍ତେ ମୂର୍ଖ ଦୋଷ କଟେଇବାର ନା ଦେଲେ ପାଠପଢ଼ା । ଏବେ ପଣ୍ଡିତଙ୍କ ମେଳରେ ଭଲ ପଣ୍ଡିତ ଜଣେ ଖୋଜିବା ଖାଲି ପରିଶ୍ରମ ସାର ।

 

ବାପା ଚିଡ଼ିଗଲେ ଏଇ କଥା ଶୁଣି ତାଙ୍କର ବନ୍ଧୁଙ୍କ ଉପରେ । ବନ୍ଧୁ ଅଳ୍ପ ପଢ଼ିଥିଲେ ବୋଲି ବେଶି ମାତବର ହୋଇଗଲେ । ଏଇ କଥାକୁ ଭୁଲ ବୋଲି ଦେଖାଇବାକୁ ବିଜନ ବାବୁ ତାଙ୍କର ପୁଅକୁ ଭଲକରି ପଢ଼ାଇଥିଲେ । କିନ୍ତୁ ଫଳ ହେଲା ଏକା । ଲେଖା ପଢ଼ା ବିଜନ ବାବୁଙ୍କର ପୁଅ ଭଲ ପଢ଼ିଲା । କିନ୍ତୁ ସେହି ଏକା ଭାଗ୍ୟ ନେଇ ଆସିଲା—ମୂର୍ଖର ଭାଗ୍ୟ ନେଇ ।

 

ବିଜନବାବୁ ଚୁପ୍‌ ହୋଇ ରହିଯିବାରୁ ବନ୍ଧୁ ଜିତେନ ବାବୁ ହସି ହସି କହିଲେ—ପାଠ ପଢ଼ି ଟଙ୍କା କାଢ଼ିବା ଯେମିତି କଷ୍ଟ ଠିକ୍‌ ସେମିତି ପ୍ରତିଦିନ ମନ୍ତ୍ର ବୋଲି ଠାକୁରଙ୍କୁ ପାଇବା ଏକାପରି କଷ୍ଟ । ଦୁଇଟାଯାକ ଭୁଲ ବାଟ ।

 

—ଗୋଟାଏ ପରାମର୍ଶ ଦେଲେ । କ’ଣ କଲେ ଆମର ପିଲା ମଣିଷ ହେବେ ?

 

—ଇଏତ ଅତି ସରଳ କଥା । ସବୁ ବେପାରୀ ଯାହା କରୁଛନ୍ତି । ପିଲାଙ୍କୁ ପଢ଼ାଉଛନ୍ତି–ପଣ୍ଡିତ ବନିବା ଆଗରୁ କାଢ଼ି ଆଣୁଛନ୍ତି । ଭଲ ପୋଷାକ ପିନ୍ଧାଇ ବାବୁକରି ଛାଡ଼ୁଛନ୍ତି–କିନ୍ତୁ ଏଣେ ଦୋକାନ ଝାଡ଼ିବା କାମଟି ପିଲାପାଇଁ ରଖୁଛନ୍ତି । ସେତକ ନ ହେଲେ ପିଲାଦ୍ୱାରା ହିସାବ ଖାତା ଲେଖାଉଛନ୍ତି । ସେମାନଙ୍କର ପାଠ ତାଙ୍କର କାଳ ହେଉ ନାହିଁ ।

 

—ହଁ, ସତରେ କଥାଟା ଠିକ୍‌ । ଭାବି ପାରୁ ନଥିଲି । ତେବେ ପ୍ରତିଦିନର ଦେଖା କଥା ତ । ଏକା ପାଠର ଯୋଗ୍ୟତା ନେଇ ବର୍ଷକୁ ଆମେ ଦୁଇଶହ ଚାରି ଶହ ହାକିମ ହେଉଛୁ । ପାଠ ସମାନ—ବୟସ ସମାନ । ତାଙ୍କ ଭିତରେ ଦଶ ପଚିଶି ଜଣ ଉପରକୁ ଉଠୁଛନ୍ତି ତ ।

 

—ପାଠ ଉଠାଏ ନାହିଁ କାହାରିକୁ । ଦଶଖଣ୍ଡ ବହିରୁ ଯିଏ ପଚାଶ ଧାଡ଼ି ତୁଣ୍ଡରେ ରଖେ, ସେ ନିଜକୁ ବୋଲାଏ—ପାଠୁଆ । କିନ୍ତୁ ତୁଣ୍ଡରେ ଆଉଡ଼େଇ ନ ପାରିଲେ ବି ଯାହାର ଯେତେ ଅକଲ୍‌ ସେ ସେତେ ସହଜରେ ଉଠେ ।

 

ବିଜନବାବୁ ମନେ ମନେ ଚିଡ଼ିଉଠିଲେ ଅକ୍‌କଲ କଥା ଶୁଣି । ତାଙ୍କୁ ତାଙ୍କର ଘରେ ସ୍ତ୍ରୀ, ପୁଅ ବନ୍ଧୁ ବାନ୍ଧବ ସମସ୍ତେ ତାଚ୍ଛଲ୍ୟ କରନ୍ତି ଏଇ ଅକ୍‌କଲ ବିଷୟରେ ।

 

ଜିତେନ ବାବୁ ହସି ହସି କହିଲେ—ପାଠଟା ଠିକ୍‌ କି ନୁହେଁ ଜାଣିବାକୁ ଏଇ ସଂସାର ଗୋଟାଏ ପରୀକ୍ଷା ଚଳାଇଛି । ଲୋକଟା ପାଠୁଆ କି ନୁହେଁ ବୁଝି ହୁଅନ୍ତା ନାହିଁ । ସାର୍ଟିଫିକେଟ୍‌ ଠିକ୍‌ ମାପ ନୁହେଁ । ସମସ୍ତେ ସାଢ଼େ ପାଞ୍ଚ ଫୁଟ୍‌ ବୋଲି ଜାଣିଲେ ମଧ୍ୟ କିଏ ଚାଲି ପାରିବ, କିଏ ଧାଇଁ ପାରିବ, କି କିଏ ଛୋଟ ବୋଝଟିଏ ଓହଳାଇ ନେଇ ପାରିବ...କହି ହୁଏ ନାହିଁ ।

 

—ମୋ’ ପୁଅକୁ ହେଲେ ଏତକ କହନ୍ତ ।

 

ପୁଅ ଡକାହେଇ ଆସିଲା—ବାହାର ଲୋକଙ୍କ ଆଗକୁ ଡକା ହେବାରୁ ସେ ବିରକ୍ତ । ଏଣେ ଡର ଯେ, ସେ ବେକାର ହୋଇ ରହିଛି ସେଇକଥା ରଜଘସ ହବ । ବାପା ଜଣେ ବେ—ଅକ୍‌କଲ ।

 

ସେ ଆସୁଣୁ ନ ଆସୁଣୁ ଜିତେନ ବାବୁ ହସି ଡାକିଲେ—ଆସ ବାବୁ, ଆସ । ଅନେକ ଦିନରୁ ତୁମକୁ ଦେଖି ନାହିଁ । ମୋରି କାମରେ କିଛି ଦିନ କିଛିଟା ସାହାଯ୍ୟ କରି ପାରିବ କି ?

 

—କେଜାଣି ? ଆପଣଙ୍କର କାମରେ ସାହାଯ୍ୟ କରିବାକୁ ମୁଁ କ’ଣ ଯୋଗ୍ୟ ?

 

—ନିଶ୍ଚୟ । ଲେଖାପଢ଼ା ଲୋକ ଯାହା କରିପାରିବେ ତା’କୁ ମୂର୍ଖମାନେ କ’ଣ ପାରିବେ-?

 

ବାବୁ ହସିଲେ । ସେ ଜଣେ ପାଠୁଆ ଲୋକ । ପାଠୁଆ ଲୋକ ସବୁବେଳେ ହସନ୍ତି ।

 

—କାମ ? କହିଲ ?

 

—ମୁଁ ଜାଣେ ନାହିଁ ।

 

—ପାଠପଢ଼ା ଲୋକ ଏଇସବୁ କଥା ପଚାରେ ନାହିଁ । କାରଣ ତାହାର ନିଜ ଉପରେ ବହୁତ ଆସ୍ଥା । ସେ ସବୁ କାମ କରି ଦେଇ ପାରିବ ।

 

ବାବୁ ପୁଣି ହସିଲେ । ସେ ପ୍ରକୃତରେ ଜଣେ ପାଠୁଆ ଲୋକ ବୋଲି ଏମିତିକା ପ୍ରଶ୍ନ ପଚାରି ନଥିଲେ ।

 

ଜିତେନ ବାବୁ ସେମିତି ସହଜ ଭାବରେ କହିଲେ—ମୁଁ ସବୁବେଳେ ମୋର ଜାଗା ଉପରେ ରହି ପାରୁନାହିଁ । ମୋର ନିଜର ଲୋକ ହୋଇ ଜଣେ ସରଜମିନ୍‌ରେ ରହିଲେ ମୋର ସୁବିଧା ଆଉ ସେ ଲୋକର ବି ଲାଭ । ଆସିବ ?

 

—ହଁ ।

 

—ତେବେ କାମ ଟିକିଏ ଭିଡ଼ । ପର ଲୋକଙ୍କୁ ଆମେ ନେଇ ଆମ କାମରେ ଖଟାଉ । ତାଙ୍କଠାରୁ ସମୟ ମୁତାବକ ମାପ ଓଜନ ଅନୁସାରେ କାମ ନେଲେ, ନିଜର ବେଳ ଅବେଳର ଜ୍ଞାନ ରହେ ନାହିଁ । ଦିନେ ଦିନେ ସକାଳୁ ସନ୍ଧ୍ୟାଯାଏ ଖାଡ଼ା ଉପାସ ରହିଯିବାକୁ ପଡ଼େ । ପାରିବ ତ ?

 

ବିଜନବାବୁ ଆଗ ପଡ଼ି କହିଲେ—ଏଇ କାମକୁ ବାବୁ ପାରିବ ନାହିଁ । ତା’କୁ ଭାରି ଭୋକ । ଖାଇବା ବେଳ ଦଶମିନିଟ୍‌ ଏପାଖ ସେପାଖ ହେଲେ ସେ ଅଥୟ ହୋଇପଡ଼େ ।

 

—ହବାର କଥା । ପେଟ ଚାଖଣ୍ଡକର ଭଲ ପାଇଁ ଆମେ ସମସ୍ତେ ପ୍ରାଣପଣ କରି ଖଟୁଛୁ । ଯାହାକୁ ଭୋକ ଲାଗେ ନାହିଁ, ସେ କିଛି ହୁଏ ନାହିଁ । ଆମର ବାବୁ ଯେତେବେଳେ ଭୋକ ହେଲେ ଆତୁର ଓ ଅଥୟ ହୋଇ ପଡ଼ୁଛନ୍ତି, ନିଶ୍ଚୟ ସେ ଉନ୍ନତି କରିବେ । କ’ଣ କହୁଛ ବାବୁ ?

 

—କାମ ନଥିଲେ ଭୋକ କରେ । ନିଦ ଲାଗେ । ସେଥିପାଇଁ ପରା ବେକାରର ଭୋକ ଆଉ ନିଦ ବେଶି ।

 

—ଠିକ୍‌ କଥା । ତେବେ ବେକାର ସେ ହୁଏ କେମିତି ? ଆମେ ଜାଣୁ ଅଳସୁଆମି ହେଉଛି ବେକାରିର ମୂଳ ।

 

ବାବୁ ପ୍ରତିବାଦ କଲା—ସେ ଅଳସୁଆ ନୁହେଁ ।

 

ଜିତେନବାବୁ ଓ ବିଜନବାବୁ ଦିହେଁ ଚାହିଁଲେ ବାବୁ ମୁହଁକୁ—ସେ କେମିତି କ’ଣ କହୁଛି ବୁଝି ପରଖିବା ପାଇଁ ।

 

ଜିତେନ ବାବୁ ହସି କହିଲେ—ମୁଁ ଏବେ ଭାରି ଅଳସୁଆ ହେଇ ଗଲିଣି । ରାତି ତିନି ଚାରିଘଡ଼ି ହୋଇଗଲେ ମୋର ଖାଲି ହାଇ ଉଠେ । ଦିନ ଦି’ଚାରି ଘଡ଼ି ହେଲେ ବି ବିଛଣା ଛାଡ଼ିପାରେ ନାହିଁ—ତୁମେ ବାବୁ, ଏସବୁ କରୁ ନଥିବ ।

 

ବିଜନ ବାବୁ ପୁଅ ତରଫରୁ କହିଲେ, ବାବୁ ଉଠେ ଡେରିରେ କିନ୍ତୁ ରାତିରେ ବି ସେ ଶୁଏ ବହୁତ ଡେରିରେ । କିଛି କାମ ନାହିଁ—ସେଥିପାଇଁ ତାହାର ବହୁତ ଚିନ୍ତା । ଚିନ୍ତା ଥିଲେ ନିଦ ହବ କୁଆଡ଼ୁ ?

 

ମନ ଖୁସି ହୋଇଗଲା ଯେ ତାହାର ଅଭାବଟା ଭଲ ବୋଲି ବାପାଙ୍କର ମତ । ବାପାଙ୍କର କଥାକୁ ବନ୍ଦ କରି ଦେବାକୁ କହିଲା—ଭାବିବାକୁ ମତେ ଭଲ ଲାଗେ ।

 

ଜିତେନ ବାବୁ କଥାକୁ ଶେଷ କରିବାକୁ ନ ଦେଇ ପଚାରିଲେ—କ’ଣ ସବୁ ଭାବ ?

 

—ଏମିତି ?

 

—ତାହାର କ’ଣ ରୂପ ରେଖ ନାହିଁ ?

 

—ହଁ, କ’ଣ ମୁଁ କରିବି ସେଇକଥା ଭାବେ ।

 

—କେତେଦିନ ଏମିତି ଭାବିଲଣି ?

 

—ପଢ଼ା ଶେଷ ହେଲା ଦିନୁ ।

 

—ତେବେ ତ ତିନିବରଷ ହେଇଯିବ ।

 

ବାପ ପୁଅ ଦିହେଁ ଏକା ସାଙ୍ଗରେ ହଁ ମାରିଲେ—ତାଙ୍କରି କଥା ପଡ଼ିଛି । ସେଇ କଥା କେଡ଼େ ତାରିଫ୍‌ ସେତକ ଜିତେନ ବାବୁ ବୁଝୁଛନ୍ତି । ବିଜନ ବାବୁ କହିଲେ ଦେଖୁନାହଁ, ସେ କେତେ ଶୁଖିଗଲାଣି । .....ଶୁଣୁ ଶୁଣୁ ବାବୁ ବି ଟିକିଏ ଭିଡ଼ି ମୋଡ଼ି ହେଇଗଲା । ସେ ପ୍ରକୃତରେ ଦେହରେ ଦୁଃଖୀ ବୋଲି ବୁଝାଇଦେବାକୁ ।

 

ବିଜନ ବାବୁ ଖୁସି ହୋଇ କହିଲେ—ବହୁତବେଳ ହେଇଗଲା । ଚା’ ଆସୁ ?

 

—ହଉ । ଆଉ କ’ଣ ଅଛି ?

 

—କିଛି ନଥିବ ?

 

—ତା’ହେଲେ ପିଆଜି ଆଣ ।

 

ଏଁ, ପିଆଜି ? ତେଲ କ’ଣ ମିଳୁଛି ? ସେଥିରେ କ’ଣ ଦେହକୁ ହିତ ହବ ?

 

—କେଜାଣି ଭାଇ, ମୁଁ କ’ଣ ଜାଣେ ସେ ସବୁ କଥା । ଦେଖୁଛି ତ ଲୋକଟିଏ ପିଆଜି ଛାଣୁଛି । ଭାରି ଭଲ ବୋଲି ତା’କୁ ଗରାଖ ନେଇ ଯାଉଛନ୍ତି । ସେଥିପାଇଁ ସେ ଘଣ୍ଟାର କଣ୍ଟାକୁ ଜଗି ପିଆଜି ଛାଣୁଛି । ସେହି କଡ଼େଇରୁ ଭାର ଉଠିଲା ବେଳକୁ ଗରାଖଙ୍କର ପତର ଠୋଲା ସାରିଦିଏ ।

 

କେଉଁଠି ସେ ଦୋକାନ ? ଆମେ ଜାଣୁ ହେ ।

 

ସେଇ ନାଲି ସିନ୍ଦୂର ମରା ଠାକୁରଙ୍କର ପାଚିରି ପାଖରେ ମୁନିସିପାଲିଟିର ବିନା ଅନୁମତିରେ ତାଳ ପତ୍ରର ବରଡ଼ା ତାଟି ଘେରାଉ କରି ଲୋକଟି ଦୋକାନ ଦେଇଛି । ମୁନିସିପାଲିଟି ତା’କୁ ବନ୍ଦ କରି ନାହିଁ । ଗରା ବି ସେଠି ଭିଡ଼ ହେଉଛନ୍ତି । କହୁଥିଲା ଯେ ଦିନକୁ ସେ ଅଢ଼େଇ ଶହ ଟଙ୍କାର ପିଆଜି ବିକେ ।

 

ତାହାହେଲେ ଦିନକୁ ଟଙ୍କା ଶହେ ସେ କମଉଥିବ ।

 

ତା’ହା ହେବା କଥା । ସେଇଆ ବି ତାହାର ଅଟକଳ । ସବୁ ପ୍ରକାରର କାଉ ଶାଗୁଣାଙ୍କୁ ଦେଇ ନେଇ ବୋଧଶୋଧ କରି ସେ କୁଆଡ଼େ ଦିନକୁ ପଚାଶ ଟଙ୍କାରୁ ସତୁରି ଟଙ୍କା ରୋଜିନା ପାଏ । ଦେହରେ ଲୁଗା ନାହିଁ; କିନ୍ତୁ ସେ ଦିନକୁ ନିଜର ଖାଇବାରେ ଖରଚ କରେ ପନ୍ଦର ଟଙ୍କା ।

 

ବିଜନ ବାବୁ ଚମକି ପଡ଼ିଲେ—ତାଙ୍କର ମୋଟ ମଜୁରି ଦିନକୁ କୋଡ଼ିଏ ଟଙ୍କା । ପୁଅ ବେକାର । ସେ ନିଜେ ବାବୁ । କିନ୍ତୁ ଖାଇବା ବେଳେ ସେ ତରକାରି ପାଆନ୍ତି ନାହିଁ ବୋଲି ଗୁଣ୍ଡା ଠେଲିବାକୁ ପାମ୍ପଡ଼ ଓ ଆଚାରର ସାହାଯ୍ୟ ନିଅନ୍ତି ।

 

ପୁଅ ବି ଏଣେ ଭାବୁଥିଲା—ଚାକିରି ଖୋଜି ଖୋଜି ପାଦର ଚମଡ଼ା ଆଉ ଗୋଡ଼ର ଜୋତା ଘୋରିହୋଇ ଯାଇଛି । ଏଣେ ପିଆଜି କରିବା ଲୋକ ହକ୍‌ ହକିୟତ; ସ୍ଥାୟିତ୍ୱ କିଛିକୁ ଖାତିର ନ କରି ନିଜ ହାତରେ ନିଜକୁ ଗଢ଼ି ଆମର କଲେକ୍‌ଟର ଓ ଜଜ୍‍ଙ୍କ ପରି ଜଣେ ହୋଇଯାଇଛି ।

 

ବାବୁ ନିଜେ ଜଲେ ପିଆଜି ଆଣିବ । ଆଉ ସେ ଲୋକଟାର କଳବଳ କୌଶଳ ଠଉରେଇ ପାରିବ ।

 

ଟିକିଏ ଅଡ଼ୁଆ ଲାଗୁଥିଲେ ବି ବାବୁ ବାହାରିଲା ନିଜର କୌତୂହଳ ମେଣ୍ଟାଇବା ପାଇଁ ।

 

ପିଆଜି ନେଇ ଫେରିଲା ।

 

—କ’ଣ ଦେଖିଲ ?

 

ଓଃ, ଏତେ ଲୋକ, କହୁଥିଲା ଯେ ତେଲ ବେସନ ସବୁ ମହଙ୍ଗା ହୋଇଯିବାରୁ ସେ ଗରାଖଙ୍କୁ ରଖି ପାରୁନାହିଁ । ସମସ୍ତେ ଖୋଜୁଛନ୍ତି ଭଲ ଜିନିଷ ଆଉ ଶସ୍ତା....ଏଣେ ସରକାର କହୁଛନ୍ତି ଭଲ ଖରାପର ବିଚାର ଆଣୁଛନ୍ତି ଏଇ ବିରୋଧୀ ଲୋକେ ।

 

ବିଜନ ବାବୁ କହିଲେ—ଓଃ ସରକାର କଥା ଛାଡ଼ । ସରକାରର ମତ ହେଲା ଯେ, ଯେଉଁ ଜିନିଷ ଯେତେ ନୀରସା ତାହାର ଦାମ ସେତେ ଅଧିକ ।

 

—ହଁ ହବ ନାହିଁ ? ସରସାକୁ ନୀରସା କରିବାରେ କ’ଣ ମେହନତ ଲାଗେ ନାହିଁ କି ? ଜିତେନ ବାବୁ କହିଲେ ।

 

ବାବୁ ଖାଲି ମୁରୁକି ହସ ଦେଲେ ।

 

ତାହାର ହସ ହସ ମୁହଁକୁ ଚାହିଁ ଜିତେନ ବାବୁ ପଚାରିଲେ କ’ଣ ବାବୁ, ଆସିବ ମୋ ସାଙ୍ଗରେ ?

 

ବିଜନ ବାବୁ ଚାହିଁଥିଲେ ପୁଅର ମୁହଁକୁ, ସେ କି ଜବାବ ଦେବ ଶୁଣିବେ ।

Image

 

ଛୋଟିଆ ପଣତ

 

ହଠାତ୍ ପାଖ କୋଠରୀ ରେଡ଼ିଓରେ ଗୀତ ବାଜିଉଠିଲା ।

 

‘‘ନୁହେଁ ସୁପ୍ତ, ନୁହେଁ ମୃତ୍ୟୁ, ନୁହେଁ ଅବସାନ ।

 

ନାରାୟଣ ପାଦପଦ୍ମେ ହୋଇଛି ପ୍ରୟାଣ ।’’

 

କହୁଥିବା କଥା ବନ୍ଦ କରି ସତ୍ୟବାଦୀ କାନ ଦେଲା ସେଇ ଆଡ଼କୁ ।

 

କ୍ଷମାନିଧି ବାବୁ ହସି କହିଲେ—କ’ଣ ଶୁଣୁଛ ? —ଭଲ ଗୀତଟିଏ । ବଙ୍ଗଳା ଓ ଓଡ଼ିଆ ସମାନ ବୋଲି ଦେଖୁଥିଲି । ସରଳ ଭାଷା ସବୁ ଭାଷାରେ ସମାନ । ଏଇ ବିଭକ୍ତି ଓ କାରକ ଭାଷାକୁ ଅଲଗା ଅଲଗା କରିଦେଇଛନ୍ତି ।

 

—ମତେ ରେଡ଼ିଓ ଗୀତ ଶୁଣିବାକୁ ଭଲ ଲାଗେନାହିଁ । ଗାଇବା ଲୋକକୁ ଆଖିରେ ନ ଦେଖିଲେ ସଙ୍ଗୀତର ଆନନ୍ଦ କମ୍‌ ହୋଇଯାଏ । ତାହା ଛଡ଼ା ! ...ଛାଡ଼ ।

 

—କ’ଣ କହି ଆସୁଥିଲେ ରହିଗଲେ ।

 

—ନାହିଁ, ରେଡ଼ିଓକୁ ମତେ ଭଲ ନ ଲାଗିବାର ଆଉ ଗୋଟିଏ ବ୍ୟକ୍ତିଗତ କାରଣ ଥିଲା-

 

—କି କାରଣ ? ରେଡ଼ିଓ ଗୋଟିଏ ଯନ୍ତ୍ର । ସେଥିନେଇ କ’ଣ କାହା ସାଙ୍ଗରେ ମନ ଫଟାଫଟି ହେଲା କି ? ଏଇଟା କ’ଣ ନିଜର ନୁହେଁ ?

 

—ହଁ, ମୋରି ରେଡ଼ିଓ ଯେ....ତେବେ ଏଇ ଅଳ୍ପଦିନ ତଳେ ମତେ ଆକାଶବାଣୀ ଯାହା ହଲାପଟା କରିଛି, ଭାବିଲେ ଭାରି ରାଗ ଲାଗେ ।

 

—ଏଁ, ଆକାଶବାଣୀ ହଲାପଟା । ହଁ, ହୋଇଥିବ ! ସେମାନେ ଯେଉଁଠି ରେକର୍ଡିଂ, ସେଇ ଘରଟାକୁ ମୁଁ କହେ ଗୋଟିଏ ନିବୁଜ ଗାରଦ । ତାହା ଭିତରୁ ଆସିଲେ ଅମୁହାଁ ଗହୀରରୁ ବାହାରିବା ପରି ଲାଗେ । କ’ଣ ହେଲା ?

 

—ସେ କଥାକୁ କିଏ ପଚାରେ ? ଲେଖକ ଲେଖିଲା ବେଳେ ପୋଖତୀଙ୍କ ପରି ଥଣ୍ଡା ଗରମକୁ ଖାତିର ନକରି ଖାଲି ତାହାର ପିଲା କଥା ଭାବେ । ମା’ ରକ୍ତମାଂସ ଦେଇ ଅନ୍ତଫାଡ଼ି ପିଲାକୁ ଆଣେ । ଲେଖକ ମଧ୍ୟ ସେମିତି ତାହାର ଶକ୍ତିସାମର୍ଥ୍ୟ ଦେଇ କଳ୍ପନାର କଣ୍ଢେଇ ଗଢ଼ିଥାଏ-। ସେମିତିକା ଗୋଟିଏ କଥା—

 

—କ’ଣ ହେଲା ? ଲେଖିଲେଣି ଏତେ ?

 

ସେଇ କଥା ପରା ବିଡ଼ମ୍ୱନା ? ଦିନେ ସକାଳେ ମାଟିଆ ଲଫାଫାରେ ଆକାଶବାଣୀର ସିଲ ମୋହର ଦେଖି ଚମକି ପଡ଼ିଥିଲି । ...ଲଫାଫା ଭିତରେ ପାଇଲି ଗଳ୍ପଟିଏ ଦେବାକୁ ଅନୁରୋଧ—ଦଶମିନିଟ୍‌ ଲମ୍ୱା ଆଉ ଦାମ୍‌ ହେବା ପଚିଶି ଟଙ୍କା ।

 

—ବାଃ, କ’ଣ ଚାଲିଗଲାଣି ପ୍ରୋଗ୍ରାମ । ସାହିତ୍ୟ ସଂସଦ ଥିଲା ବୋଧହୁଏ ?

 

—ଯାହା ଥାଉ ମୁଁ ଭାବିଲି ଗୋଟିଏ ସୁନ୍ଦରିଆ ଗଳ୍ପ ଲେଖିବି । ତା’କୁ କେହି ପଢ଼ିବେ ନାହିଁ ଆଖିରେ । ଖାଲି ଶୁଣିବାକୁ ହେବ କାନରେ । ....ଅଡ଼ୁଆ ଲାଗୁଥାଏ । ହେଲେ ବି ସମସ୍ତେ ଯାଇ ଲେଖୁଛନ୍ତି ମୁଁ ବି ଲେଖିଲି ।

 

—ଅଡ଼ୁଆ କ’ଣ ହେଲା ?

 

—ବହୁତ କାଟଛାଣ୍ଟ କରି ମନକୁ ଠିକ୍‌ କଲି । କଲମ ଚାଲିଲେ ତ ହବ । ଓଡ଼ଣ ପେନ୍‌ସିଲ କାଗଜ ଉପରେ ଅଗଭଙ୍ଗା ହେଲା ପରି ଦଶମିନିଟ୍ ଲମ୍ୱା କଥା ଭାବୁଭାବୁ ଗଳ୍ପର ଆରମ୍ଭ ଥରକୁ ଥର ଝୁଣ୍ଟିଲା....ସେଇଠୁ ମନକୁ ଟାଣ କରି ଗୋଟାଏ ଲେଖିଲି ଯେ ହେଲା ପଚିଶି ମିନିଟ୍‌ର ଲମ୍ୱ ।

 

—ଏଁ, ତା’କୁ ଚଳାଇଲେ କେମିତି ?

 

—ସେଇଠି ହେଲା ବିଡ଼ମ୍ୱନା । ଥୋଡ଼ାଏ କାଟି ପକାଇଲି । ପୁଅକୁ ଦେଲି ଉତାରିବା ପାଇଁ । ବହୁତ କଷ୍ଟରେ ସେ କାମଟି ପୂରା କଲା । ହେଲା ଅଠର ମିନିଟ୍‌....ଏଣେ ମୋର ଦରକାରୀ ଜିନିଷ ଅନେକ କଟିଗଲାଣି....ଅଠର ମିନିଟ୍‌କୁ ଦଶକୁ ଆଣିବାକୁ ପୁଣି ବହେ ସଂଶୋଧନ କଲି । ଗୋଟାଏ ନକଲ କରିବାକୁ ଝିଅକୁ ଦେଲି । ....ନକଲ ପଢ଼ିଲା ବେଳକୁ ଚଉଦ ମିନିଟ୍‌ । କାମକୁ ଅଚଳ ।

 

—ଆଉ ଗୋଟାଏ ଲେଖିଲେ ନାହିଁ ?

 

—ସେତକ ଚେଷ୍ଟା ନ କରି ପୁଣି ଥୋଡ଼ାଏ କଟେଇଲି । କପି ଅଲରା ହୋଇଗଲାଣି । ସେଇଠୁ ବୋହୂଙ୍କୁ ଅନୁରୋଧ ଜଣେଇଲି । ଗୋଟିଏ ନକଲ ପାଇଁ । ଆଜ୍ଞା ଶିରୋଧାର୍ଯ୍ୟ କରି ସେ ଯାହା କରିଦେଲେ ତା’କୁ ପଢ଼ିଲା ବେଳକୁ ବାରମିନିଟ୍‌....ମୋର ଫକାସି ଉଡ଼ିଲା । କାରଣ ନକଲ କରିବା ଲୋକ ତିନିଜଣ ଶେଷ ହେଲେଣି, ଆଉ ମୋର ପ୍ରିୟ ପଦାର୍ଥର ପ୍ରାୟ ସମୁଦାୟ ଅଂଶ କଟାକଟିରେ ଉଡ଼ି ଗଲାଣି ।

 

...ପୁଣି ତାଞ୍ଛିଲି । ନକଲ ଦରକାର । ଏଇ ଧନ୍ଦାରେ ଆଉ ସାହାଯ୍ୟକାରୀ ଖୋଜିବାକୁ ସାହସ ଖଟିଲା ନାହିଁ । କାରଣ ନକଲ କରିବା ଲେଖିବାଠାରୁ କଷ୍ଟକର କାମ । ସେଥିରେ ପୁଣି ପର ଲେଖାର ନକଲ । ସିଏ ବାପ, କି ଶଶୁର ଅବା ପ୍ରିନସ୍‌ପାଲ ଯିଏ ହୋଇଥାନ୍ତୁ ।

 

ନିଜେ ସେଇ କାମରେ ଲାଗିଲି ।

 

ସେଥିରେ ପୁଣି ଧରା ପଡ଼ିଲି ପୁଅ ପାଖରେ—ବାପା, ନିଜେ କ’ଣ ଲେଖିଲଣି । ମୋର ଲେଖାଟା....

 

—ହଁ ରେ ପୁଅ । ତୋର ଅକ୍ଷର ଦୂରରୁ ଦେଖିବାକୁ ଭାରି ସୁନ୍ଦର, କିନ୍ତୁ ପଢ଼ିଲା ବେଳକୁ ଜଣାଯାଏ ଯାହା, କ’ଣ ଆଉ କହିବି ?

 

ସେ ରାଗିଗଲା । ହଁ ଏହି ଅକ୍ଷରକୁ ଏମ୍‌.ଏ. ଯାଏ ସମସ୍ତେ ପସନ୍ଦ କଲେ । ଏବେ ତୁମେ ଗାଳି ଦବନାହିଁ କାହିଁକି ? ଦେଲ ମୋର ନକଲଟା ।

 

—ନାହିଁରେ ପୁଅ, ଚିଡ଼ିଗଲୁ କି ? କଥା କ’ଣ ନା ମୋର ବାଜେ ଅକ୍ଷରକୁ ମୁଁ ଯେମିତି ପଢ଼ିପାରେ, ଅନ୍ୟର ଭଲ ଅକ୍ଷରକୁ ସେମିତି ଟାଉଟାଉ ପଢ଼ିପାରେ ନାହିଁ । ଆକାଶବାଣୀରେ ପରା ପଢ଼ିବି....ସେଥିରେ ଘଣ୍ଟାକଣ୍ଟାରେ ଦଶ ମିନିଟ୍‌—ଊଣା ସିନା ହବ । ଅଧିକ ନୁହେଁ ।

 

—ଓ, ସେ କଥା ନ କହି ମୋର ଲେଖା ଅକ୍ଷରକୁ ଗାଳି ଦେଉଥିଲେ ।

 

—ବୁଝିପାରିଲି ନାହିଁ ଗଳ୍ପ କେମିତି ଲେଖିବାକୁ ହେବ । ଗଳ୍ପ ପଢ଼ିଲେ କ’ଣ ଗଳ୍ପ ଲେଖି ପାରିବୁ ? ...ଖାଉଛୁ ବୋଲି କ’ଣ ସେମିତି ରାନ୍ଧି ପାରିବୁ ?

 

ପୁଅ ଚାଲିଗଲା । ନକଲ କାମ ଚାଲିଲା । ମୋର ଅଭ୍ୟାସ ଥରେ ଲେଖିବି—ଆଉ ନକଲ ନାହିଁ । ନକଲ କାମକୁ ମୁଁ ଛେଳି । ମତେ ଆକାଶବାଣୀ ଯାହା ନାକବାଳ ଧରାଇଲା । ତା’କୁ ସାବାସ୍‌ ।

 

—ହଁ କ’ଣ ହେଲା ? କେଇ ମିନିଟ୍‌ ଉଠିଲା ?

 

—ଆରେ ବାବୁ ଏତେ ସାଷ୍ଟାମ ପରେ ହେଲା ଏଗାର ମିନିଟ୍‌ ।

 

—କ’ଣ କଲେ ?

 

—ଆକାଶବାଣୀର ଡେପୁଟି ସବ୍‌ଡ଼େପୁଟିମାନଙ୍କ ପାଖରେ ଗୁହାରିଆ ହେଲି । ମୋର ଏଗାର ମିନିଟିଆ ଗଳ୍ପକୁ ଦଶ ମିନିଟ୍‌ ଭିତରେ ଚଳାଇ ଦିଅ । ହସିଲେ ହସନ୍ତୁ ମୁରୁକି ହସା । ହୋଇଗଲା । ମୁଁ ବି ଆଶ୍ୱସ୍ତ ହେଲି । କିନ୍ତୁ ରେଡ଼ିଓ ଉପରେ ବିରକ୍ତି ଆସିଲା ।

 

ଘରେ ରଖିଛ ସବୁଯାକ ନକଲ ତାଡ଼ା କରି—ମୋର ମୂଳ ଲେଖା ଆଉ ତିନୋଟି ନକଲ । ପୁଅ, ଝିଅ ଓ ବୋହୂର । ଶେଷ ଲେଖାର ନକଲ ଆଣିବି ଆକାଶବାଣୀରୁ ।

 

—ଏଗୁଡ଼ାକ କ’ଣ ହେବ ?

 

—ନିଜ ପାଇଁ ରଖିଛ ନା । ସୁବିଧା ହେଲେ ଦେଖି ଭାବିବି ତ ଗୋଟାଏ ସାମାନ୍ୟ ଗଳ୍ପପାଇଁ କି ପ୍ରକାରର ଅଧ୍ୟବସାୟ ଦେଖାଇଛି....କିଏ ହେଲେ ଜଣେ ବୁଝିବ ତ !

Image

 

Unknown

–ଆଉ ସବୁ ଭଲ ?

 

—ଏଁ, କ’ଣ କହିଲ ? ଶହେ ମାଇଲ ବେଗରେ ପବନ ବୋହି ଆସୁଛି, କଲିକତା ଆଡ଼ୁ-?

 

—ହଁ । ଆସୁ ।

 

—ତେବେ ଆମର ସଜନାଗଛ ଗଲା । ଗୋଲାପ ଗଛଟା ମାଟିରେ ଶୋଇବ । ଏଇ ବର୍ଷା ଏମିତି କେବେ କ’ଣ ହେଉଥିଲା ? ଏବେ ଲୋକେ ଯାଇ ଗ୍ରହ ଉପଗ୍ରହ ଛୁଇଁଲେଣି । ଖରା ବର୍ଷା କ’ଣ କାହା କଥା ମାନିବେ ?

 

ଅବିନାଶ ଚୁପ ହୋଇ ରହିଲା । କେତେ ଆଉ ବକ୍‌ବକ୍‌ ହବ ପ୍ରତିଭା ସାଙ୍ଗରେ ? ସିଏ ପୁଣି ଏଇ ଖରା ବର୍ଷା କଥା ନେଇ ।

 

ପ୍ରତିଭା ବିରକ୍ତ ହୋଇ ଚାହିଁଲା—ତାହାର ଆଖି ଦୁଇଟି ଅବିନାଶକୁ ମାପି ପକାଉଥିଲା-। ....କେଡ଼େ ବୋକାଟାଏ ! ଆଗେ ଭଲ ଥିଲା । ଏବେ ବୁଦ୍ଧି କମି ଯାଉଛି ।

 

ଅବିନାଶ ହସି ଚାହିଁଲା ପ୍ରତିଭାକୁ ।

 

ପବନର ଝପଟାରେ କବାଟ ଦୁଇଟି ଠୋଠୋ ହୋଇ ପିଟି ହୋଇଗଲେ ।

 

ଆହତ ସ୍ୱରରେ ପ୍ରତିଭା କହିଲା—କବାଟରେ ଛିଟିକିଣି ଦେବାକୁ ବାବୁଙ୍କର କେବେହେଲେ ମନେପଡ଼େ ନାହିଁ । ଏବେ କବାଟ ଭାଙ୍ଗିଗଲେ ସତେ ଯେମିତି ନୂଆ ହଳ ଗଢ଼ି ଆଣିବ !

 

ଅବିନାଶ ଉଠିଗଲା କବାଟ ବନ୍ଦ କରିବାକୁ ।

 

ପଛରୁ ପ୍ରତିଭା ଶୁଣେଇଲା—ଟିକିଏ ଚାହିଁଦିଅ କି ଏଇଟା ସେଇ ଲଘୁଚାପ ପବନ ନା ବର୍ଷାଦିନିଆ ସାଧା ପବନ ?

 

—ଯାହା ହେଇଥିଲେ ବି ତମେ କ’ଣ ସେଥିରୁ ପାଇବ ଶୁଣେ ! ଏମିତି ସବୁ ବର୍ଷ ବର୍ଷାଦିନେ ଲଘୁଚାପ ହୁଏ ଆଉ କଲିକତା ଆଡ଼ୁ ଝଡ଼ ଆସେ ଆମ ପାଖକୁ ।

 

—ଓଃ, ଭାରି ତ ଅନୁଭବ ? ଆମେ ସତେ କି ଜାଣୁ ନାହିଁ ? ସବୁ ଜାଣିଛୁ ଯେ—ତେବେ ଏ ସାଲ ଯେମିତି ଝଡ଼ ଆସୁଛି ସେତକ ନୂଆ ।

 

ଅବିନାଶ ହସିଲା ।

 

ପ୍ରତିଭା ରାଗିଯାଇ କହିଲା—ସତରେ ତମେ ବୁଢ଼ା ହେଇଗଲଣି । ଖୁସି ହେବାର ଶକ୍ତି ତମର ଆଉ ନାହିଁ । ନୂଆ କଥା ଅନୁଭବ କରିବାର ସାର୍ମଥ୍ୟ ଗଲାଣି ।

 

—କିଏ ଜାଣେ ନାହିଁ ସେ କଥା ? ଯାହାହେଉ ତମେ ପିଲା ହେଇଯାଉଛ । କଙ୍କି, ପ୍ରଜାପତି, କାକର, ବିଜୁଳି, ଝଡ଼ ସବୁ ତୁମକୁ ନୂଆ ଲାଗୁଛି । ପ୍ରତିଭା ପ୍ରତିବାଦ କରି କହିଲା—ସିଏ ତ ତିଅ ଭଲ । ପୁରୁଣାକୁ ଯିଏ ନୂଆ ପରି ମନେ କରେ, ସେଇ ହେଉଛି ମଣିଷ । ସେଇ ଯୁବକ, ସେଇ ତରୁଣ ଆଉ ସେଇ ପିଲା ।

 

—ହଉ, ମୁଁ ଏଥର ସେମିତି ହେବି ।

 

—ହଁ, ହଁ । ତମେ ନା ତମ ପରି ପଣେ ସେମିତି ମନେ କଲେ ହେଇଯିବେ କି ?

 

ମଡ଼ମଡ଼ ଶବ୍ଦ କରି ରଜନୀଗନ୍ଧା ଗଛର ଡାଳଟିଏ ଭାଙ୍ଗିପଡ଼ିଲା । ପ୍ରତିଭା ଠିଆ ହୋଇଗଲା—ସତେ କି ପୃଥିବୀ ଭାଙ୍ଗି ପଡ଼ିବ !

 

—ଆରେ ଏମିତି କାହିଁକି ହେଉଛ ? ସବୁ ବର୍ଷ ଏମିତି ଗଛର ଡାଳ ଭାଙ୍ଗେ । ପୁଣି ଗଛ କଅଁଳେ ।

 

—ଥାଉ ଥାଉ । ଦେଖିଥିବ ଯେପରି ଦି’ ଆଖିରେ । ମୁଁ ତ ଏବେ ପ୍ରଥମ ଥର ମୋରି କାନରେ ଗଛ ଭାଙ୍ଗିବା ଶବ୍ଦ ଶୁଣିଲି । ଭାରି ଶୁଣିଥିଲା ପରି କହି ହେଉଛ ।

 

—ଆର ବର୍ଷ ତମେ ପରା ସଜନା ଡାଳ ବୋହୁଥିଲ । ଚାକୁଣ୍ଡା ଡାଳକୁ ଦେଖି ଠିକଣା କରିପାରିଲ ନାହିଁ । ଗଛଡ଼ାଳ ଭାଙ୍ଗିବାରୁ କାଠ କିଣିବା ଆଠଦିନ ବନ୍ଦ ହୋଇଗଲା—ସେ ଭଲ କି ମନ୍ଦ....କ’ଣ ହେଲା ?

ପ୍ରତିଭାର ମନେ ପଡ଼ିଲା ଗଲା ବର୍ଷ କଥା । ଭାବିଲେ ଲାଜ ଲାଗିଲା । ସେ କେମିତି ଜାଣିଥିବା କଥାକୁ ଅଜଣା ବୋଲି ଭାବିଲା ।

ଅବିନାଶ ହସି ହସି କହିଲା—ଏଥର ଲାଜ ଲାଗିବଣି । କେମିତି ଓଲୁ ପରି ହେଉଥିଲ-

—ରଖି ଦିଅ ବୁଦ୍ଧିକୁ । ଏତେ ବୁଦ୍ଧି ତମ ଭିତରେ ଭଉଁରୀ ଖାଉଚି । ଆଉ ଟଙ୍କା ଶହେ ହଜାରେ କାଢ଼ିଲ ଦେଖିବା ।

ବାହାରେ ପବନ ସୁ ସୁ ହୋଇ ବହି ଯାଉଥାଏ । ପ୍ରତିଭା କହୁଛି ନୂଆ ପ୍ରକାରର ପବନ-। ଅବିନାଶ ସେଥିରେ ରାଜି ହେଲା ନାହିଁ ବୋଲି ଏବେ ଭର୍ତ୍ସନା ପାଇଲାଣି । କଥାକୁ ଅଧିକ ତେଜିଲେ ପ୍ରତିଭା ମଧ୍ୟ ଶହେ ମାଇଲ ବେଗରେ ନିଶ୍ୱାସ ମାରି ଗର୍ଜିଉଠିବ ।

କଥା ବଦଳାଇବାକୁ କହିଲା—ରେଡ଼ିଓ କ’ଣ କହିଲା ଆଜି ?

—କହିଛି ପରା ଅଠଚାଳିଶି ଘଣ୍ଟା ଭିତରେ ଆମର ଏଇ ଅଞ୍ଚଳରେ ପ୍ରବଳ ଓ ଅତି ପ୍ରବଳ ବର୍ଷା ହେବ । ...କ’ଣ କରିବା ?

—ଏତେ ବର୍ଷାରେ ଆଉ କ’ଣ କରି ହେବ ? ଗାଧୋଇଲେ ଲୁଗା ଧୋଇବା ନାହିଁ । ଲୁଗା ଶିଖିବ ନାହିଁ । ବାହାରକୁ ଗଲେ ଓଦା ହେଇ ଜର ହେବ—ନିଉମୋନିଆ ପାଖାପାଖି । ତେଣୁ କାଲି ଛୁଟି ନେଇଯିବା ।

 

ଭାବିଲା ପରି ହୋଇ ପ୍ରତିଭା କହିଲା—ଇଆ ଛଡ଼ା ଆଉ ଉପାୟ ନାହିଁ । ତେବେ ମୁଁ କ’ଣ ଭାବେ ଜାଣିଛ ?

 

—କ’ଣ ?

 

—ତମେ ହସିବ ।

 

—ନା ହସିବି ନାହିଁ ।

 

—ମୁଁ ଭାବେ ଗୋଟାଏ ଘରେ ନେଳି ବିଜୁଳି ଆଲୁଅ ଜାଳି ଶାଗୁଆ କାଉଚ ଉପରେ ଆଉଜି ବସିଥିବି । ଗୋଟିଏ ଭଲ ବହି ପଢ଼ୁଥିବି । ପାଖରେ ଗରମ ଭାଜି ଥୁଆ ହୋଇଥିବ । ପବନ ଏମିତି ସାଇଁ ସାଇଁ ଗର୍ଜୁଥିବ । ବର୍ଷା ଅଜାଡ଼ୁଥିବ ମାଟି ଉପରେ ।

 

ଅବିନାଶ ହସିଲେ ।

 

—ହଁ, ହସିବ ନାହିଁ କାହିଁକି ? ଥରେ ଏମିତି ସୁବିଧା କରିଦେଲ ଦେଖିବା ?

 

—ଛାଡ଼, ବାଜେ କଥାକୁ କେତେ ବସି ଆଉଁସି ହେଉଛ ?

 

—ଆଃ, ବୁଝିବାକୁ ଗୋଟାଏ ପଣ୍ଡିତ ନା ? ସେଥିପାଇଁ କହୁଛ । ତମ ଜୀବନକୁ କେବେ ଉପଭୋଗ କରି ଜାଣ ନାହିଁ ।

 

—ନା ।

 

—ମୁଁ ସେଇଆ ଭାବି ହୁଏ ପରା । ତମଭଳିଆ ଜଣେ ଲୋକ ଏତେ ଦିନ ଏମିତି ବଞ୍ଚିରହିଲ କେମିତି ?

 

—ଠିକ୍‌, ସେଇ କଥା ମୁଁ ଭାବୁଥିଲି ଆମର ପ୍ରତିଭା ଦେବୀଙ୍କ ବିଷୟରେ । ସେ ଏତେ ବୋକା ହୋଇ ବଞ୍ଚି ରହିଲେ କେମିତି ?

 

ଦିହେଁ ଦିହିଁଙ୍କୁ ଅନାଇ ରହିଲେ ।

 

ଶହେ ମାଇଲ ବେଗରେ ଝଡ଼ ତାହାର ପିଠି ଉପରେ କାକରିଆ ପାଣି ଉଠାଇ ନେଇ ଚାଲିଛି । ଘର, କି ଗଛ ପାଇଲେ ଥୋଡ଼ାଏ ଫୋପାଡ଼ି ଦେଇ ଦେଇ ଆଗେଇ ଯାଉଛି । ସତେ ଯେପରି ତାହାର ବହୁତ ଦରକାରୀ କାମ ରହିଛି ।

 

ସେଇ ବର୍ଷା ଏବେ ଅବିନାଶ ଆଉ ପ୍ରତିଭାକୁ ବସି ପରଖି ଯାଉଛି । ସେଇ ଆଷାଢ଼ରେ ପବନ ବାରମ୍ୱାର ପଚାରୁଛି ଯେ ବଞ୍ଚିବା ପାଇଁ ଆଉ ବଞ୍ଚିବାର ଆନନ୍ଦ ପାଇବା ପାଇଁ ଆଉ ସୁଖ ଶାନ୍ତିରେ ଜୀବନକୁ ଚାନ୍ଦିନୀ ରାତି ପରି ମଲିଫୁଲିଆ କରିବାକୁ କ’ଣ ଦରକାର ?

 

—ବୁଦ୍ଧି ନା ଓଲାମି ? ଜାଣିବାର ବଳ ନା ଜାଣି ନ ଥିବାର ବଳ ?

 

କବାଟ ଝରକାର ଫାଙ୍କ ଭିତରେ ପବନ ଠେଲିପେଲି ହୋଇ ଆସୁଥାଏ ଘର ଭିତରକୁ-। ବାହାରେ ବିଜୁଳି ଖୁଣ୍ଟର ତାର ଦୋହଲି ଯାଇ ଘର ଭିତରର ଆଲୁଅ ଦପ୍‌ଦପ୍‌ ହେଉଥାଏ ।

 

ଆଲୁଅ ଲିଭିଗଲା । ଏକାବେଳକେ ଅନ୍ଧାର । ଆଖି ଅନ୍ଧ ହୋଇଗଲା । ପ୍ରତିଭା ଓ ଅବିନାଶ କେହି କାହାରିକୁ ଦେଖିପାରୁ ନ ଥିଲେ ।

 

—ହଉ, ଚାଲ ଶୋଇବା ।

 

—ଶୋଇଲେ ସବୁ ପାଶୋରି ଯିବ । ସିଏ ଭଲ ।

 

ଦିହେଁ ଭାବୁଥିଲେ ଆରଜଣକ ଠିକ୍‌ କହିଛି । ଆରଜଣକ ଠିକ୍‌ ବାଟରେ ଅଛି ।

Image

 

କଡ଼ମା ଜହ୍ନି

 

ଦିନକର କଥା ନୁହେଁ—ପ୍ରତିଦିନର ଅଭ୍ୟାସ । ଗୋପାଳବାବୁ ସକାଳ ହେଲେ ତାଙ୍କର ଛୋଟିଆ ପାଚେରୀ ଘେରା ବାରିକୁ ଚାଲିଯାନ୍ତି । ସନ୍ଧ୍ୟାରେ ସେ ଯେପରି ଘରକରଣାର ସୁଖଦୁଃଖ ସ୍ତ୍ରୀ’ଙ୍କଠାରୁ ବୁଝନ୍ତି, ସେମିତି ସକାଳେ ସେ ଚାଲିଯାନ୍ତି ତାଙ୍କର ଅଗଣା ବାରିକୁ ।

 

ହାତେ ହାତେ ସବୁ କାମ । ଛୋଟ ଛୋଟ କିଆରି ହୋଇଛି । ପାଣି ମଡ଼ାଇବା କାମଠାରୁ ଆରମ୍ଭ କରି ରଞ୍ଜା ଓ ଭାଡ଼ି ପର୍ଯ୍ୟନ୍ତ । ପଡ଼ୋଶୀ ଓ ବନ୍ଧୁମାନେ ଟାପରା କରନ୍ତି—ଏତେ ମିହନତ ନ କରି ଦି’ପୁଞ୍ଜା କୁକୁଡ଼ା—ବତକ ପୋଷିଲେ ବେଶି ଲାଭ ହୁଅନ୍ତା ।

 

—ଲାଭ ଲୋକସାନ ମଣିଷର ହିସାବରେ ପଶିଲେ ସେ ଆଉ କାମ କରିବ ନାହିଁ । କାମ ଆରମ୍ଭ କଲାବେଳେ କିଏ କହିବ ମେହେନତ କେତେ ଲାଗିବ ଆଉ ଆମଦାନି କେତେ ହବ-? ଗୋପାଳ ବାବୁ ହସି ପଚାରନ୍ତି ସମସ୍ତଙ୍କୁ ।

 

—ଆଚ୍ଛା, ହିସାବ ରଖି କହିଲେ ମୂଲ କେତେ ହେଲା ? ଆଉ ମିଳିଲା କେତେ ? ଗଛ ଉଧାଉ ନାହିଁ । ସେଥିରେ ଧନ୍ଦିହେବା ଖାଲି ବଡ଼ଲୋକଙ୍କୁ ପୋଷାଏ ।

 

—ନାହିଁ, ବାବୁ; ଏଠିପରା ସହର । ଚାରିଆଡ଼େ କୋଠା । ଆଖ ପାଖରେ ବଡ଼ବଡ଼ ଗଛ । କୁହୁଡ଼ି କାକର କୁଆଡ଼ୁ ପାଇବ ଏଇ ବାରିଖଣ୍ଡିକ ? ସେଥିରେ ପୁଣି ଗଛପତ୍ର ଭିତରେ ଛାଣିହେଇ ଯେଉଁ ଖରା ଟିକକ ଆସୁଛି, ସେଥିରେ ଗଛ ଅବା କ’ଣ ହେବ ?

 

—ଆଉ ତେବେ ଗୋପାଳବାବୁ ବାଜି ଲଗାଇ କାମ କଲାପରି ଏମିତି ଛନ୍ଦି ହେଉଛନ୍ତି କାହିଁକି ?

 

—ଯାହା କହନ୍ତୁ ଆପଣ । ଏଇ ମାଟି ଅରାକ ମୋର ଭାରି ଆଦରର ଥାଳି ଖଣ୍ଡେ । କାହାକୁ କ’ଣ ମିଳିଥାଏ । ମତେ ମଳିଛି ଏତିକି । ମୁଁ ଏଇ ଖଣ୍ଡିକର ସିନା ମାଲିକ । ମୋର କି ବଳ ଅଛି ଯେ ଆଖ ପାଖର କୋଠାବାଡ଼ି ଗଛବୃଚ୍ଛକୁ ଶୁଆଇ ଦେବି ମାଟିରେ । ୟା’କୁ ମନେକରେ ମୋର ପୁରୁଣା ଘଡ଼ି ଅବା ପୁରୁଣା ପୋଷାକ । ଯତ୍ନ କରୁଛି ବୋଲି ଚାଲିଛି ।

 

—କ’ଣ ସବୁ ଏ ବର୍ଷ ଫଳେଇଛନ୍ତି ?

 

—କିଛି ନାହିଁ ଦୁଇଟା ମଟକା, ଦି’ବୁଦା କଖାରୁ ଆଉ କେଇଟି ଜହ୍ନିବୁଦା ।

 

—ୟା’କୁ ବଜାରରୁ ଆଣିଲେ....ଯାହା ଏଠି ଫଳିବ ସବୁଯାକ ହେଉ କୋଡ଼ିଏ ଟଙ୍କା....ନଇଲେ ବଢ଼ାଇ ଧରନ୍ତୁ ତିରିଶ ଟଙ୍କା । ଆପଣଙ୍କର ପରିଶ୍ରମ ମୂଲ୍ୟ କେତେ ?

 

ହସି ଗୋପାଳବାବୁ କହନ୍ତି—ମଣିଷର ପରିଶ୍ରମର ମୂଲ କରନ୍ତି ଉପରେ ଠାକୁର । ସେ କାହାକୁ ଘଣ୍ଟା ପ୍ରତି ଶହେ ପଚାଶ ଟଙ୍କା ଯେମିତି ଦିଅନ୍ତି, ସେମିତି କାହାକୁ ଦଶ ପଚିଶି ପଇସା ବି ଦେଇଥାନ୍ତି । ଇଆ ବୋଲି କ’ଣ ଖଟିଖିଆ ସତ୍ୟାଗ୍ରହ କରିଛନ୍ତି କି ?

 

ହସ ହୁଏ ସମସ୍ତଙ୍କର । ବାବୁଙ୍କର କଥା ଭାରି ଖର । ଚାକିରିରେ ପ୍ରମୋଶନ ନ ପାଇଲେ ସେ ତାଙ୍କର ମହକୁମାକୁ ହୁଲସ୍ଥୁଲ କରି ପକାନ୍ତି । ତାଙ୍କର କାମର ମଜୁରୀ ଓ ସନମାନ ଊଣା ହୋଇଗଲା—ମେଦିନୀ କମ୍ପିବ ଓ ବସୁଧା ଥରିବ । କିନ୍ତୁ ନିଜର ବାରି ଅଗଣାରେ ପଛର ଫଳ ଫୁଲରୀ ପାଇଁ ତାଙ୍କର ହେଲା ଏଇ ଯୁକ୍ତିତର୍କ ।

 

ଜହ୍ନିଭାଡ଼ି ପାଖକୁ ଯାଇ ଗୋପାଳବାବୁ କହନ୍ତି—ମୋର ଇଜ୍ଜତ ରଖିବୁ । ବୁଝିଲୁରେ ଲଟା । ତୋର ଦାମ୍‌ ନାହିଁ । ଏଇ ଆଳୁ ପୋଟଳ ସମାଜରେ । ଭଲ ଫଳିବୁ । ଲୋକଙ୍କର ଆଖିକୁ ଟାଣିବୁ ନିଜପ୍ରତି ।

 

ଭାଡ଼ିରେ ପ୍ରଜାପତି ଓ ଭଅଁର ଉଡ଼ିଯାନ୍ତି ଗୋପାଳବାବୁଙ୍କୁ ଚାହିଁ ଚାହିଁ । ଏଡ଼େ ବଡ଼ ମଣିଷଟାଏ । ମଣିଷ ଭିତରେ ଏତେ ପ୍ରତାପୀ ହାକିମଟାଏ । ହାକିମଙ୍କ ମେଳରେ ଏଡ଼େ ଚଉଆଖିଆ ମାତବର ଲୋକଟାଏ । ତାହାର ପୁଣି ବୁଦ୍ଧି ନିଅଣ୍ଟ ପଡ଼ୁଛି ଯେ ସେ ସାମାନ୍ୟ ଜହ୍ନି ଭାଡ଼ି ପାଖରେ ଠିଆହୋଇ ତା’କୁ ମନେ ମନେ ପ୍ରାର୍ଥନା କରୁଛି—ଫଳ ଦେବାକୁ ।

 

ଭୋଦୁଅ ସକାଳର ଝପଟା ପବନରେ ଜହ୍ନିବୁଦା ଦୋହଲି ଯାଇଥିଲା । କଷି ଉପରର ଫୁଲ ଶୁଖି ଆସୁଛି । ପତରଗୁଡ଼ାକ କାକର ଝଡ଼ାଇ କେମିତି ନୁଖୁରା ଦିଶିଲେଣି ।

 

—ଆରେ ଏତେ ଜହ୍ନି । ସବୁଗୁଡ଼ାକ ଛୋଟ । କଡ଼ମା ଜହ୍ନି ଭୁଲିଗଲାଣି ତାହାର ଆଗୁଆ ଦି’ତିନି ମୁଥ ବଡ଼ ଜହ୍ନିମାନଙ୍କୁ । ଯେଉଁ ବୁଦା ଚାଖଣ୍ଡେରୁ ଊଣା ଜହ୍ନି ଦେଇ ନ ଥିଲା ସେହି ବୁଦାରେ ଏବେ ଏଡ଼େ ଡେମ୍ଫା ଡେମ୍ଫା ଫଳ ।

 

କ’ଣ ଅଲଗା ଗଛ କି ? ବୋଧହୁଏ ଦି’ପ୍ରକାରର ମଞ୍ଜି ମିଶିଥିଲା—ବଡ଼ ଜହ୍ନି ଆଉ ମେଣ୍ଢି ଜହ୍ନି ।

 

ବୁଲିଗଲେ ଅନ୍ୟ ବୁଦାକୁ । ପଛୁଆ ଲଟାଗୁଡ଼ାକରେ ଝୁଲୁଛି ସେହି ଚାଖଣ୍ଡିକିଆ ଫଳ । ଦି’ଦିନ ଦିନକରେ ସେ ନେଇଯାନ୍ତି ରୋଷେଇ ଘର ପାଖକୁ ।

 

ସେଠି ପନିକି ମହାରାଣୀଙ୍କର ଅଧିଷ୍ଠାତ୍ରୀ ଦେବୀ ଭାବରେ ସ୍ତ୍ରୀ’ ଦରବାର ଖୋଲିଥାନ୍ତି ପରିବା ଟୋକେଇକୁ ଆଗରେ ରଖି ।

 

—ପୁଣି ଜହ୍ନି ଆଣିଲ ? ମନା କରିଥିଲି ପରା । ପିଲାମାନେ ଚିଡ଼ିଲେଣି ଜହ୍ନିରାଇ ଖାଇବାକୁ । ଦିନେ ସିନା ଅକାଳେ ସକାଳେ ଭଲ ଲାଗନ୍ତା ।

 

—ଆମରି ଜହ୍ନି ପରା ।

 

—ହେଲେ କ’ଣ ଗଲା ? ଏଇ ଜହ୍ନି ନିଜ ବାରିରେ ହେଲା ବୋଲି କ’ଣ ପୋଟଳ—କାଙ୍କଡ଼ର ସୁଆଦ ଦବ ?

 

—ବୁଢ଼ାହେଇ ଯାଉଥିଲା । ପାଟିରେ ଦେଇ ହୁଅନ୍ତା ନାହିଁ । ଜାଲି ହୋଇଗଲେ ପାଣିଚିଆ ଲାଗନ୍ତା ।

 

—ବୁଢ଼ା ହେଲେ କି ପିଲା ରହିଲେ କ’ଣ ହେଲା ? ପୁଅ କହିଛି ଯେ ଜହ୍ନି ଦେଖିଲେ ଆଉ ସେ ଖାଇବ ନାହିଁ । ଭାତଥାଳି ଫୋପାଡ଼ି ଦବ ।

 

—ପିଲାମାନେ ବୁଝୁ ନାହାନ୍ତି । ତମେ ତାଙ୍କର ମା’ ହେଇ ପାଳିଆ ଧରୁଛ । ତମେ ଯେମିତି ଗୋଟିଏ ମା’—ଜହ୍ନିଲଟାଟି ସେମିତି ମା’ ।

 

—ହଉ ରଖିଦିଅ ସେଇ ତତ୍ତ୍ୱଗୁଡ଼ାକ । ଜହ୍ନିଲଟାକୁ କ’ଣ ଦୋଭେଇ ହବ କି ? ଭାରି ତ ପ୍ରୀତି କଥାଗୁଡ଼ାକରେ ।

 

ଗୋପାଳବାବୁ ଠିଆହୋଇ ରହିଲେ ସେହି ପରିବା ପାଖରେ । ହାତ ଯାଉଛି ଆଳୁ ପୋଟଳ ପାଖକୁ । ସେମାନେ ସମସ୍ତେ ଉଚ୍ଚ ବଂଶର ଲୋକ । ଆଉ ଗୋପାଳବାବୁଙ୍କ ହାତ ଆଞ୍ଜୁଳିରେ କେଇଟି ଜହ୍ନି—କଡ଼ମା ଜହ୍ନି । ସେଗୁଡ଼ିକ ଅଦରକାରୀ ଅସ୍ପୃଶ୍ୟ ।

 

ଯାହାକୁ ହାତରେ ସାରସ୍ୱତ କରି ବଢ଼ାଇ ଥିଲେ ସିଏ ଅଦରକାରୀ । ଆଉ ଯାହାକୁ ନିକିମା ହେଇ କଉଡ଼ି ଦେଇ ବଜାରରୁ କିଣିଥିଲେ ସେଇ ହେଲା ଉପକାରୀ... ମନ୍ଦ କ’ଣ ? ପ୍ରକୃତରେ ନିଜ ଲୋକଙ୍କଠାରୁ ପରମଣିଷ ବଡ଼ ।

 

କେଡ଼େ କୃତଘ୍ନ ଏଇ ମଣିଷ ସମାଜ । ନ ହେଲେ ଏଠି ଚୋରି ନାରୀ—ଜନାକାରୀ ଏତେ ଅଧିକ ହୁଅନ୍ତା କେମିତି ?

 

—ଠିଆହେଲ ଯେ । ଯାଅ ଦେଖ ଗଛରେ ସଅଁବାଳୁଆ ହେବେଣି । ଏଣ୍ଡୁଅ ଆସିବଣି ଫୁଲଫଳ ନଷ୍ଟ କରିବାକୁ ।

 

—ଭାବୁଛି ଏଇ ଗଛଲଟାକୁ ଉଠାଇ ଦେଇ କୁକୁଡ଼ା ଆଠଟା ଆଣିବି । ତେବେ ଆଉ ଏଇସବୁ ଗୋଳମାଳ ରହିବ ନାହିଁ । ପିଲାମାନେ ଆନନ୍ଦରେ ଅଣ୍ଡାଖାଇ ମଜବୁତ୍‍ ହେବେ ।

 

ସ୍ତ୍ରୀ ଚାହିଁଲେ ଗୋପାଳବାବୁଙ୍କ ମୁହଁକୁ । ଆଖି ଦୁଇଟିରେ ଆଗ୍ରହ ନାହିଁ । ହତାଶାର କଳାଗାର ସେଠି ଡେଇଁ ବୁଲୁଛି । ହାତରେ ଧରିଥିବା ଜହ୍ନି ପୁଞ୍ଜାକ ଉପଲକ୍ଷ୍ୟ ହେଇ ସେମିତି ଝୁଲୁଛନ୍ତି ।

 

—ହଉ ଆଣ । ଦେଖେଁ ।...ଏତେ ଛୋଟ କ’ଣ ?

 

—ଏଗୁଡ଼ାକ ସେଇ ଜହ୍ନି ଯେ । କଡ଼ମା ହେଇଗଲାଣି । ଗଛ ତାହାର ଯେଉଁ ଦି ମୁଥ ମୁଥେ ଭଲ ରସୁଆଳ ଓ ଶସିଅଳ ହେଇ ଫଳିଗଲା, ଏବେ ସେ ଏତକ ଫଳେଇଛି । ମରିଯିବ ଏଥର ।

 

—କ’ଣ ? କେମ୍ପା, ପୋକରା....

 

—ସତେ ତ । ଗୋପାଳବାବୁ ଝୁଙ୍କିପଡ଼ି ଦେଖିଲେ...ହଁ, ହବନାହିଁ କେମିତି ? ଗଛ ପାକଳ ହେଇ ଗଲାଣି । ଆଉ ତାହାର ବଳ କାହିଁ ଏହି ରୋଗ ବଇରାଗ ଏଡ଼ାଇବାକୁ ।

 

ଗୋପାଳବାବୁଙ୍କର ସ୍ତ୍ରୀଙ୍କ ମନରେ ସହାନୁଭୂତି ଆସିଲା—ନିଜପ୍ରତି । ବହୁତ ଦୂରରେ ସେହି ରୂପର ଆଲୁଅ ଆଉ ଝଳି ଲିଭିଗଲାଣି । ଦିନେ ସେ ନିଜକୁ ଚାହିଁ ଖୁସିରେ କହୁଥିଲେ—ଏଇ ଦେହ ମୋର ।

 

ଏବେ ସେ ବେଳେବେଳେ ନିଜକୁ ପଚାରନ୍ତି—ସତେ କ’ଣ ଏଇ ଖଣ୍ଡିଆ ଖାବୁରା ଦେହନେଇ ମୁଁ ଶାଶୁଘରକୁ ଆସିଥିଲି ? ଏଇ ଦେହ କ’ଣ ସୁନା ଅଳଙ୍କାର ପାଟ—ମଠାରେ ଶୋଭିଥିଲା ? ...ଆହାରେ, କଡ଼ମା ଜହ୍ନି ଗୁଡ଼ାକ । କେତେ ଗାଳିଦେଲି ତମକୁ...ତମେ ବା କ’ଣ କରିପାରନ୍ତ ?

 

ଭାତଥାଳି ପରଶିଲା ବେଳେ ସ୍ତ୍ରୀ ତାଙ୍କୁ ପଚାରିଥିଲେ—କେମିତି ହେଇଛି ? ସେଇ ପୋକରା କଡ଼ମାଗୁଡ଼ାକ ?

 

—ସତେ ମ । ଭାରି ଭଲ । ଭାରି ସୁଆଦ ।

 

—ସତରେ’ ନା ଆଣିଛ ବୋଲଇ ସୁପାରିସ କରୁଛ ?

 

—ତମେ ଖାଇଲେ ଜାଣିବ । ଭଗବାନ ଏଇ କଡ଼ମା ପୋକରା ଜହ୍ନିକୁ ବି ନୂଆ ସୁଆଦ ଦେଇଛନ୍ତି । ପହିଲି ଦୁସୁରା ମୁଥର ଫଳ ଆକାରରେ ବଡ଼; କିନ୍ତୁ ସୁଆଦରେ ନିରସା....

 

ଗୋପାଳବାବୁଙ୍କର ମନ ଭରି ଯାଇଥିଲା ସହାନୁଭୂତିର ନୂଆ ମୂଲ୍ୟାୟନରେ । ଆଖି ଦୁଇଟି ତେଜି ଉଠିଥିଲା ନୂଆ ଅନୁଭବର ପ୍ରଖରତାରେ ।

Image

 

ଦଧିନଉତି

 

ଭୁବନେଶ୍ୱରରୁ ଫେରନ୍ତା ଗାଡ଼ି ଘର ଆଗରେ ଠିଆହେଲା । ରାମଶଙ୍କର ଝରକାରୁ ଚାହିଁଲା ଗାଡ଼ିକୁ—ଭିଡ଼ ବେଶି କି କମ୍ ଦେଖିବ । କିଛି ଗୋଟାଏ କରିବା କଥା ତ ।

 

କିଏ ଜଣେ ଆସୁଛି ତାହାରି ଘର ଆଡ଼କୁ । ସେ ବିରକ୍ତ ହେଲା ନିଜ ଉପରେ । ମୁଣ୍ଡ କାଢ଼ିଥିଲା କଇଁଛ ପରି କାହିଁକି ? ବସ୍‌ଫେରନ୍ତା ଲୋକଟିଏ ଏବେ କିଛି ସମୟ ଉଜାଡ଼ିବ ।

 

—ଧେତ୍‌, ଆଉ ରହି ହବନାହିଁ । ପଚାଶ ପୁରି ଦୁଇ ଅଧିକ ହୋଇଗଲାଣି । ମରିବାକୁ ଆଉ କେତେ ଏମିତି ବେଳ ବଞ୍ଚୁଛି ଯେ ଯିଏ ସିଏ ଆସି ଭାଗ ବସିବେ ?

 

ଆରେ ଚିହ୍ନା ଲୋକ । ଶିବଦତ୍ତ । ପିଲାଦିନର ସାଙ୍ଗ । ଗଲା କୋଡ଼ିଏ ବର୍ଷରେ ଦେଖା ହୋଇଛି ଦି’ ତିନିଥର । ପିଲାଦିନେ ସେ ସରଳ ଥିଲା । ଏବେ ସେ ପୁରା ପାଣିଚିଆ । ବଞ୍ଚିବାର ମସଲା ସେ ବେଶି ସଂଗ୍ରହ କରିପାରିନାହିଁ । ତେଣୁ ସେ ଏକାବେଳକେ ଖାରିଆ—ସଜନା ଶାଗ ଅବା ପର୍ବତିଆ ଖଡ଼ା ପତର ପରି ।

 

—ଅଛ, ରାମଶଙ୍କର । ଦେଖି ଚାଲିଆସିଲି । ତମର କିଛି କାମ ଥିଲେ ଚାଲିଯିବି ମୁଁ ।

 

—ନାହିଁ, ବସ । କାମ କ’ଣ ଅବା ଏଇ ବୁଢ଼ାଦିନେ ?

 

—ହଁ, ସେଇଆ ତ । ମୁଁ ପେନସନ ନେଲି ।

 

—ଏଁ, ପଞ୍ଚାବନ ହେଇଗଲା ?

 

—ଆଉ କ’ଣ ଦିନ ଚାହିଁ ରହିଛି ?

 

—କ’ଣ ଶିବଦତ୍ତ ! ସେଦିନ ପଢ଼ୁଥିଲେ । ଯିଏ ଯାହାର ଧନ୍ଦାରେ ଗଲେ । ମୁଁ ତ ମରିଗଲେ ମୋର ଶ୍ରଦ୍ଧା ପାଇଁ ଦିଶହ ଶହେ ରଖିପାରିନାହିଁ । ପେନସନ ତମର ହୋଇଗଲାଣି ?

 

—ହଁ ପରା, ଆର ହପ୍ତାରେ ହେଲା । ଆମ ସ୍କୁଲ ସରକାର ନେଇଗଲେ । ସେଥିପାଇଁ ହେଲା—ପଞ୍ଚାବନ ପଡ଼ିଲା ଲାତ୍‌ । ....କ’ଣ କରିବା ?

 

—କୁଆଡ଼େ ଯାଇଥିଲ ?

 

—ଆଜି ଆମର ଶିକ୍ଷକମାନେ ମିଶି ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଉଥିଲୁ । ସେମାନେ ରହିଲେ ଧ୍ୱନି ଦେବାକୁ । ମୁଁ ଧଇଲି ମଟର ।

 

—କ’ଣ ସବୁ ଆପତ୍ତି ?

 

—ଏଇପରା । ସରକାରୀ ପେନସନ ପାଇପାରୁନାହୁଁ । କାରଣ ଅନ୍ୟୂନ ଯାହା ଯେତିକି ସରକାରୀ ହେବା କଥା ସେତକ ହେଲେ ତ ।

 

—କେତେ ଜମା ରଖିଛ ?

 

—ରଖିହବ କୁଆଡ଼ୁ ? ମୋଟେ ଛ’ହଜାର ଦୁଇଶହ । ତା’ ସାଙ୍ଗକୁ ପୁଅ ଷ୍ଟିଓ୍ୱାଟ ସ୍କୁଲରେ । ଝିଅ କଲେଜରେ....ରଖନ୍ତି କୁଆଡ଼ୁ ? —ମୁଁ ଟିଉସନ ନିଏ ନାହିଁ । ଦରମାରୁ ଏତକ ବଞ୍ଚାଇଲି । କାରଣ ଚା’ ପାନ ସିଗାରେଟ୍‌ ମୁଁ ଖାଇନାହିଁ ।

 

—ଆଉ କିଛି ରହିଲା ନାହିଁ ?

 

—ନା, ବାପ ଅଜାଙ୍କର ଘରଟାକୁ କୋଠା କଲି । ଏଗାର ହଜାର ଟଙ୍କା ଖାଇଗଲା । ଏବେ ନଈ ଖାଉଛି ଆମର ଖାନାବାଡ଼ି ଆଡ଼କୁ । ଶେଷକୁ ଦିନେ ନଈ ନେଇଯିବ ସେତକ... ମୋର ସ୍ତ୍ରୀ ଭାରି ବିରକ୍ତ ।

 

—ବିକି ହେଉନାହିଁ ? ହଁ, ଏତେଟଙ୍କା ଦେଇ କିଏ କିଣିବ ଗାଁରେ ?

 

—ଆରେ ବାଃ, ଏବେ ଗାଁରେ ଏହି ତିଆରି କୋଠା କିଣିବାକୁ ଲୋକ ହେଲେଣି । ଆମ ଗାଁରେ ତିନିଜଣ ଉମେ ଦୁଆର—ମତେ ଦିଅ । ମତେ ଦିଅ । ...ମନ ହେଉନାହିଁ ।

 

—କାହିଁକି ?

 

—ଅଢ଼େଇ ଏକର ଘରବାରି । କଦଳୀ କଖାରୁ ହେଲେବି ଚାକିରି ରୋଜଗାରରୁ ଅଧିକ ହୁଅନ୍ତା । ମାଙ୍କଡ଼ଙ୍କର ଉତ୍ପାତ ଏତେ ଯେ କସିଟିଏ ରହିପାରୁନାହିଁ । ଆଗେ ହନୁ, ପାତି ମରା ହେଉଥିଲେ—ଏବେ ସିଏ ସବୁ ବନ୍ଦ । ....ଆମେ ଲଗାଇବୁ ଗଛ ଆଉ ବାନରବଂଶ କରିବେ ଭୋଜି....ସ୍ତ୍ରୀ’ପରା ଆଉ ରହୁନାହିଁ ।

 

—ସେମିତି ହବା କଥା । ତମର ସିନା ବାପ ଅଜା, ତାଙ୍କର ତ ହେଲେ ଶଶୁର, ଅଜାଶଶୁର-

 

—ହଁ, ଚଳୁଥିଲା ମା’ ଥିବାଯାଏ । ଅନେକ ଦିନ ମା ବଞ୍ଚିଲେ । ସେହିଘରେ ସେ ଚଳୁଥିଲେ । ମୁଁ ବି ମଣିଷ ହେଇଛି । ପିଲାଙ୍କର ଅନ୍ତୁଡ଼ି ହୋଇଥିଲା ସେଇଠି । ....ବିକିବି କେମିତି, ନଈ ଖାଇଲେ ଖାଇବ ।

 

—ସ୍ତ୍ରୀ କ’ଣ କରୁଛନ୍ତି ଅନ୍ୟ ଜାଗାରେ ।

 

—ସେ ଏବେ ଚାକିରି ଧଇଲେଣି । ମୁଁ ରାଜି ହେଲି—ପିଲା ବଡ଼ ହେଇଗଲେଣି । ଘରକୁ ସେ ଏକା । ଗାଁରେ ରହି କ’ଣ ଅବା କରିବେ ? ଏହି ଗାଉଁଲି ମାଙ୍କଡ଼ଗୁଡ଼ାକ ମୋଟେ ଖାତିରି କରୁନାହାନ୍ତି ମୋର ସ୍ତ୍ରୀକୁ । ଚଟକଣା ଦେବାକୁ ଧାଇଁ ଆସୁଛନ୍ତି ।

 

ଶିବଦତ୍ତ ହସିଲା । ରାମଶଙ୍କର ବି ହସିଲା ।

 

—କ’ଣ ଆଉ ସେ କରିବେ ? ଏଠି ପରା ଉଇ ପିମ୍ପୁଡ଼ି ଡରାଉଥିଲେ ଏବେ ମୂଷା ବେଙ୍ଗ ଧମକାଇଲେଣି ।

 

—ଚାରିଆଡ଼େ ଭାଇ ଏକା ସମସ୍ୟା—ଏଇ ଧମକ ଚମକ ଗାଁରେ ଯାହା ସହରରେ ତାହା । ସରକାରରେ ଯେମିତି, ଘରୋଇ ସ୍କୁଲରେ ସେମିତି ।

 

—ମାଷ୍ଟ୍ର କାହିଁକି ହେଲ ଶିବଦତ୍ତ ? ଭଲ ଲାଗିଲା ?

 

—ଗାଁ ଘରଖଣ୍ଡିକ ନେଇ ମା’ ରହିଲେ । ବାପା ଚାଲିଯାଇଥିଲେ ବିଭାହେବା ଆଗରୁ । ମା’ଙ୍କୁ ଦେଖିବାକୁ ଆଉ ଜମିବାଡ଼ି ବୁଝିବାକୁ ଘର ପାଖରେ ରହିବା ଛଡ଼ା ନ ଥିଲା ଅନ୍ୟ ଗତି । ସେଥିପାଇଁ ପାଠୁଆ ବୋଲାଇ ଘରୋଇ ସ୍କୁଲ ଧରି ରହିଲି ।

 

ହସି ପୁଣି କହିଲା—ମା’ ଚାଲିଗଲେ । ଗାଁର କାଇଦା ବଦଳି ଗଲା । ନଈ ବି ତାହାର ମୁନିଆ ଦାଢ଼ ଉଞ୍ଚାଇଲା । ଏଣେ ବୟସ ଆସି ଧକ୍‌କା ମାଇଲା । ଭାବିଲି ଚାଲିଯାଉ କେଇଦିନ । ତା’ପରେ ଯିଏ ରହିବେ ସେ ତାଙ୍କର ବାଟ ଧରିବେ ।

 

—କାହିଁକି ? ପୁଅ ଝିଅ ସ୍ତ୍ରୀ ଅଛନ୍ତି ତ ।

 

—ପୁଅ ପାଇଁ କ’ଣ ଘରୋଇ ସ୍କୁଲ ଆଉ ଆସିବ ? ସେ କେଉଁଠି ହେଲେ ଚାକିରି କରିବି । ଝିଅ ବିଭା ହେଲେ କେଉଁଠି ରହିବ କିଏ ଜାଣେ ? ନଈ ଧକ୍‌କା ଦେଲେ ଘର ଗଲା । ଜମିରୁ ଫସଲ ଆଉ କିଏ କେମିତି ଆଣିବ, ନା ଖାଇବ ? —ସମସ୍ତେ ପରା ଗାଁର ଦିକୋଶ କୋଶକରେ ଗାର ଟାଣିଦେଇ କହିଲେଣି ଯେ ଗାଁର ଫସଲ ଗାର ଟପିଲେ ହେବ ଲୁଟି ।

 

—ତେବେ ଆଣୁଛ କେମିତି ?

 

—ମୁଁ ପରା ଅଛି । ଗାଁରେ ଥିଲି ଆଉ ଗାଁଠାରୁ ଚାରିମାଇଲ ଭିତରେ ଅଛି । ମୋର ପୁଅ କି ସ୍ତ୍ରୀ କୁଆଡ଼ୁ ସେ ଫସଲ ଆଣିପାରିବେ ? ଜମିକୁ ବିକି ଦେଇ ଜଞ୍ଜାଳ ତୁଟାଇବେ ।

 

—ଭାରି ଖରାପ ଲାଗୁଛି ଶୁଣିବାକୁ ।

 

—ଆରେ ଯାଃ । ମୁଁ ସବୁଦିନେ ଏମିତି ସରଳ ମନରେ ରହିଛି । ଏତେ ବର୍ଷ ମାଷ୍ଟ୍ର ଆଉ ହେଡ଼ମାଷ୍ଟ୍ର ହେଲି । ଜାଣ ମୋର ନୀତି କ’ଣ ?

 

—କ’ଣ ?

 

—ଉପଦେଶ ନାସ୍ତି । ଅମୁକ କଥା କରିବା ଉଚିତ ବୋଲି ଦିନେ କହିନାହିଁ । ମୁଁ ଜଣେ ମାଷ୍ଟ୍ର ବୋଲି ପ୍ରଚାର କରିନାହିଁ । ମୁଁ ସବୁବେଳେ ବୁଝାଇଛି ଯେ ଆମେ ମାଷ୍ଟ୍ରମାନେ ପଢ଼ାଇବା ଯନ୍ତ୍ର । ରିକ୍‌ସା ଓ ମଟର ପରି । ଶିଖିନିଅ.... ତେଣିକି ତମେ ରୋଗୀ ବୋହିବ ବା ଚୋରି କରିବାକୁ ଯିବ, ସେ କଥା ତମର ତମେ ସ୍ଥିର କରିବ ।

 

—ତା’ ହେଲେ ପିଲାଏ ଶିଖିଲେ କ’ଣ ?

 

—କାହିଁ, ଭାଇ, ଜଣକୁ ତ ଦେଖିଲି ନାହିଁ ଯେ ମୋ’ଠାରୁ ଶିଖିବାକୁ ଆଗ୍ରହ ନେଇ ଆସିଥିଲା ! ସେଥିପାଇଁ ମତେ ଭଲ ଲାଗୁଛି ।

Image

 

ସଜଡ଼ା ଘର

 

ଛୁଟି ଦିନ ସକାଳେ ମୁହଁରେ ଖଣ୍ଡେ ତଉଲିଆ ଗୁଡ଼ାଇ ମାଧୁରୀ ଘର ଝାଡ଼ୁଥିଲା ।

 

—ଓଃ, ଏତେ ଧୂଳି ? ଏତେ ମଇଳା ? ହେଲେ ବି ଲୋକଟାର ଏତେ ଦେହସୁହା ହେଇଯାଇଛି ଯେ ସେଥିରେ ତା’କୁ ଅସଜ ଲାଗୁନାହିଁ ।

 

ଏଣେ ଟିକିଏ ଦୂରରେ ଗୋପୀନାଥ ଚାହିଁଥାଏ ଘର କାମକୁ । ମାଧୁରୀ କାଗଜ ପତ୍ର ଏ ପାଖ ସେପାଖ କରି ଦେଉଛି । ଏଣେ ଗୋପୀନାଥର ଛନକା ପଶିଯାଉଥାଏ—ସବୁ ଗଲା ଏଥର-। ଗୋପୀନାଥ କ’ଣ କାମ ବେଳକୁ ଖୋଜି ପାଇବ କି ?

 

—ହେ, ଥାଉ ସେ ଗୁଡ଼ାକ ।

 

ନାକରୁ ତଉଲିଆ ଖସେଇ ମାଧୁରୀ ପଚାରିଲା—ଏତେ ଧୂଳି ଯେ ତଉଲିଆର କଣା ବନ୍ଦ ହେଇ ନିଶ୍ୱାସ ରୁନ୍ଧି ଦେଉଛି । ମଇଳା ଗୁଡ଼ାକରେ ତମର କି ଦରକାର ?

 

—ଦରକାରୀ ଚିଠି ପତ୍ର ଯେ ।

 

—କ’ଣ କରିବ ? ଏଗୁଡ଼ାକ ଜମାଇଲଣି କୋଡ଼ିଏ ପଚିଶ ବର୍ଷ ହେଲାଣି । କାଳି ବି ଲେଖା ଉପରୁ ଲିଭି ଆସିଲାଣି । ତମର କ’ଣ ଦରକାରରେ ଲାଗିବ ?

 

—ମୁଁ ଥରେ ଦେଖି ଦିଏଁ । ନିଜେ ଫୋପାଡ଼ି ଦେବି ।

 

—ଏବେଯାଏ କ’ଣ କରୁଥିଲ ?

 

—ବେଳ ନ ଥିଲା ପରା । ଏତେ କାମ ।

 

—ଅଲାଜୁକ ଲୋକ । ହେଇ ଶୁଣ—ଯେଉଁ ପଦାର୍ଥ ଏତେ ଦିନ ଅଣ ହେପାଜତ ହୋଇ ପଡ଼ି ପଡ଼ି ଧୂଳିରେ ପୋତି ହୁଏ ସେଗୁଡ଼ାକ ହେଲା ଅଳିଆ...ଯାଅ—ଗଲ ।

 

ଗେପୀନାଥ ବାହାରକୁ ଚାଲିଲେ । ଏହି କଥା ଏତେ ଆଘାତ ଦେଲା ଯେ ସେ ଖଣ୍ଡେ ସିଗାରେଟ୍‌ ନ ଟାଣିଲେ ଆଉ ପଦେ ବି କଥା କହିପାରିବ ନାହିଁ ।

 

ବାହାରେ ବସି ସିଗାରେଟ୍‌ ଲଗାଇ ଗୋପୀନାଥ ଶୁଣୁଥାଏ ଘର ଭିତରେ ମାଧୁରୀ କାଗଜପତ୍ର ବାଡ଼େଇ ଧୂଳି ଝାଡ଼ୁଛି । ଆଉ ସେହି ଝଡ଼ାପୋଛା ଭିତରେ ଗୋପୀନାଥର ଜୀବନର ଗତି ମଧ୍ୟ ବାଧା ପାଉଛି ।

 

ପବନକୁ ସିଗାରେଟ୍‌ ଧୂଆଁର କୁଣ୍ଡଳୀ ଉଠିଲା ବେଳେ ଏଣେ ସିଗାରେଟ୍‌ ସରୁଥାଏ । ନୂଆ କୁଣ୍ଡଳୀ ପୁରୁଣାକୁ ଭାଙ୍ଗି ଅଳିଆ କରୁଥାଏ । ଭିତରେ ମାଧୁରୀ ଧୂଳି ମଇଳାକୁ ଠେଲୁଥାଏ ବହି କାଗଜ ଭିତରୁ ।

 

—ହେଇ, ବାବୁ, ଦେଖିଲ । ଏଇ ଚିଠି ଗୁଡ଼ାକ ଦରକାର କି ?

 

—ହଁ । ଦରକାର ।

 

—ଆରେ ଆସି ଦେଖ । କୁଆଡ଼ୁ କ’ଣ ପାଇଁ ଆଣି ଏଗୁଡ଼ାକ ଜମାଇଛ ? କ’ଣ କରିବ ଏଥିରେ ?

 

—ବୁଝିବାକୁ ତ ଆଳୁ । ଏହିଗୁଡ଼ାକ ହେଲା ଅନେକ ଲୋକଙ୍କର ଅନେକ ଦିନ ଆଗର ମନର ଛବି । ଇଏ କ’ଣ ଆଉ ଥରେ ସର୍ଜନା ହେଇ ପାରିବ ?

 

—ନ ହେଲେ କ’ଣ ହେଲା ? ସିଏ ତୁମକୁ ଲେଖିଲେ ଆଉ ତୁମେ ତାଙ୍କୁ ଲେଖିଲ । ସେମାନେ ଆଗ ତୁମର....ଚିଠି ସବୁ ରଖି ଏମିତି ଘର ଭିତରେ ଖତଗଦା କରିଛନ୍ତି ନା ?

 

—ଖତଗଦା ନୁହେଁ—ସଂଗ୍ରହାଳୟ । ସେମାନେ ଦାମ୍‌ ବୁଝି ନ ଥିଲେ ଫୋପାଡ଼ି ଦେଇଥିବେ ।

 

—ମୁଁ ବି ଫୋପାଡ଼ି ଦେବି ।....କହି ମାଧୁରୀ ମେଞ୍ଚାଏ ଚିଠି ଫିଙ୍ଗି ଦେଲା ବାହାରକୁ ।

 

ଭାରି ଆଘାତ ଲାଗିଲା ଗୋପୀନାଥକୁ । ତାହାର ଅତୀତ ଭାଙ୍ଗି ଯାଉଛି । ଅତୀତ ହେଲା ବର୍ତ୍ତମାନର ଆଉ ଭବିଷ୍ୟତର ପିଣ୍ଡି ମୂଳଦୁଆ । ସେ ବଞ୍ଚିବ କେମିତି ?

 

ନିଜେ ବଞ୍ଚିବ ବୋଲି ଗୋପୀନାଥ ସିଗାରେଟ୍‌ ଓଠରେ ଧରି ଚିଠି ସବୁ ଗୋଟାଇଲା । ଏଣେ ଅଧାପୋଡ଼ା ସିଗାରେଟ୍‌ ତାହାର ଓଠ ପାଖରେ ପହଞ୍ଚି ଫୋଟକା କରିଦେଲା ।

 

ସଚେତନ ହେଇ ସେହି ପୋଡ଼ା ନିଆଁକୁ ଫୋପାଡ଼ିଲା ବେଳକୁ ସିଗାରେଟ୍‌ କାଗଜ ଓଠର ଓଦା ପତଳା ଚମରେ ଲାଗି ରହିଛି । ଆଙ୍ଗୁଠି ଚାପରେ ଆଙ୍ଗୁଠି ବି ଫୋଟକା ହେଇଗଲା ।

 

—ଇସ୍‌, ଦୁର୍ଯ୍ୟୋଗ । ଏଇ ଛୁଟିଦିନ ସକାଳଟାକୁ ମାଧୁରୀ ଅକାରଣରେ ନଷ୍ଟ କରିଦେଲା-

 

—କ’ଣ ହେଲା ? ସେଠି ଚିଲଉଛ କାହିଁକି ?

 

—ଆରେ ଯାଆ ମ । ଓଠ ଫୋଟକା—ଆଙ୍ଗୁଠି ଫୋଟକା । ଚିଠିଗୁଡ଼ାକ ବୁଣି ହେଇ ପଡ଼ିଛନ୍ତି ।

 

—କ’ଣ ହେଲା ? ସେହି ନିଆଁରେ ୟା’କୁ ଜଳେଇ ଦିଅ । ନ ହେଲେ ପୁଣି ଛଅ ମାସରେ ଆଉ ଥରେ ଝଡ଼ାପୋଛା ।

 

—ମୋର ମୁଁ ଅଳିଆ ଝାଡ଼ିବି ?

 

—ଆଉ, ...କରିଥିଲ କି କେବେ ?

 

—ନ କଲେ କ’ଣ ହେଲା ? ଆମର ଏଇ କାମ ଦରକାର ନାହିଁ । ଏଇ କୁକୁର ଯେମିତି ସଫା ଅଳିଆ ଚିହ୍ନିପାରେ ନାହିଁ ଆମର ବାବୁ ସେମିତି । ...କହି କୁକୁରର ନିଦ ଭାଙ୍ଗିବାକୁ ଗୋଇଠାଏ ପକାଇଲା ।

 

ପୁଣି ଚମକି ଲାଗିଲା ଗୋପୀନାଥ । ମଜ୍ଜାରେ କୁକୁରଟା ଚାରିଗୋଡ଼ ଉପରକୁ କରି ଆରାମରେ ଚିତ୍‌ ହୋଇ ଶୋଇଥିଲା । ତା’କୁ ମାଧୁରୀ ଗୋଇଠାଏ ମାରିଛି ।

 

କୁକୁର ମାଡ଼ ଖାଇ ସେଠୁ ଚାଲିଗଲା । ପହଁରା ଫୋପାଡ଼ି ଦେଇ ମାଧୁରୀ ମଧ୍ୟ ଚାଲିଗଲା ।

 

ଗୋପୀନାଥ ଆସି ଦେଖିଲା ଘର ଭିତରର ଅଳିଆ ସଫା ନ ହୋଇ ବେଶି ଖେଳେଇ ହେଇଯାଇଛି । ଅଳିଆ ବସ୍ତାନି ଆଉ ଥରେ ବେଶି ଅଡ଼ୁଆ ଆଣିଛି । ଏଣେ ଦରକାରୀ ଚିଠିପତ୍ର ଏଠି ସେଠି ହଜିଲା ପରି ପଡ଼ିଛନ୍ତି ।

 

ଜୀବନର ସ୍ମୃତି ବତାସ ମାଡ଼ଖିଆ ଲଟାପରି ବିପର୍ଯ୍ୟସ୍ତ ହୋଇଯାଇଛି ।

Image

 

କାମର ତର୍ଜମା

 

ସ୍ୱାଧୀନ ହେବାରୁ ସମସ୍ତେ ଖୋଜନ୍ତି । କିନ୍ତୁ ମଣିଷର ସମାଜ ପରାଧୀନତାର ଡୋରିରେ ବନ୍ଧା—ହତାବାଡ଼ି, ବାଗବଗିଚା ରହିଥିବା ଜେଲଖାନା ପରି ଅବା ସୀମାସରହଦ ଦିଆ ହୋଇ ବଣ, ପାହାଡ଼, ନଈ ହ୍ରଦ ଭରା ଦେଶ ପରି ।

ସ୍ୱାଧୀନତାର ପରିସର କେଉଁଠି କେତେ ଅବା କାହାର କେତେ ? —ଏହି ପ୍ରଶ୍ନ ନେଇ ଯାହା ମତର ଅମେଳ ଆଉ କଳି କଜିଆ ପାଟିତୁଣ୍ଡ ।

ସେ ଦିନ ରଙ୍ଗନାଥ ତାହାର ସ୍ୱାଧୀନତାର ଗୋଟିଏ ସୀମା ସରହଦ ପାଇଥିଲା—ଅଠଚାଳିଶି ବର୍ଷ ବୟସରେ ଗୋଟିଏ ଚାକିରି ।

କଟକରେ ରହି ସେ ଭୁବନେଶ୍ୱରରେ ଚାକିରି କରିବ । ଦରମା ନେବ—ତାହା ହେଲେ ସେଇଟା ହେଲା ଚାକିରି । ନ ହେଲେ ଚାକିରିର ଆଉ କ’ଣ ସଙ୍କେତ ଅଛି ?

ସ୍ତ୍ରୀ ମନୋରମା ଅନୁରୋଧ ଜଣାଇ ତାଗିଦ୍‌ କରିଥିଲା ଯେ ସେମାନେ ଗରିବ । କଥାର ଚତୁରତାରେ ଗରିବୀ ହଟେ ନାହିଁ । ଗରିବୀ ହଟାଇବାକୁ ଦରକାର ଟଙ୍କା । ଆଉ ଚାକିରି ନ ହେଲେ ଟଙ୍କା ନାହିଁ । ଏହି ଚାକିରିଟା ଯେମିତି ଛାଡ଼ିବା ନାହିଁ ।

—ନା । ତେବେ କ’ଣ କରାଯିବ ? ଜଣେ ରହିଲା ଡାକ୍ତରଖାନାରେ । କ’ଣ ହେବ ଜଣା ନାହିଁ । ଏଣେ ଆସିଲା ଚାକିରି । ପହିଲା ଦିନେ ସାଢ଼େ ଦଶଟାରେ ବାଇଶି ମାଇଲ ଦୂର ଭୁବନେଶ୍ୱରରେ କାମ । ଯିବା ଆସିବା ସମୟ ମିଶାଇଲେ ସକାଳ ସାଢ଼େ ଆଠଟାରୁ ସନ୍ଧ୍ୟା ସାଢ଼େ ଆଠଟା ।

ପହିଲା ତାରିଖର ଓଳିକ ଆଗରୁ ମନୋରମାର ପିଲାଟିଏ ଜନ୍ମ ହେଲା । ଅସୁବିଧା ଥିଲା ବୋଲି ତା’କୁ ଅପରେସନ କରିବା ଆଗରୁ ରଙ୍ଗନାଥ ଲେଖି ଦେଇଥିଲା ଯେ ଡାକ୍ତରଖାନାରେ ମନୋରମାର ଆକସ୍ମିକ ମରଣ ପାଇଁ ଡାକ୍ତର ଦାୟୀ ହେବେ ନାହିଁ ।

ଲେଖି ଦେଇ ରଙ୍ଗନାଥ ଡାକ୍ତରଖାନାରେ ବାରଣ୍ଡାରେ ନିଜକୁ କହୁଥାଏ ଯେ ଚାକିରି ଅନୁକୂଳ ଅସୁବିଧା ହେଲାଣି । ଏଣେ ସ୍ତ୍ରୀ ମରିବ ତେଣେ ଚାକିରି ହେବ ।

ମନୋରମା ମଲା ନାହିଁ । ଡାକ୍ତରଙ୍କର ଆଶଙ୍କା ଭୁଲ୍‌ ହେଲା । ସେମାନେ ହାତର ଛୁରୀ ଆଉ ମୁହଁରେ ମୁଖା ପିନ୍ଧିବା ଆଗରୁ ଆଗ ଲେଖାଇ ନେଉଛନ୍ତି—ଭଲମନ୍ଦ ପାଇଁ ସେମାନେ ଦାୟୀ ନୁହନ୍ତି । ଦାୟୀ ରଙ୍ଗନାଥ ।

ସେଇ କଥା ରେଳ ମଟର ବି କହୁଛନ୍ତି ତାଙ୍କର ଟିକଟ ପଛରେ ଲେଖା ଧାଡ଼ିଏ ଦେଇ–ବିପଦ ଆପଦ ଓ କ୍ଷତି ପାଇଁ ସେମାନେ ଦାୟୀ ନୁହନ୍ତି । ଦାୟୀ ହେଉଛନ୍ତି ଯିବା ଲୋକ–ରଙ୍ଗନାଥ ମନୋରମା ପରି ଲୋକ ।

ଏଣେ ସରକାର ନିୟମ କରୁଛି । ଆଇନ ଗଢ଼ୁଛି । ସବୁଥିରେ ଲେଖି ଦେଉଛି ଯେ ଆଇନକୁ ଜାରି କରିବା ଲୋକ ଅବା ଆଇନକୁ ଚଳାଇବା ଲୋକ ନିଜର ଭୁଲ୍‌ ପାଇଁ ଦାୟୀ ନୁହେଁ । ଆଇନ ଯାହା ଉପରେ ଚାଲିବ ସେହି ରଙ୍ଗନାଥ କି ମନୋରମା ଦାୟୀ ରହିବେ ।

ରଙ୍ଗନାଥ ନିଜକୁ ପଚାରୁଥିଲା ଯେ ସେ ପହିଲାରେ ଚାକିରିରେ ଯୋଗ ଦେବ କି ନାହିଁ-। ଆରମ୍ଭ ଦିନ ଉପସ୍ଥାନ ଖାଲି—ଏଥିରେ ଦାୟୀ କିଏ ?

 

ରଙ୍ଗନାଥ ନା ମନୋରମା ନା ମନୋରମାର ଶିଶୁ ସନ୍ତାନ ?

 

ଦାୟୀ ହେଲା ରଙ୍ଗନାଥ । ଗରହାଜିରା ହେଲେ ଚାକିରି ଦେବା ଲୋକ ଦାୟୀ ନୁହେଁ । ଚାକିରି କରିବା ଲୋକ ରଙ୍ଗନାଥ ଦାୟୀ ।

 

ଦିନ ଆଠଟା ବାଜି ଗଲାଣି । ସାଢ଼େ ନଅଟା ଭିତରେ ଗାଡ଼ି ନ ଚଢ଼ିଲେ ଉପଯୁକ୍ତ ସମୟରେ ଅର୍ଥାତ୍‌ ଘଡ଼ିରେ ଠଣ୍‌ ଠଣ୍‌ କରି ସାଢ଼େ ଦଶଟା ବାଜିଲା ବେଳକୁ ରଙ୍ଗନାଥ ଦାନ୍ତ ଦେଖାଇ ତାହାର ନୂଆ ମୁକରିରି କାମରେ ପ୍ରବେଶ କରିପାରିବ ନାହିଁ ।

 

ମନୋରମା ଅଚେତ୍‌ । ପାଖରେ ପିଲାଟା ଶୋଇଛି । ୟାରି ପାଇଁ ଚାକିରି ଆସିଛି ବୋଲି ମନୋରମା ବୁଝାଇଥିଲା ।

 

ମାଆ ଆଉ ପିଲା ଜାଣିବେ କେମିତି ରଙ୍ଗନାଥର ମନର କଥାକୁ ତାଙ୍କ ପାଇଁ ରଙ୍ଗନାଥର ଚାକିରି ଆଉ ତା’କୁ ଛାଡ଼ିଲେ ଦାୟୀ କେବଳ ରଙ୍ଗନାଥ ।

 

ଯାହା ହେଉଛି ହେଉ ରଙ୍ଗନାଥ ଯିବା ଦରକାର । ଚାକିରିରେ ଯୋଗ ଦେଲେ ସମସ୍ତଙ୍କର ଭଲ । କିନ୍ତୁ ଯିବ କେମିତି ? ପିଲାଟା ଅସହାୟ ଆଉ ମାଆ ମଧ୍ୟ ଅଚେତ ଓ ଅସହାୟ-

 

ରଙ୍ଗନାଥ ତାଙ୍କ ମୁହଁକୁ ଚାହିଁଥାଏ । ସେମାନଙ୍କର ମଣିଷ ମୁହଁ ନିଶ୍ୱାସ ପ୍ରଶ୍ୱାସରେ ଫୁଲି ଉଠୁଥାଏ ସାମାନ୍ୟରେ । ସେହି ଦେହ ମୁହଁ ଉଠପଡ଼ ହେଲାବେଳେ ଠାରି କହୁଥାନ୍ତି ରଙ୍ଗନାଥକୁ—ଯିବା ପାଇଁ ।

 

କେତେବେଳେକେ ମନୋରମା ଚାହିଁଲା—ଯାଇ ନାହିଁ ?

 

ରଙ୍ଗନାଥ କିଛି କହିବା ଆଗରୁ ସେ ପୁଣି ଆଖି ବନ୍ଦ କଲା । ବୋଧହୁଏ ଅଚେତ୍‌ ହେବା ଆଗରୁ ମନୋରମା ପହିଲା ତାରିଖରେ ରଙ୍ଗନାଥର ଚାକିରିରେ ଯାଇ ଯୋଗ ଦେବା କଥା ଭାବୁଥିଲା । ଔଷଧର ନିଶାରେ ବି ବିଳିବିଳେଇ ଏତକ କହିଛି ।

 

ଘରଟିରେ ଗହଳଚହଳ କମ୍‌ । କାହାରି ବିପଦ ଆପଦରେ ଦାୟିତ୍ୱ ସେହି ଲୋକର ସିନା ।

 

ଡାକ୍ତରଖାନାର ସିଷ୍ଟର ଆସିଲା ରୋଗୀକୁ ଦେଖିବା ପାଇଁ ।

 

ରଙ୍ଗନାଥ ଧୀରେ ପଚାରିଲା—ସେ ଯାଇପାରିବ କି ?

 

—ନିଶ୍ଚୟ । ଇଏ କ’ଣ ଅସୁବିଧା ରୋଗୀ ? ଅପରେସନର ଯନ୍ତ୍ରଣା କମ୍‌ କରିବାକୁ ନିଶା ଔଷଧ ଦିଆଯାଇଛି । ରୋଗୀ ଭଲ ଅଛି ।

 

—ଫେରିବାକୁ ସନ୍ଧ୍ୟା ହେଇଯିବ ।

 

ହସି ସିଷ୍ଟର କହିଲା—ହଉ । ରୋଗୀର ଦାୟିତ୍ୱ ଆମ ଉପରେ । ସେଥିରେ ଅନ୍ୟମାନେ କ’ଣ କରିବେ ?

 

ରଙ୍ଗନାଥ ଚାହିଁଥିଲା ଜଳକାଙ୍କ ପରି । ତାହାର ତାହାହେଲେ କ’ଣ ଦାୟିତ୍ୱ ନାହିଁ ? ସେ କ’ଣ ମୁକ୍ତ ?

Image

 

ଛୁଟି

 

ଦିନେ ଦିନେ ଯେମିତି ନିଜର ସ୍ତ୍ରୀ, ପିଲା ଆଉ ଘର ବଡ଼ ଅପୂର୍ବ ଲାଗନ୍ତି ଠିକ୍‌ ସେମିତି ଥରେ ଥରେ ଅତି ଆଖି—ଘଷରା ଜିନିଷ ବି କାହିଁକି କେଜାଣି ଅତୀତର ପ୍ରାଣମୟ ବେଦନାମୟ ଚିତ୍ର ହୋଇ ଉଠେ । ସେଦିନ ହୋଇଥିଲା ସେମିତି ।

ସ୍କୁଲ ବନ୍ଦ ହେବ । ଦଶହରା ପାଇଁ ଆଗୁଆ ଦରମା ମିଳିବ । ଘରେ ପିଲାପିଲିଙ୍କର କେତେ ଆଲୋଚନା ଆଉ ଆନ୍ଦୋଳନ ହେଇ ସଉଦାର ତାଲିକା ତିଆରି ହେଇଛି—ଠିକ୍‌ ବଜେଟ୍‌ର ଆୟ ଓ ବ୍ୟୟକୁ ଆଖି ଆଗରେ ରଖି । ଆଗୁଆ ଦରମାଟା ଯେମିତି ସ୍କୁଲ ହତାରୁ ସିଧାସଳଖ ଚାଲିଯାଇ ପାରିବ ଦୋକାନୀ ବେପାରୀଙ୍କର ବାକସ ଭିତରକୁ ।

ଅମରେଶ୍ୱର ବିଦ୍ୟାଳୟର ହତା ସେ ଦିନ ଦଶହରା ଛୁଟିର ମହକରେ ବଡ଼ ହାଲୁକା ହୋଇଥାଏ । ଶାସନ ହଠାତ୍‌ କୋହଳ ହୋଇଯାଇଛି ପାହାନ୍ତିଆ ପବନ ପରି ।

ସ୍କୁଲର ନାଲି ସାର୍‌—ଦେବେନ୍ଦ୍ର ସାର—ସେଦିନ ବି କାହାକୁ ଆକଟ କରିବେ ନାହିଁ । ଏଠି ସେଠି ପିଲା ପାଖକୁ ଆସୁଥାନ୍ତି ସାହସ କରି—ଏଇ ଛୁଟି ଦିନରେ ନାଲି ସାର୍‌ କେମିତି ରାଗିବେ ଜାଣିବା ପାଇଁ ।

ଦେବେନ୍ଦ୍ରବାବୁ ଓଠରେ ନ ହସିଲେ ବି ମନେ ମନେ ଖୁସି ହେଲେ । ଯାହାହେଉ ଆଜି ପିଲାଏ ଡରୁ ନାହାନ୍ତି । ନ ଡରନ୍ତୁ ଦିନେ—ପୁଣି ସ୍କୁଲ ଖୋଲିଲେ ସେମାନେ ବଢ଼ିର କୁଳଉଛୁଳା ଭୟଙ୍କର ରୂପ ଦେଖି ପାରିବେ ଯେ ।

ଦେବେନ୍ଦ୍ରବାବୁ ବାହାରକୁ ଆସିଥିଲେ । ସ୍କୁଲ ହତା ପାର ହେଇ ଖଣ୍ଡେ ଦୂର ଚାଲିଗଲେ-। ପିଲାମାନେ ସ୍କୁଲ ଭିତରୁ କୌତୂହଳରେ ଚାହିଁଥାନ୍ତି—ସାର୍‌ କେତେଦୂରରେ ତଳେ ବସିବେ ଦେଖିବା ପାଇଁ । କଡ଼୍‌ଡ଼ା ସାରଙ୍କର ପୁରା ହକିୟତ ଜାଣିବା ଦରକାର । ନ ହେଲେ ଛୁଟି ଦିନରେ ଆଲୋଚନା କ’ଣ ହେବ ?

ଦଳେ ସାର୍‌ଙ୍କର କଦମ୍‌ ଗଣିଲେ । ସେ କେଇ ପାହୁଣ୍ଡ ଯାଉଛନ୍ତି । ଆଉ ଦଳେ ରହିଲେ ଗଣିବା ପାଇଁ—ସାର୍‌ କେତେ ସମୟରେ ପରିସ୍ରା କରି ପାରନ୍ତି । ଆଉ ଦଳେ ରହିଲେ ଲୁଚି କରି ସାରଙ୍କର ଫେରନ୍ତି କଦମ୍‌ ଗଣିବା ପାଇଁ ।

ଗଣିତ ମାଷ୍ଟ୍ର କି ନା—ସ୍ରୋତର ଅନୁକୂଳ ପ୍ରତିକୂଳରେ ଡଙ୍ଗାର ବେଗରୁ ଓ ସମୟରୁ ସେ ଦୂରତା କହି ପାରନ୍ତି । ତାହା ହେଲେ ପିଲାମାନେ ବୁଝିବେ ଯିବା ଓ ଆସିବାର ଗତିରୁ ଅନେକ ପ୍ରକାରର ତଥ୍ୟ ।

ଦେବବାବୁ ଫେରିଲା ବେଳେ ଦେଖିଲେ ସ୍କୁଲ ଫାଟକ ପାଖରେ ତାଙ୍କୁ ପାଛୋଟି ନେବାକୁ ଅନେକ ଠିଆ ହୋଇଛନ୍ତି । ସେ ଯେତେ ପାଖକୁ ଆସୁଥାନ୍ତି ସେତେ ସଂଖ୍ୟା କମି ଯାଉଥାଏ । ଶେଷକୁ ସେ ଦେଖିଲେ ସ୍କୁଲ ଫାଟକ ଖୋଲି ଆଉ ଉପରେ ଲେଖା ହୋଇଛି ଅମରେଶ୍ୱର ବିଦ୍ୟାଳୟ ।

ହଠାତ୍‌ ସେହି ପରିଚିତ ନାମ ଫଳକ ଦେଖି ଦେବେନ୍ଦ୍ରବାବୁଙ୍କର ମନରେ ପୁରୁଣା କଥା ଉଇଁ ଆସିଲା । ଅଠେଇଶି ବର୍ଷ ହେଇଗଲାଣି ଚାକିରି । ଆଉ କେଇଟା ଦିନ ବା ବର୍ଷରେ ସେ ଚାଲିଯିବେ ବିସ୍ମୃତି ଭିତରକୁ ।

 

ମନଟା ହଠାତ୍‌ ଦବିଗଲା ।

 

ନୂଆ କଥା ନୁହେଁ । ଦଶବର୍ଷ ହେଲାଣି ସେ ଘରେ ଓ ବାହାରେ ନିଜର ଏହି ଦେହ ଓ ଚାକିରିର ପରମାୟୁର କ୍ଷୟକ୍ଷତି ବିଷୟରେ ଆଲୋଚନା କରୁଛନ୍ତି । ହେଲେ ବି ହଠାତ୍‌ ଯେମିତି ମନେ ହେଲା ଆଉ ତ ଅଳ୍ପ ଦିନ—ଦିନ ହଜାରେ ପାଖାପାଖି । ଦଶହରା ଛୁଟି ତିନିଟା ଆସିବ । ମୋଟେ ତିନିଟା....

 

ତାହାହେଲେ ନିଜର ହେଲା କ’ଣ ? ସ୍କୁଲଟା ଭଲ ହେଲା । ପିଲାମାନେ ଭଲ ହେଲେ-। ସ୍କୁଲର ଭଲଟା ପ୍ରଧାନ ଶିକ୍ଷକ ପୂରା ନେଇଗଲେ । ପିଲାମାନଙ୍କର ଭଲ ତାଙ୍କ ଘରେ ଲୋକ ନେଇଗଲେ । ଦେବବାବୁ ନେଲେ କ’ଣ ?

 

ପାଖ ଦେବଦାରୁ ଗଛରେ କାଉ ରାବୁଥିଲେ । ଗଛ ମୂଳରେ କାଉଙ୍କୁ ଦୃଷ୍ଟି ରଖି ଗୁଣ୍ଡିଚା କେଇଟା ଏପାଖ ସେପାଖ ହେଉଥିଲେ ।

 

ଦେବବାବୁଙ୍କ ଆଡ଼େ ସତର୍କ ଆଖି ରଖି ପିଲାମାନେ ଦୂରରେ ଆନନ୍ଦ କରୁଥିଲେ ।

 

ପାଖରେ କେହି ନାହିଁ । ମୁରୁକି ହସି ଦେବବାବୁ ଭାବିଲେ ଏଇ ଦେବଦାରୁ ଗଛ ଆଉ ଅମରେଶ୍ୱର ବିଦ୍ୟାଳୟ ସମାନ । ଏଇ ଗଛ ଡାଳର କୂଆ ଆଉ ଗଛମୂଳର ଗୁଣ୍ଡୁଚି ଯାହା, ସେହି ସ୍କୁଲର ଦେବ ବାବୁ ଆଉ ତାହାର କଅଁଳ ଚଞ୍ଚଳ ପିଲାଗୁଡ଼ିକ ବି ସେଇଆ—

 

ଭିତରୁ ଗୋଟିଏ ଦୀର୍ଘ ନିଶ୍ୱାସ ବାହାରି ଆସିଲା—ନିଜ ପାଇଁ ।

 

ଆସିବାର କଥା । ଅନେକ ଦିନ ଏମିତି ନିଶ୍ୱାସ ନେଉଥିଲେ, ଏମିତି ଧାଇଁ ଧପଡ଼ି ଲାଗିଥିଲେ ଦିନେ ଦିନେ ବିରତି ଆସେ । ଦଶହରା ଛୁଟି ସେମିତି ଆସିଛି ।

 

ମଠ ମଠ ହୋଇ ସ୍କୁଲ ଭିତରକୁ ପଶିଲେ । ପିଲାମାନେ ଛପି ଯାଉଛନ୍ତି—ଖଣ୍ଡ ବଉଦରେ ଜହ୍ନ ଛପିଲା ପରି । ସେ କିନ୍ତୁ ବିରକ୍ତ ହେଲେ ନାହିଁ ।

 

ପ୍ରଧାନ ଶିକ୍ଷକଙ୍କର ଅଫିସ ଭିତରକୁ ଚାଲିଗଲେ ।

 

—କ’ଣ ଦେବବାବୁ ? ଦଶହରା ହେଲା ।

 

—ହଁ । ମୋର ଯୋଡ଼ିଏ ତିନୋଟି ଦଶହରା ଅଛି ।

 

—ଏଁ । ଆପଣ ମୋଠାରୁ ସାତ ବର୍ଷ ବଡ଼ ?

 

—ହଁ । ହବା କଥା । କହି ତଳକୁ ମୁହଁ ପୋତିଲେ ।

 

—ଛୁଟିରେ କ’ଣ କେମିତି ପ୍ରସ୍ତାବ କରିଛନ୍ତି ?

 

—ଭାବୁଛି ଯିବି କେଇଦିନ ।

 

—କୁଆଡ଼େ ?

 

—ଏଇ ରାଜଧାନୀକୁ ।

 

—କାହିଁକି ?

 

—ଖାଲି ଦେଖିବା ପାଇଁ ଅନ୍ୟମାନେ କିଏ କ’ଣ କେମିତି କେତେ ଦିନରେ କଲେ ?

 

—ଓ, ଏଇଥିପାଇଁ ରାଜଧାନୀରେ କ’ଣ ହେବ ?

 

—ଏଇଠି ଦେଖିବା ସମ୍ଭବ । ଏଇ ସ୍କୁଲ ହତା ପାଖ ଅରମା ଖଣ୍ଡକୁ ଦେଖିଲେ ବି ଜାଣି ହବ ।

 

—କ’ଣ ?

 

—ଦୁବ ଆଉ ଦେବଦାରୁ ଦିହେଁ ଉଦ୍ଭିଦ । ଦୁହେଁ ପୁରୁଣା—ଦୁହେଁ ଜୀଅନ୍ତା । ଦିହେଁ ସରକାରୀ । ଆଉ ଦିହେଁ ଆପଣା ଗୁଣରେ ବଡ଼ ।

 

—ନିଜ କଥା ଭାବୁଥିଲି ।

 

—ମୁଁ ବି ଭାବେ ସେଇକଥା । ମେଘ ବର୍ଷିଯାଏ—ଗଛ ବଢ଼େ ପୋକ ମରନ୍ତି । ସେମିତି ସଂସାର ବଢ଼େ । ଏଣେ ମଣିଷ ମରନ୍ତି । ଆମେ ଖଟିଲେ ପିଲାଏ ମଣିଷ ହେବେ ।

Image

 

ହଟିଆର ହାଟ

 

—ଯାଉଛି । କାମ ଅଛି

 

—ହଁ, କାମ କ’ଣ ନ ଥାନ୍ତା ? ଭାରି ଏକୁଟିଆ ଲାଗୁଛି । ଆଉ ପନ୍ଦର ମିନିଟ୍‌ ବସି ଯାଆ-ଭଲ ଲାଗିବ ।

 

—ଏକୁଟିଆ କାହିଁକି ?

 

—ଜାଣି ନାହୁଁରେ ଧିର । ବୟସ ହୋଇଗଲେ ବୁଝିବୁ ଯେ ମଣିଷ ଭାରି ଏକୁଟିଆ.... ତୁମକୁ ସିନା ଷାଠିଏ । ମୁଁ ଯେ ଆଉରି ଏଗାର ବର୍ଷ ବଡ଼ ।

 

—କ’ଣ ହେଲା ?

 

—ସ୍ତ୍ରୀ ସାଙ୍ଗରେ କଥା ଭାଷା ନାହିଁ ।

 

—କାହିଁକି ?

 

—ଯେତିକି ଟଙ୍କା ସେ ନଷ୍ଟ କରୁଥିଲେ ଠିକ୍‌ ସେମିତି ସେହିପରି ସେ ମାସକୁ ମାସ ନଷ୍ଟ କରିବାକୁ ଚାହାନ୍ତି । ମୁଁ ନଷ୍ଟ ଉପରେ ତଦାରଖ କରିବାରୁ ହେଳା କଲି ।

 

ଭାରି ଅଡ଼ୁଆ ତ ।

 

—ସମସ୍ତେ ଏହି ଅଡ଼ୁଆରେ ପଡ଼ନ୍ତି । ସ୍ତ୍ରୀମାନେ ଭାରି ବିଚାରହୀନ । ନିଜେ ରୋଜଗାର ନ କରି ପର ରୋଜଗାରରେ ମାମଲତ ଜାରି କରିବାରେ ଭାରି ଧୁରନ୍ଧର ।

 

—କ’ଣ ହେଲା ହଠାତ୍‌ ?

 

—ଏଇ ବାହାଘରର ବେଭାର ନେଇ । ମୁଁ କହିଲି ସ୍ତ୍ରୀଙ୍କୁ ଯେ ଆମେ ନିଜର ଅବସ୍ଥା ବିଚାର କରି ସିନା ଦବାନବା କରିବା । ଏଣେ ସ୍ତ୍ରୀ କହୁଛନ୍ତି ଯେ ଦବା—ନବାରେ ଆମେ ଆମର ଅବସ୍ଥା ବିଚାର ନ କରି ମରି—ସରି ଦେଇଯିବା । ଏଇଠି କଳି ।

 

—କଳି ହେଲେ ଯାଏ ଆସେ ନାହିଁ । ଏସବୁ ବଦ୍‌ଖିଆଲକୁ ଦବେଇବା ଦରକାର ।

 

—ସେଇଥିପାଇଁ ପରା ଖିଆପିଆ ଖରାପ । କଥା କ’ଣ କି ଯେ ବାବୁ ଟିକିଏ ଭଲ ମନ୍ଦ ଖୋଜୁଛନ୍ତି । ଏଣେ ଯଦି ପଇସା ସରିଲାଣି ତେବେ ସେ ସେମିତି ମୋଟାରୋଟା ଖାଇ ଯାଆନ୍ତୁ ।

 

—ବାଃ, ଖାଇବା ପିଇବାରେ ଆସି କଥା ଉଠିଲାଣି ?

 

ଠିକ୍‌ ଏତିକି ବେଳେ ପୁଅ ଯାଇଥିଲା ବଜାରକୁ । ବାପା କହିଲେ—ବଜାରରେ ଦେଖିବୁ ମାଛ ମିଳୁଛି କି ?

 

—ନ ମିଳିବ କାହିଁକି ? ତେବେ ସାନ ପିଲାଟିର ଦେହ ଭଲ ନାହିଁ । ମାଛ ଆସିଲେ ସେ ନିଶ୍ଚେ ଖାଇବ ।

 

—ହଉ, ତାହା ହେଲେ ଥାଉ । ସାଧା ପରିବାରେ ଚଳିଯିବ ।

 

ପୁଅ ଚାଲିଗଲା ପରେ ସେ କହିଲେ—ହେଇ ଶୁଣିଲୁ ତ । ମୋରି ଘରେ ମୋରି ଟଙ୍କାରେ ମୁଁ କେମିତି ଅନ୍ୟମାନଙ୍କର ବରାଦ ନେଉଛି ।

 

—ବଡ଼ ଦୁଃଖର କଥା । ଏହି ଲୋକେ ନିଜ କଥା ଖାଲି ଭାବୁଛନ୍ତି ।

 

—ଏବେ ବୁଝିଲୁ ତ କ’ଣ ପାଇଁ ମୁଁ ସମସ୍ତଙ୍କ ପାଖରେ ଥାଇ ମଧ୍ୟ ଏକୁଟିଆ । ମୋର ସ୍ତ୍ରୀ ଓ ପିଲା ମୋ ପାଖରେ ପର ।

 

—ତେବେ ବଡ଼ କଷ୍ଟ ଲାଗୁଥିବ ସତରେ ।

 

—ହଁ । ଲାଗେ । ଭାରି ଖରାପ ଲାଗେ । ଜାଣିଛୁ ତ ମୋର ଯାହା କିଛି ଅଛି ମୋର ନିଜର ଅର୍ଜନ । ବାପା ଅଜା ମତେ ଗୁଣ୍ଠେ ଡିହ କି ମାଣେ ଜମି ଦେଇ ନାହାନ୍ତି । ସେଥିପାଇଁ ଭାବେ ମୋରି କଥା ମୁଁ କରିଯିବି ।

 

—ଏଥିରେ ଭୁଲ୍‌ ନାହିଁ ।

 

—ଭୁଲ ନାହିଁ ସତ । କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ଆମେ ଏଇ ନିର୍ବୋଧଙ୍କର ଦଳ ପାଇଁ । ସ୍ତ୍ରୀ ମନେ କରେ ମୁଁ ବୁଢ଼ା—ତେଣୁ ମୋର ସ୍ତ୍ରୀ ଦରକାର ନାହିଁ । ପୁଅ ଭାବେ ଯେ ବାପା ବୁଢ଼ା—ତାହାର ସଉକ କୁଆଡ଼ୁ ଆସିବ ? ସେମାନଙ୍କର କାରବାର ଦେଖି ବେଳେ ବେଳେ ଅତିଷ୍ଠ ହୁଏ । ଶାସ୍ତି ଦେବାକୁ ମନ ଡାକେ ।

 

ଏହିପରି ଅବସ୍ଥାରେ ଶାସ୍ତିର ବ୍ୟବସ୍ଥା ରହିବା ଉଚିତ୍‌ । ନ ହେଲେ ଏହି ପଛୁଆ ଆଉ ପଛବୁଦ୍ଧିଆ ସମାଜରେ କେହି ପାଠ ଶିଖିବେ ନାହିଁ ।

 

ଭାବି କହିଲେ—ନା, ଥାଉ । ଭୁଲିଯାଆ । ମୁଁ ଯାହା କହିଲି ସେତକ ପାଶୋରି ପକା । ଏମାନଙ୍କୁ କ୍ଷମା ଦେବା ଉଚିତ୍‌ ।

 

ତେଣେ ଘର ଭିତରେ ପୁଅ ମାଆକୁ କହୁଥିଲା—ଶୁଣିଲୁ ବାପାଙ୍କ ଅକଲ । ପିଲାଟାର ଦେହ ଖରାପ । ବାପା ପଚାରୁଥିଲେ ବଜାରର ମାଛ କଥା ।

 

—ବୁଢ଼ା ହେଲେଣି ନା ତାଙ୍କର ଅକଲ ମରିଗଲାଣି । ବଡ଼ ଆପଣା—ସାର୍ଥୀକା ହୋଇଗଲେଣି । ବୁଢ଼ାମାନେ ଏମିତି ହୁଅନ୍ତି ।

 

—ହେଇ ଶୁଣିଯାଅ ଧିର । କେମିତି ସାଠିଫିକେଟ ମୋରି ଘରେ ମୋରି ଲୋକେ ମତେ ଦେଉଛନ୍ତି । ବୁଢ଼ା ଉପରେ ନାଉ ହୋଇ କାଖ ହୋଇ ରହିବା ଲୋକ କେମିତି କଥା କହନ୍ତି-

Image

 

ଆଶଙ୍କାର ଦେହ ଓ ଆତ୍ମା

 

ଆମେ ମଣିଷ ।

ପଶୁ ହେଇଥିଲେ କଥାଟା ଅଲଗା । ପଶୁମାନେ ଦଳ ବାନ୍ଧି ଚରିପାରନ୍ତି କିମ୍ୱା ଲଢ଼େଇ କରିବାକୁ ଯାଇପାରନ୍ତି । ଗୋଟିଏ ବୋବାଇଲେ ଅନ୍ୟମାନେ ଚଞ୍ଚଳ ହୋଇ ଉଠନ୍ତି—ନିଦ ଭାଙ୍ଗିଯାଏ । କିନ୍ତୁ ଆମେ ଯେତେବେଳେ ମଣିଷ, ଆମେ କ’ଣ ପଶୁଙ୍କ ପରି ଘଟଣା ଘଟିଲା ପରେ ସଚେତନ ହେବୁ ? —ନା,—ଆମେ ଆଗରୁ ବହୁତ ଆଗରୁ—ସଚେତନ ରହିବା କଥା ।

ମାଳବିକାର ଗୋଟଏ ଅପରେସନ ହେବ । ସେ ବିଭିନ୍ନ ପ୍ରକାରର ଚିକିତ୍ସା କରି ଭଲ ହେଲା ନାହିଁ । ଡାକ୍ତର କହିଲେ—ଛୁରୀ ଛଡ଼ା ଆଉ କିଛି ବାଟ ନାହିଁ ।

—ଏଁ ? ଜନାର୍ଦ୍ଦନ ବାବୁ ବିଜ୍ଞାପନ ଦେଇଛନ୍ତି ଯେ ମଣିଷ ତାହାର ମୂତକୁ ନେଇ ଔଷଧ ରୂପେ ବ୍ୟବହାର କଲେ ସବୁ ରୋଗରୁ ଭଲ ହେବ । ସେମିତି ମଧ୍ୟ ବିଜ୍ଞାପନ ରହିଛି କେବଳ ଉପବାସ ଉପରେ । ସବୁ ପ୍ରକାରର ଅସୁବିଧା ପାଇଁ ଉପବାସ—ଜଳ ଚିକିତ୍ସା—ଗରମ ଚିକିତ୍ସା—ପୂଜା, ବ୍ରତ, ଅଧିଆ—ସବୁଥିରେ ଫଳ ସମାନ ।

—ଆହା, ମାଳବିକା ଗୋଟାଏ ନିର୍ବୁଦ୍ଧିଆ ବୋଲି ଏହି ସହଜ ବାଟଗୁଡ଼ାକ ଛାଡ଼ି ଦେଇ ଛୁରୀ, କତୁରୀ, ତୁଳା ଓ ନିଶ୍ଚେତନ ଇତ୍ୟାଦିର ବାଟକୁ ଗଲା । ଦେହକୁ ଆରୋଗ୍ୟ କରିବା ପାଇଁ ଯଦି କଟାକଟି ଗୋଟିଏ ସୁନ୍ଦର ବାଟ ତାହାହେଲେ ଏହି ସଂସାରର ଅସଂଖ୍ୟ ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ମରଣ ତ ଭଲ ବାଟ ।

—ଇସ୍‌ ତମର ମୁଣ୍ଡ ଖରାପ ହୋଇଗଲାଣି । ନ ହେଲେ ଡାକ୍ତରର ଅପରେସନ ସାଙ୍ଗରେ ଆତ୍ମହତ୍ୟାକୁ କିଏ ତୁଳନା କରନ୍ତା ?

ଏଣେ ପିଣ୍ଡାରେ କୁକୁର ଦୁଇଟି ଶୋଇଥାନ୍ତି । ଡରୁଆଟିକୁ କାମୁଡ଼ିବାକୁ ବାହାରୁ କୁକୁର ପାଚେରୀ ଡେଇଁ ପଶନ୍ତି । ସେ ବିଚାରୀ ମରଣ ଡରରେ ଏଣେ ତେଣେ ଲୁଚେ । କାହିଁ ତାହାର ସାଥି ସେଥିରେ ମୁଣ୍ଡ ପତାଏ ନାହିଁ । କିନ୍ତୁ ଅନ୍ୟ ସମୟରେ ସେ ସେହି ଡରକୁରୀ ବେକରୁ ଟିଙ୍କ ଓ ମାଛିଙ୍କୁ ସଫା କରେ ।

ସେ ଦୁଇଟି ଆନନ୍ଦରେ ଶୋଇଥିଲେ । ମାଲିକର ଏହି ସମସ୍ୟା ସାଙ୍ଗରେ ତାଙ୍କର କିଛି ସମ୍ୱନ୍ଧ ନାହିଁ । କୁକୁରଙ୍କର ଅପରେସନରେ ଅନ୍ୟ କୁକୁର ଆସି ସହାନୁଭୂତି ଦେଖାନ୍ତି ନାହିଁ—ଓଲଟି କାମୁଡ଼ି ଖତମ୍‌ କରିବାକୁ ଦାନ୍ତ ଦେଖାନ୍ତି ।

—ଓଃ, କ’ଣ କରିବାକୁ ହବ ? ବାବୁ ଘରେ ରହିବେ । ଦୁଆର ଖିଡ଼ିକି ବନ୍ଦ କରିବା ଦରକାର ନାହିଁ । ସେ ଥିଲେ ମଣିଷ ନିଦକ ହୋଇ ସହର ଛାଡ଼ି ଯାଇପାରିବ ।

ବାବୁ ଏହି କଥା ଶୁଣି ବଡ଼ ପାଟିରେ କହିଲେ—ଯେ ଯାହାର ଘର ଓ ବାକ୍‌ସ ଆଲମାରି ବନ୍ଦ କରି ଦେଇ ଯାଅ । ମତେ ଜଗୁଆଳୀ କରି ରଖିଗଲେ ମୁଁ ବି ଯିବି ଅପରେସନ୍‌ ଦେଖିବାକୁ ।

—ତମର ତ ଏଇ ସବୁ କାମରେ ଆସ୍ଥା ନାହିଁ ।

—ଆଗେ ନ ଥିଲା । ଏବେ ମୋର ବହୁତ ଆସ୍ଥା ଆସିଗଲାଣି ଏଇ ଅଦରକାରୀ କାମଗୁଡ଼ାକଙ୍କ ଉପରେ ।

 

—ଛି, କ’ଣ କହୁଛ ଯେ । ମାଳବିକା ଶୁଣିଲେ ଭାରି ଦୁଃଖ କରିବ ।

 

—ଆଃ । ତୁମ ଦଳଙ୍କୁ ଦେଖିଲେ ସେ ଆଗ ବିଚଳିତ ହେଇ ପଡ଼ିବ । ସେ ରୋଗୀ ହେବ ନା ତମ ପରି ମାଳେ କୁଣିଆଙ୍କର ହେପାଜତ କରିବ ?

 

—ଆମେ ଆମର ସୁବିଧା କରି ଯାଉଛୁ । ମାଳବିକାକୁ ଆମ ପାଇଁ ବ୍ୟସ୍ତ ହେବାର କିଛି ନାହିଁ ।

 

—ତେବେ ଯାଉଛ କାହିଁକି ?

 

—ଦରକାର ।

 

ଏଇ ଦରକାରର ସୂତ୍ର ଧରି ଦଳେ ଯାଇଥିଲେ ଘର ଛାଡ଼ି । ପ୍ରତ୍ୟେକ ମନେ କଲେ ସେ ନଗଲେ ତାହାର ନ ଯିବାଟା ବଡ଼ ଅପୂରଣୀୟ କ୍ଷତି କରିବ ।

 

ମାଳବିକା ଦୁଆରେ ପହଞ୍ଚିଲା ପରେ କୁକୁର ଭୁକିଲା—ମାଳବିକା କବାଟ ଠେଲି ଚାହିଁଲା—ଚାରିଜଣ ଆସିଗଲେଣି ରୋଗୀ ପାଇଁ ସହାନୁଭୂତି ଦେଖାଇବାକୁ—ଆଃ, ଏଇ ବର୍ଷାରେ ଓଦା ହୋଇ କାହିଁକି ଆସିଲ ମ ?

 

—କି ବର୍ଷା ଏମିତି ? ବର୍ଷାଦିନେ ବର୍ଷା ହୁଏ । ଆମେ ନ ଆସିଥିଲେ କ’ଣ ତିନ୍ତି ନ ଥାନ୍ତୁ । ଅପରେସନ ହେଉଛି ନା ?

 

—ହଁ । ସନ୍ଧ୍ୟା ଆଠଟାରେ ସମୟ ଦେଇଛନ୍ତି । ଆଉରି ତିନି ଘଣ୍ଟା ଡେରି ।

 

ଗପ ଜମିଗଲା । ଭୟର କାରଣ ନାହିଁ । ଏଇଟା ମାମୁଲି ଅପରେସନ୍‌ । ଦିନକୁ ହଜାର ଥର ହେଉଛି ।

 

ଶୁଣି ଶୁଣି ବେଦମ୍‌ ହେଲା ପରେ ପଚାରିଲା—ଯଦି ଅପରେସନ୍‌ ଏତେ ତୁଚ୍ଛ ଆଉ ବାଜେଟାଏ ତାହା ହେଲେ କ’ଣ ପାଇଁ ଆସିଛ ?

 

—ଏମିତି ? ...କାଳେ ତମେ ଡରିବ ବୋଲି ।

 

—ନା । ମୁଁ ଡରିଲେ ବି ଅପରେସନ୍‌ କରିବାକୁ ବାଧ୍ୟ । ଡର ମାଡ଼ୁଛି ଠିକ୍‌ । ତମେମାନେ ହେଲେ କହନ୍ତ—ଏଇଟା ଗୋଟାଏ ସଙ୍ଗୀନ୍‌ ଆଉ ସାଂଘାତିକ ଅପରେସନ୍‌ ।

 

—ମୋଟେ ନୁହେଁ ।

 

—ଏଥିରେ କ’ଣ ଟିଟାନସ୍‌ ହୁଏ ନାହିଁ ? ଏଇ ଅପରେସନରେ ଅଧିକ ରକ୍ତସ୍ରାବ ହୋଇ ରୋଗୀ କ’ଣ ବେକାଇଦା ହୁଅନ୍ତି ନାହିଁ ?

 

—ହଁ । କେହି କେହି ହୁଅନ୍ତି ।

 

—ମୋର ବି ସେମିତି ହୋଇପାରେ । ଯାହା ହେବାକୁ ଥିବ ହେଇଯିବ । ସେଥିପାଇଁ ମୁଁ ମୋଟେ ବ୍ୟସ୍ତ ନୁହେଁ ।

 

—ଦେଖ । ଏସବୁ କଥା ଭାବ ନାହିଁ । ଖରାପ ହୋଇଯିବାର ଆଶଙ୍କା କର ନାହିଁ ।

 

—ତାହା କେମିତି ହବ ? ଆଖି ଆଗର ଘଟଣାକୁ କେହି କ’ଣ ପାଶୋରି ଦେଇ ନିଜକୁ ମିଛ କହି ଭଣ୍ଡେଇ ପାରିବ ? ପରକୁ ଠକି ହୁଏ—ନିଜକୁ ଠକି ହୁଏ ନାହିଁ ।

 

—ତାହାହେଲେ କ’ଣ କହୁଛ ?

 

—ଏମିତି କିଛି ନାହିଁ । ଭଲ ହେଉଛି ଯେ ବାଧ୍ୟରେ ମୁଁ ନିଜ କଥା ଭୁଲି ତମ କଥାରେ ମାତିଯାଉଛି । ଠିକ୍‌ ଅପରେସନ୍‌ ଆଗରୁ ରୋଗୀକୁ ଅଚେତ୍‌ କରି ଦେହକୁ ଠକି ଦେଲା ପରି ଆମେ କ’ଣ ସହାନୁଭୂତି ଦେଖାଇ ନିଜକୁ ଅଚେତ୍‌ କରୁନାହୁଁ ?

 

—ଇଏ ତ ସଂସାରର ଚଳନ୍ତି କଥା ନୁହେଁ ।

 

ମାଳବିକା ହସିଥିଲା । ସେ ଭୁଲି ଯାଇଥିଲା ତାହାର ଅପରେସନର ଆଶଙ୍କା—

Image

 

କୁଟିଳ ମନର ପରିଧି

 

ଏଇ ସଂସାରଟା ଜଟିଳ—ସରଳ ମୋଟେ ନୁହେଁ ।

 

ତଥାପି ଲୋକେ ନିଜକୁ ଠେଲି ପେଲି ସଂସାରୀ ହୁଅନ୍ତି । ଆଉ ସଂସାର ହେଇ ସାରିଲା ପରେ ତାଙ୍କର ଗୋଟାଏ ବେଲି—ଏଇଟା—ସେଇଟା—ସବୁଟା ବିଗିଡ଼ିଗଲା । ଏସବୁ ବିଗିଡ଼ି ନ ଥିଲେ ସେ ବଡ଼ ସୁଖ ଆନନ୍ଦରେ ରହିଥାନ୍ତା ।

 

ସବୁ ବୁଢ଼ାଙ୍କର ଏଇ ଗୋଟିଏ ଅଭିଯୋଗ ସଂସାର ବିଷୟରେ । ବୋଧହୁଏ ସେଥିପାଇଁ ଅଭିଯୋଗର ପରିମାଣ ଓ ଆକାର ନିଜର ଜରାର ସୀମାରେଖା....ପରିଧି ।

 

କିନ୍ତୁ ଲମ୍ୱା ବାଟ ଆଉ ଦୂରଦେଶ ବାଟୋଇର ଗୋଟିଏ ବଡ଼ ସୁବିଧା ଥାଏ । ଲକ୍ଷ୍ୟ ସ୍ଥାନରେ ପହଞ୍ଚିବା ଯାଏ ସେ ନିଜ ଉପରେ ଆସ୍ଥା ରଖି କାମ କରୁଥାଏ । ଯାହାର ଲକ୍ଷ୍ୟ ରହିଛି—ସେହି କେବଳ ଚାଲେ ।

 

ଆଉ ଚାଲିବାର ଅର୍ଥ ହେଲା ସଂସାର ।

 

ଏମିତି ଆମେ ଚାଲିଥାଇଁ ଅସୁମାରୀ ଲୋକ କେଜାଣି କେଉଁ ଅତୀତ କାଳରୁ । ଆମର ଲକ୍ଷ୍ୟ ହେଲା ପିଲାଙ୍କୁ କୂଳରେ ଲଗାଇବା—ମଣିଷ କରିବା । ନିଜେ ବଞ୍ଚିବାର ଖୋରାକ ନ ପାଇଲେ ଏଇଠୁ ସେ ସଂଗ୍ରହ କରିପାରେ ।

 

ତାହା ହେଲେ ସଂସାରର ଏହି କୁଟିଳ ଭଙ୍ଗିମା କ’ଣ ମଣିଷର ଆଶୀର୍ବାଦ ନୁହେଁ ? —ନା, ଏଇଟା କେବଳ ଅଭିଶାପ ?

 

ଏମିତି ଆମେ ସମସ୍ତେ ସଂସାରୀର ଦୁଃଖ ଭୋଗିଲା ବେଳେ ଯେତେବେଳେ ବୁକୁଫଟା ଚିତ୍କାର କରି ମନର ଅସରନ୍ତି ଅଭିଶାପ ନେଇ ଠାକୁରଙ୍କ ଉପରେ ଠୁଳେଇ ଦେଉ ସେତିକିବେଳେ ଏଇ ପ୍ରଶ୍ନର ଉତ୍ତର ଆସେ ।

 

ସୀତାକାନ୍ତ ବାବୁଙ୍କର ହୋଇଥିଲା ।

 

ବୟସ ଅଠାବନ ହେଲାବେଳେ ସେ ହଠାତ୍‌ ଅସୁସ୍ଥ ଓ ଅଶ୍ୱସ୍ତି ଅନୁଭବ କଲେ ।

 

ଲୋକଙ୍କର ନାମ ମନେ ରହୁନାହିଁ । ଚିହ୍ନା ମୁହଁକୁ ଚିହ୍ନି ହେଉନାହିଁ । କାମ କରିବାକୁ ସ୍ପୃହା ଆସୁନାହିଁ । ପେଟ ପୋଷିବାର ସାମର୍ଥ୍ୟ ନାହିଁ ।

 

ତାହା ହେଲେ ଏହି ଅଭିଶପ୍ତ ଜୀବନର ଅଭିଶାପକୁ ବୋହି ବୋହି ଚାଲିବାରେ ଲାଭ କ’ଣ ?

 

କାମ ତ ସହଜରେ ଛିଣ୍ଡେ ନାହିଁ । ବୁଢ଼ା ହେଇ ପିଲାକୁ କୂଳରେ ଲଗାଇବା କାମରେ ଲାଗିଲେ କାମ କେବେହେଲେ ଛିଣ୍ଡିବ ନାହିଁ । କାରଣ ପିଲା ଓ ବୁଢ଼ାର ସମ୍ୱନ୍ଧ ଚିରସ୍ଥାୟୀ ସମ୍ୱନ୍ଧ । ପିଲା ଯେତେ ବଡ଼ ହୋଇ ଯେତେ ବୁଢ଼ା ହେଉ ନା କାହିଁକି ତାହାରି ବୁଢ଼ାଙ୍କ ପାଖରେ ସେ ପିଲା ।

 

ଆଉ କୂଳରେ ଲାଗିବା କି କୂଳରେ ଲଗାଇବା ଗୋଟାଏ ମାଳ ପରି ଅସରନ୍ତି । କେହି କେବେ ମନକୁ ସନ୍ତୋଷ ଦେଲା ଭଳି କୂଳରେ ଲାଗିପାରେ ନାହିଁ । ମଣିଷର ଭାଗ୍ୟର କୂଳ ମଧ୍ୟ ଚକ୍ରବାଳ ପରି ଦିଗନ୍ତ ବିସ୍ତାରି—ଯେତେ ହେଲେ ବି ସେତେ ବଳକା ରହେ ।

 

ତେଣୁ ଏହି ଗୋଲକଧନ୍ଦାକୁ ଆଶ୍ରା କରି ଅନେକ ଲୋକ ନିଜକୁ ଠକାଇ, ଭୁଲାଇ ଦିନ ଗଡ଼େଇ ନେଇ ଯାଆନ୍ତି ।

 

ବୁଢ଼ା ସୀତାକାନ୍ତ ଷାଠିଏ ଘାଟି ପାଖରେ ଠିଆ ହୋଇ କହୁଥିଲେ—ଅଲାଜୁକକୁ ମରଣ ନ ଥାଏ । ବୁଢ଼ାଙ୍କୁ ବି ମରଣ ଆଦରିବ କାହିଁକି ?

 

—କିଏ ତୁମକୁ ବୁଢ଼ା କହିଲା ? ଲୋକେ ତ ତେୟାଅଶି ତେୟାନବେ ବର୍ଷରେ ବେଶ୍‌ କାର୍ଯ୍ୟକ୍ଷମ ଓ ଦରକାରୀ ।

 

—ହଁ । ଯେଉଁମାନଙ୍କର ଜୀବନ କାମରେ ଲାଗୁଛି ଅବା ଯେଉଁମାନଙ୍କର ଜୀବନରେ ଯଶ ଆସୁଛି ତାଙ୍କ କଥା ଅଲଗା । କିନ୍ତୁ ଅଦରକାରୀ ଜୀବନକୁ ବୁଢ଼ା ବେଳେ ପୋଷି ବସିଲେ ଲାଭ କାହାର ?

 

ତମର ପିଲାର ଲାଭ ନିଶ୍ଚୟ ରହିଛି । ତୁମକୁ ଆଶ୍ରା କରିଥିବା ଲୋକେ ଓ ତୁମ ଉପରେ ଭରସା ରଖିଥିବା ଲୋକେ ଅବଶ୍ୟ ତୁମର ବୁଢ଼ା ଜୀବନର ଅଇଁଠାକୁ ଚାହିଁ ରହିଛନ୍ତି ।

 

—ସିଏ ତାଙ୍କର ଭୁଲ୍‌ । ବାଜେ ଅଳିଆ ଚାଲିଗଲେ ସମସ୍ତଙ୍କର ଲାଭ । ହଡ଼ା ବଳଦ ସାଙ୍ଗରେ ଛନ୍ଦି ହୋଇ ଗୁହାଳ କରିବାରେ ଲାଭ ନାହିଁ ।

 

ନିଜକୁ ଥରେ ଆଉ ଚାରିଆଡ଼କୁ ସୀତାକାନ୍ତ ଚାହିଁଲେ ଏଇ ଅଧା ପାକୁଆ ପାଟି ଆଉ ପୂରା ପାଚିଲା ରୂମକୁ ନେଇ କାହାରି କ’ଣ ଭଲ ହେଇପାରେ ?

 

ତାଙ୍କରି ଆଗ ଦେଇ ସେତେବେଳେ ତାଙ୍କର ହଡ଼ା ବଳଦ ଦାଣ୍ଡରେ ଚରୁଥିଲା । ପଞ୍ଜର ଗଣି ହେଉଛି । ଆଖି ପଶିଗଲାଣି । ମୁହଁ ଥୋମଣି ଶୁଖି ଯାଇଥିବାରୁ ଶିଙ୍ଗ ଦୁଇଟା ବାହାରି ପଡ଼ିଲା ପରି ହୋଇଛି ।

 

ସୀତାକାନ୍ତ ନିଜକୁ ପଚାରିଲେ—ଆମର ଏଇ ବୁଢ଼ା ହଡ଼ାଟି କ’ଣ କାମରେ ଲାଗିବ ?

 

—ଆରେ, ବେହେରା, ଏଇ ବଳଦ କ’ଣ କରୁଛି ଏଠି ?

 

—ଚରୁଛି ।

 

—କ’ଣ ପାଇଁ ?

 

—ସେ କାମକୁ ପାରୁନାହିଁ । ସେଥିପାଇଁ ତା’କୁ ଖୁଆଇବ କିଏ ? ଏମିତି ମନକୁ ମନ ଚରେ ଆଉ ମୁନ୍ଦାଏ ପାଣି କୁଣ୍ଡା ଖାଏ ।

 

—ତା’କୁ ରଖିଛ କାହିଁକି ?

 

—ସେ, ବାବୁ, ଯିବ କୁଆଡ଼େ ? ହେଲେ କଂସେଇ ନବ ନ ହେଲେ ଯମ ନେବ । ତାହାର ପରମାୟୁ ଅଛି ଯେ ।

 

—ନା, ତା’କୁ ଖାଇବାକୁ ଦିଅ । କାମରେ ଲଗାଅ ।

 

ମୁହଁ ମୋଡ଼ି ବେହେରା ଚାଲିଗଲା ବେଳେ ନିଜକୁ କହିଥିଲା—ବୁଢ଼ାଙ୍କର ବୁଢ଼ା ହଡ଼ାଙ୍କ ପାଇଁ ବି ପଦେ ଆହା ପଦ ନାହିଁ ।

 

ଆଗ ସାମନାରେ ଗଛଲଟା ଉପରେ ଚଢ଼େଇ ବୋବାଉଛନ୍ତି । ପାଖ ଫୁଲ ଉପରେ ପ୍ରଜାପତି ଉଡ଼ିବୁଲୁଛି । ସେଠି ବୁଢ଼ା ନାହାନ୍ତି—ସମସ୍ତେ ଦମ୍ଭିଲା ।

 

—ଆରେ, ବେହେରା, ଆସି ଦେଖିଲ ? ...ଏଇ ଚଢ଼େଇ ପ୍ରଜାପତିଙ୍କ ଭିତରେ ହଡ଼ା ବୁଢ଼ା ନାହାନ୍ତି ।

 

—ନାହିଁ ଆଜ୍ଞା । ସେମାନେ ବୁଢ଼ା ହେବା ଆଗରୁ ମରିଯାଆନ୍ତି ଆଉ ତରିଯାଆନ୍ତି ।

 

—ଆଉ ଆମେ ?

 

—ହଜୁର, ଆମେ ଭୋଗୁ ।

 

—ଆଚ୍ଛା, ମୁଁ ଚାଲିଗଲେ ମତେ କ’ଣ ମନେ ପକାଇବୁ ?

 

ଜିଭ କାମୁଡ଼ି ବେହେରା କହିଲା—କ’ଣ ଗୁଡ଼ାଏ କହୁଛନ୍ତି ସାଆନ୍ତେ ? ଆପଣଙ୍କୁ ଘେରି ଯେଉଁ ଥାଟଟି ଚାଲିଛି ସିଏ ଆଉ ଚାଲିବ ନା ?

 

—ନ ଚାଲୁ । ଖରାପ କ’ଣ ହେବ ?

 

ଭିତରୁ ସ୍ତ୍ରୀ ଆସି ପହଞ୍ଚିଲେ ତାଙ୍କର କୋଡ଼ପୋଛା ପୁଅକୁ ଧରି । ସେ ବାବୁ—ବେହେରା ବଚନିକା ଶୁଣି ପକାଇଥିଲେ ।

 

ପୁଅ ଯାଇ ବାପା ପାଖରେ ବସିଗଲା ।

 

—ପଚାରିଲୁ ବାପାଙ୍କୁ ବାପା ଛଡ଼ା ତୋର ଆଉ କିଏ ଅଛି ?

 

—ବାପା, ବାପା, କହ, ମୋର ଆଉ କିଏ ଅଛି ?

 

—ଅଛନ୍ତି ଈଶ୍ୱର—ଅଛନ୍ତି ଠାକୁର ।

 

ପୁଅ ଚାହିଁଲା ମାଆକୁ ।

 

—ହଁରେ ପୁଅ, ଅଛନ୍ତି ସମସ୍ତେ । ଆ, ଭିତରକୁ ଆ । ବାପା ଦେଖିଛନ୍ତି ବିଧାତା ପୁରୁଷଙ୍କୁ ଆଉ ଆମେ ଦେଖୁଛୁ ତାଙ୍କୁ ।

 

—ବାପା, ତମେ ଠାକୁରଙ୍କୁ ଦେଖିଛ ?

 

—ନା, କେହି ତାଙ୍କୁ ଦେଖି ନାହିଁ ।

 

ଚଢ଼େଇ ଦୁଇଟା କଳି କଲା ପରି ଉଡ଼ିଗଲେ ଗଛ ଡାଳରୁ ପିଢ଼ା ଉପରକୁ ।

 

ଗଛ ଯାହା ପିଢ଼ା ସେଇଆ । ଆନନ୍ଦ ଯାହା ଦୁଃଖ ସେଇଆ । କଜିଆ ଯାହା ପ୍ରୀତି ସେଇଆ ।

 

ସୀତାକାନ୍ତ ବାବୁଙ୍କୁ ସତେ ଯେପରି ଶୁଭୁଥିଲା—ଈଶ୍ୱର ସମସ୍ତଙ୍କର ସତ । କିନ୍ତୁ ଆମେ ଆମ ପାଇଁ—ଈଶ୍ୱର ଆମର କିନ୍ତୁ ଆମ ପାଇଁ ନ ହେଇ ପାରନ୍ତି ।

 

ତଥାପି ମନରେ ସନ୍ଦେହ ଆସୁଥିଲା ।

Image

 

ସାହି-ପଡ଼ିଶା

 

ସିନେମା ସାମନାରେ ସୋଟି ଲମ୍ୱି ଯାଇଛି । ରାସ୍ତାକୁ ଦୁଇଭାଗ କରି କେନାଲ ଯାଇଛି-। ସେଥିପାଇଁ କେନାଲ ଉପରେ ପୋଲ ତିଆରି କରାହୋଇଛି ।

 

ଧୂଳି ଉଡ଼ାଇ ଉପରେ ମଟର ଛୁଟୁଥିବ । ଆଉ ତଳେ ସେମିତି କେନାଲର ପାଣିକୁ ହଲାଇ ହଲାଇ ବୋଝ ନେଇ ଡଙ୍ଗା ଚାଲିଥିବ ।

 

ଏଣେ ସିନେମା ପାଖରେ ଭିଡ଼ ହୋଇଥିବ ଲୋକଙ୍କର—କଣ୍ଠରେ ଉଦବେଗ ଆଉ ଆଗ୍ରହ । କି ଛବି ଆସିଛି ଆଜି ?

 

ଭାତ ପଛକେ ପଛେଇ ଯାଉ ମନର ସଉକ୍‌ କ’ଣ ପଛେଇ ଯାଇପାରିବ ? ସିନେମା ନ ଦେଖିଲେ ଭାତ କ’ଣ ରୁଚିବ କି ?

 

ରୁଚିବ ନାହିଁ ବୋଲି ସିନେମା ଘର ବାରମ୍ୱାର ବୁଝାଏ—ଗୀତ ବୋଲି, ଆଲୁଅ ଜାଳି, ବାହାର ବାରଣ୍ଡାରେ ଛବିର ନମୁନା ଦେଖାଇ । ସବୁବେଳେ ବୁଝାଇ ବୁଝାଇ କହେ–ମନ ହେଉଛି ରାଜା ଓ ଦେହ ହେଉଛି ପ୍ରଜା ।

 

ହେଲେ ବି ମଣିଷ ବଞ୍ଚିଛି ତାହାର ଦେହ ବଞ୍ଚିଛି ବୋଲି । ଦେହ ନ ଖାଇଲେ କ’ଣ ବେଶି ଦିନ ଟେକିବ ?

 

ନୁହେଁ—ନୁହେଁ । ସେଇଥି ପାଇଁ ସିନେମା ଘରକୁ ଲାଗି ହୋଟେଲ । ରାସ୍ତାର ଏ ପାଖରେ ଗୋଟାଏ । ପୁଣି ଠିକ୍‌ ତାହାରି ସାମନାରେ ଆଉ ଗୋଟିଏ ।

 

ପ୍ରଥମେ ଗୋଟିଏ ହୋଟେଲ ଥିଲା । ସେଠି ଗହକିର ଗହଳି ହେବାରୁ ତାହାର ସାମନାରେ ଆଉ ଗୋଟିଏ ହୋଟେଲ ମୁହଁ ଦେଖାଇଲା ।

 

ତେଣିକି ଚାଲିଲା ବଳ କଷା କଷି । ....ତାହାର ଯେମିତି ସାଇନବୋଡ଼ ହବ ଆମର ବି ସେମିତି । ଏକା ପରି ଆଲୁଅ, ଗୀତ, ଆଡ଼ା ଚଉଡ଼ା, ରନ୍ଧା ପରଶା—କେହି କାହାଠାରୁ ତଳକୁ ଖସିବେ ନାହିଁ । ଛୋଟ ଦିଶିଲେ କଥା ସଇଲା ।

 

ଦିହେଁ ସମାନ ।

 

ହେଲେ ବି ଭାଗ୍ୟକୁ ଅନୁସରଣ କରି ଗରାଖର ସଂଖ୍ୟା ଆଉ ବିକ୍ରିର ରୋଜଗାର କମ୍‌ ବେଶି ହୁଏ । କିନ୍ତୁ ଖୋଲିବାଠାରୁ ବନ୍ଦ ହେବା ଯାଏ ସବୁ ସମାନରେ ଚାଲେ ।

 

ଦିହେଁ ଟାକି ରହିଛନ୍ତି ଯେ ଜଣେ ଦବିଲେ ଆର ଜଣକ ଉଠି ବସିବ ।

 

ସେଥିପାଇଁ ମାଲିକ ଦୁହିଙ୍କର କଥା ଭାଷା ନାହିଁ । ଏମିତି ହୋଟେଲ ଚାଲିବା ପନ୍ଦର ବର୍ଷ ହେଲାଣି—କିନ୍ତୁ ମାଲିକ ଦିହେଁ କଥା ପଦେ ବି ହୋଇ ନାହାନ୍ତି । ରାସ୍ତାର ପଥର ଆଉ ପିଚୁ ତାଙ୍କ ଭିତରେ ବାଡ଼ ପରି ଠିଆ ହୋଇଛି—ନଈ ନାଳର ବନ୍ଧ ପରି ।

 

ସିନେମାକୁ ଆସିବା ଲୋକ ଜାଣି ଗଲେଣି । ଗରାଖ ଟାଣିବାକୁ ଦୁଇଟି ହୋଟେଲର କେମିତି ଟଣାଭିଡ଼ା । ସେଥିପାଇଁ ସିନେମାରୁ ଫେରିଲା ବେଳେ ଅବା ଗଲାବେଳେ ସେମାନେ କେବେ ଏ ପାଖକୁ ଆଉ ପୁଣି କେବେ ସେ ପାଖକୁ ଯାଇ ଦିହିଙ୍କୁ ସନ୍ତୋଷ ଦିଅନ୍ତି । ଗରାଖ ଯେମିତି ହୋଟେଲର ଈଶ୍ୱର—ହୋଟେଲ ମଧ୍ୟ ସେମିତି ଗରାଖର ଠାକୁର ମନ୍ଦିର ।

 

ଗରାଖଙ୍କ ଭିତରେ ଗୋଟିଏ କଥା ପଡ଼େ—ଜାଣିଛ ନା ? ଏଇ ଦୁଇ ହୋଟେଲ ସାମନା ସାମନି ଆଉ ମାଲିକ ଦିହେଁ ଏକା ଜାଗାର ଲୋକ । ହେଲେ ବି ସେମାନେ ବରଷକେ ଥରେ ମଧ୍ୟ ଆପଣା ଆପଣା ଭିତରେ କଥା କହନ୍ତି ନାହିଁ ।

 

—ଏଁ, –ଏମିତି ? ଏକାଠି ବି କ’ଣ ଚାଲବୁଲ କରନ୍ତି ନାହିଁ—ଏଇ ରାସ୍ତାରେ ?

 

—ନା, ନା । ଖାଲି ବର୍ଷକରେ ଥରେ ସେମାନେ କାଳୀ ମେଢ଼ ବିସର୍ଜନର ପଟୁଆର ଗଲାବେଳେ ଯିଏ ଯାହା ହୋଟେଲରୁ ବାହାରି ମେଢ଼ ସାଙ୍ଗରେ ଯାଆନ୍ତି । ...ସେତିକି...

 

—ବଡ଼ ଆଚମ୍ୱିତ କଥା । କେମିତି ହୁଏ କେଜାଣି ?

 

—ଆଚମ୍ୱିତ କଥା ବୋଲି ତାଙ୍କର ନାଁ ଡାକ ହୋଇଛି । ଆମେ ଜାଣିଛୁ । ସେଥିପାଇଁ ଏଥର ସେଇ ହୋଟେଲକୁ ଆଉ ଆରଥର ଏଇ ହୋଟେଲକୁ ସିନା ଆସୁଛୁ ।

 

ଆଉ ଜଣେ କହେ—ହଁ, ସେମିତି ଥରେ ଶୁଣାଯାଇଥିଲା । ଗୋଟିଏ ହୋଟେଲର ଗୋଟିଏ କମରାରେ ଏଗାର ବର୍ଷ ରହିଥିବା ଦୁଇ ଜଣଙ୍କ ବିଷୟରେ ।

 

—କେମିତି ?

 

—ଜଣେ ଆଙ୍ଗ୍ଳୋ—ଇଣ୍ଡିଆନ୍‌ । ସେ ମନିହାରି ଦୋକାନର ଦଲାଲ । ଆଉ ଜଣେ ବ୍ରୁକ୍‌ ବଣ୍ଡ ଚା’ର ଏଜେଣ୍ଟ ।

 

—କଥା ହୁଅନ୍ତି ନାହିଁ କେମିତି ?

 

ସକାଳ ସାଢ଼େ ଚାରିଟାରେ ସାହାବ ଉଠି ତାଙ୍କର କାମ ସାରି ସାତଟା ଆଗରୁ ବାହାରକୁ ଯାଇ ରାତି ନଅଟାରେ ଫେରନ୍ତି ଶୋଇବାକୁ ଚା’ କମ୍ପାନୀ ଲୋକ ମାଲଗୋଦାମ କାମ ସାରି ରାତି ସାଢ଼େ ଦଶଟାରେ ଫେରି ରାତି ଅଧଯାଏ ହିସାବ କରନ୍ତି । ଉଠନ୍ତି ସକାଳ ନଅଟାରେ-। ଆଉ ଦେଖା ହବ କେମିତି ?

 

—ରବିବାର ଦିନ ?

 

—ସାହାବ ଯାଏ ବାହାରକୁ । ଆସନ୍ତି ସନ୍ଧ୍ୟା ପରେ । ଆର ଲୋକଟି ଯାଏ ସିନେମା ଦେଖି ଆଉ ତାସ ଖେଳିବାକୁ । ଚାରିଟାରୁ ରାତି ବାରଟା ଯାଏ ମଉଜ କରେ । ସେ ଦିନ ବି ଦେଖା ହୁଏ ନାହିଁ ।

 

—ଅକସ୍ମାତ୍‌ ସମାନ ଛୁଟି ପଡ଼ିଲେ ?

 

—ସାହାବ ଚୁପ୍‌ ରହେ । କିଛି କହେ ନାହିଁ । ଆର ଜଣକ ବି ନିଜର ଗୁମାନରେ ଷୋଳଅଣା ।

 

ଏକା ବଖରାରେ ରହି ଏଗାର ବର୍ଷରେ କଥା କୁହାକୁହି ନ ହେବା ସମ୍ଭବ । ଏକା ରାସ୍ତାରେ ରହି ପନ୍ଦର ବର୍ଷରେ ସାମନା ସାମନି ବେପାର କରି କଥା କୁହାକୁହି ନ ହେବା ସମ୍ଭବ ।

 

—ସେମିତି ଆମେ ଆମ ଅଫିସରେ କୋଟ କଚେରୀରେ ପ୍ରତିଦିନ ପୂରା କଟାଇ ବାରମ୍ୱାର ଭେଟା-ଭେଟି ହୋଇ କଥା ଭାଷା ନ ହେବା ମଧ୍ୟ ସମ୍ଭବ ।

 

ଗରାଖଙ୍କର ଏହି କୌତୂହଳଭରା କଥା ଶୁଣି ହୋଟେଲ ମାଲିକ ପଚାରିଥିଲା—କାହିଁକି ଏମିତି ହୁଏ ?

 

—କେଜାଣି ? ହୁଏ ତ ସହରରେ ହୁଏ । ବୁଦ୍ଧିଆ ମଣିଷଙ୍କର ମେଳରେ ହୁଏ । ସମର୍ଥ ଲୋକଙ୍କ ଭିତରେ ହୁଏ । ଜ୍ଞାନୀ ଲୋକଙ୍କର ମେଳରେ ହୁଏ ।

 

—ହଁ, ବାବୁ, ନ ହେବ କାହିଁକି ? ଆମେ ଏଇଠି ରହି ଘର ଦୁଆର କରିଛୁ ବୋଲି କ’ଣ ଆମର ପଡ଼ା—ପଡ଼ୋଶୀଙ୍କ ସାଙ୍ଗରେ କଥା ଭାଷା ହେବାକୁ ବାଧ୍ୟ ? ...ଇଏ ବି ସତରେ କ’ଣ ଦରକାର ।

 

ହୋଟେଲର ଗୀତମାନେ ସେମିତି ପ୍ରତିଦ୍ୱନ୍ଦିତା କରୁଥିଲେ ।

Image

 

ବୁଢ଼ା ଜୀବନର ମାପ

 

ନାଲି-ଚହଟା ପଶ୍ଚିମ ଆକାଶର ରଙ୍ଗ ବିଭବକୁ ଉପହାସ କରି ବଙ୍କା ଜହ୍ନ ରୂପେଲି ଆକାର ଦେଖାଇ ଉଇଁ ଆସିଥିଲା । ଇଏ ତ ମୁନିବ—ନୌକରର ଦେଶ—ଚାନ୍ଦଟି ନିଜ ସାଙ୍ଗରେ ଆଣିଥିଲା ଯୋଡ଼ିଏ ତାରା ।

 

ସହରୀ ମଶା ଆଉ ବାହୁଡ଼ି ଯିବା ଆସିବା ଆରମ୍ଭ କରି ଦେଇଥିଲେ । ଛୋଟ ବଡ଼ ମନ୍ଦିରରେ ଦୀପ ଜଳୁଥିଲା, ଆଉ ଘଣ୍ଟ ମଧ୍ୟ ବାଜୁଥିଲା—ସଞ୍ଜ ଆସିଗଲାଣି ।

 

ଶୀଘ୍ର ଶୀଘ୍ର ଏହି ସବୁ ଧରାବନ୍ଧା କାମ ସାରିଲେ ମଣିଷ ନିଜର ପାଇଟିରେ ବାହାରିବ । ପାଖରେ ପହୁଞ୍ଚିଥିବା କାମଠାରୁ ଦୂରରେ ରହିଥିବା କାମ ଭାରି ମନକୁ ଟାଣେ ।

 

ଇଏ ତ ସଞ୍ଜ-ସକାଳର କଥା ନୁହେଁ—ଇଏ ବି ଆମର ତମର ସମସ୍ତଙ୍କର ଜୀବନର କଥା । ବୁଢ଼ା ତାହାର ଯେମିତି ପିଲାବେଳ କଥା ମନେ ପକାଇ ମସ୍ତ୍‌ ସେମିତି ପିଲା ମଧ୍ୟ ଲାଗିଯାଇଛି ବଡ଼ ହେବା ପାଇଁ ।

 

—ଅଜା, ଆଜି କ’ଣ ପଢ଼ିବି ? ...କି ବହି ?

 

—ହେଇ, ଆଜି ପଢ଼ାଇବାକୁ ମତେ ବେଳ ହେବ ନାହିଁ । ମୁଁ ଯିବି ତୋର ଦାଦି ଘରକୁ-। ସେଠି କୁଆଡ଼େ ଦେହ ଭଲ ନାହିଁ ।

 

—ମୁଁ ତାହାହେଲେ ଯିବି ?

 

—ଏଁ ? ଏଠି ଆଉ ପଢ଼ିବ କିଏ ? ସେଠି ବି ତାଙ୍କର ପିଲା ପଢ଼ୁଥିବେ । ...ତୋ’ ସାଙ୍ଗରେ ଖେଳିବ କିଏ ?

 

—ତାହାହେଲେ, ଅଜା, ତମେ ମୋଟେ ଯାଇପାରିବ ନାହିଁ । ସେମାନେ ଦେହ ଖରାପ ବୋଲି ବିଛଣାରେ ଶୋଇଥିବେ । ତମେ ଆଉ କଥା କହିବ କାହା ସାଙ୍ଗରେ ?

 

ଅଜା ଲୁଗା ପିନ୍ଧିଲେ—ଯିବା ପାଇଁ । ନାତି କାନ୍ଦିବା ଆରମ୍ଭ କରିଦେଲା । ...ଆଈ ଆସି ତଦାରଖ କରି କହିଲେ—ଗଲେ ଦୁଇ ଜଣ ଯାଅ । ନ ହେଲେ କେହି ନ ଯାଅ ।

 

—କାହିଁକି ?

 

—ପିଲାଟା ପରା କାନ୍ଦୁଛି !

 

—ମୁଁ କ’ଣ କରିବି ? ତାହାର ମାଆ କି ଆଈ କି ତାହାର ଆଉ କିଏ କ’ଣ ନାହାନ୍ତି ?

 

—ଅଛନ୍ତି ଯେ, ଯେତେ ଥିଲେ ବି ତମେ ପିଲାଟାକୁ ନିଜ ପାଖକୁ ସବୁବେଳେ ଆଣି ତା’କୁ କାହିଁକି ମୁହଁ ବଢ଼ାଇ ଦେଉଥିଲ ?

 

—ଅଭ୍ୟାସ ହେଇଯାଇଛି, ନା ? ଅଜା କ’ଣ ଚାକିରି କରିଛି ନାତି ପାଖରେ ?

 

—କେଜାଣି ? ନାତିକୁ ପଚାରିଲେ ସେ କହିବ ।

 

ନାତି କାନ୍ଦ ବନ୍ଦ କରି କହିଲା—ହଁ,—ହଁ ତ । ମୋ କଥା ଅଜା ନିଶ୍ଚେ ମାନିବ ।

 

ଅଜା ଉଠିଲେ । ନାତି ବି ବାହାରିଲା ପଛେ ପଛେ । ଅଜା ବିରକ୍ତ ହେଲେ । ନାତି କାନ୍ଦିଲା । ଆଈ ପାଟି କରିବା ଆରମ୍ଭ କଲେ । ସାମନା ଦୁଆର ପଡ଼ିଶା ଆସିଗଲେ କୌତୁକ ଦେଖିବାକୁ ।

 

ଅଜା ଚାଲିଲେ—କାନ୍ଦଣା ବନ୍ଦ କରିବାକୁ ନାତିର ମାଆ ପୁଅକୁ ଗୋଟାଏ ମାଡ଼ ଚଢ଼ାଇ ଘର ଭିତରକୁ ଟାଣିନେଲା ।

 

ସାଇକଲରେ ଛଅ ଆଠ ଚକ ଗଡ଼ିଲା ପରେ ତାଙ୍କୁ ମନେ ହେଲା ସତେ କି ଜୀବନର ମାପ ଭୁଲ ହେଇଯାଇଛି । —ସଂସାରରୁ ବିଦାୟ ନେଲାବେଳେ ସେ ଛନ୍ଦରି ହୋଇ ପଡ଼ିଛନ୍ତି । ଦଳୁଆ ପୋଖରୀରେ ଗୋଡ଼ ଛନ୍ଦରି ହୋଇ ଅକାବୁ କଲା ପରି ନିଜ ତିଆରି ସଂସାରର ଜାଲ ତାଙ୍କୁ ଏବେ ଛନ୍ଦି ଦେଇଛି ।

 

—ନା, ନା । ଏଇ ବନ୍ଧନରୁ ଛିଣ୍ଡିବା ଦରକାର । ସହଦେବ ଅଜା ତାହାର ଘରର ଚାକର ନୁହେଁ ଯା ନାତିକୁ କାଖେଇ, କାନ୍ଧେଇ ଖେଳାଉଥିବ । ଭୁଲ୍‌ ହେଇ ଯାଇଛି ।

 

ମନର ରାଗ ଆସି ଛିଣ୍ଡି ଥିଲା ସହଦେବ ବାବୁଙ୍କର ଗୋଡ଼ର ପାଦ ପାଖରେ—ତାଙ୍କରି ସାଇକେଲଟି ଶୀଘ୍ର ଶୀଘ୍ର ଗଡ଼ୁଥିଲା । ସେ ସଂସାରର ଜାଲଠାରୁ ଦୂରକୁ ଯିବା ଦରକାର ।

 

ଆଗରେ ସତ୍ୟପ୍ରକାଶର ଘର—ସତ୍ୟକୁ କେତେ ଦିନ ହେଲାଣି ଜର । ...ସେ ବେଶ୍‌ ଭଲରେ ଅଛି । ସହଦେବ ପରି ସେ ଚାକିରି କରୁ ନାହିଁ ।

 

—କ’ଣ ସତ୍ୟପ୍ରକାଶ ? ଦେହ କେମିତି ?

 

—ସେମିତି ।

 

—ଚିକିତ୍ସା ?

 

—ଚିକତ୍ସା ବନ୍ଦ କରିଦେଲି । ଦେହକୁ ଭଲ କଲେ ଲାଭ କ’ଣ ?

 

—ଏଁ ? ପାଗଳାମି ନା କ’ଣ ? ଦେହକୁ ସଜାଡ଼ି ଭଲ କରି ରଖିବା ଦରକାର । ...ମତେ ସାତ ଆଠ ରକମର ବେମାରି ଲଗାତର ଧରି ପକାଇଲେ । ମୁଁ ଏବେ ପୂରା ଭଲ ।

 

—ଖରାପ କ’ଣ ? ଦି ଝିଅ ଡାକ୍ତର, ଆଉ ଦି’ ଜୁଆଇଁ ବି ଡାକ୍ତର ? ତାଙ୍କୁ ରୋଗୀ ସେତେ ମିଳୁ ନଥିଲା ବେଳେ ଶଶୁରଙ୍କୁ ରୋଗୀ ହିସାବରେ ପାଇ ଚିକିତ୍ସା କରିବା ଭାରି ମଜ୍ଜାଦାର-

 

—ଛାଡ଼ । ଏ ସବୁ ବାଜେ କଥା । ଦେହ କେମିତି ?

 

—ଆଚ୍ଛା କଥା ? ଆସିଲ ତ ଆସିଲ—ଭଲ ହେଲା । ଦେହ କଥା ବୁଝିଲେ କ’ଣ ଚିକିତ୍ସା କରିବ କି ? ....ଆମେ ଚଞ୍ଚଳ ଗଲେ ଲାଭ ସିନା—କ୍ଷତି ନାହିଁ ।

 

—ମୁଁ ବି !

 

—ଗୋଟେ ନୁହେଁ । ତମେ ପରା ଏବେ ପେନସନ୍‌ ପାଉଛ ! ତମର ବାପ ଅଜା ସରକାର ଘରେ କିଛି ପୋତିଛନ୍ତି । ତମେ ମାସୁଆରି ତା’କୁ ବାନ୍ଧୁଛ । ମରିଗଲେ ଯେ ତମର କ୍ଷତି ।

 

—ତମେ ଚାକିରି କଲ ନାହିଁ ? କିଏ କ’ଣ ମନା କରୁଥିଲା ?

 

—ଆରେ, ଇଏ ତ ପୂରା ଓଲମା କଥା । ଚାକର ହେବାର ଗୌରବ କ’ଣ ସମସ୍ତେ ପାଆନ୍ତି ନା ଚାକର ବୋଲି ନିଜକୁ ଜଣେ ବଢ଼ିଆ ମଣିଷ ବୋଲି ସମସ୍ତେ ଭାବନ୍ତି ?

 

—ଦୁନିଆଟା ଯାକ ସମସ୍ତେ କାହାରି ନା କାହାରି ଚାକର । ....ଏକଥା ପିଲା ଦିନୁ ଆଜିଯାଏ ସହଦେବ ଦେଖି ଦେଖି ଆସୁଛି । ...ସୂର୍ଯ୍ୟଚନ୍ଦ୍ର ବି ଚାକର—ମାଲିକ ନୁହନ୍ତି ।

 

ସତ୍ୟପ୍ରକାଶ ଚାହିଁଲା ସହଦେବକୁ—ଠାକୁରଙ୍କର ମାହାତ୍ମ୍ୟ ଶୁଣିଥିଲା । ଏବେ ସେ ଶୁଣୁଛି ଚାକରର ମାହାତ୍ମ୍ୟ ।

 

ହସି ସତ୍ୟପ୍ରକାଶ ପଚାରିଲା—କେମିତି ସମୟ କଟୁଛି ?

 

—ଓ, ସମୟ ? କେତେବେଳେ ଆସୁଛି କି ଯାଉଛି ଘଡ଼ି ଏକା ଜାଣେ । ନାତିଟା ଗୋଡ଼େ ଗୋଡ଼େ ମତେ ଜଗିଛି । ସେ ଶୋଇଲେ ମୁଁ ଘଡ଼ି ଦେଖେ । ନଇଲେ ନାତି ହେଉଛି ମୋର ଘଡ଼ି । ....ଏବେ ଆସିଲା ବେଳେ ତଳେ ଗଡ଼ୁଥିଲା ମୋ’ ପିଛା ଧରିବ ବୋଲି ।

 

—ଆହା, ଆଣିଲ ନାହିଁ ?

 

—ଆଣିଥିଲେ ହେଇଥାନ୍ତା । ମନଟା ଭାରି ଖରାପ ହେଉଛି । ପଢ଼ିବ ତ ନାହିଁ । ଖାଲି କାନ୍ଦୁଥିବ—ସହଦେବ ଅଜା ଲେଉଟି ଯିବା ଯାଏ ।

 

—ବଡ଼ ଭାଗ୍ୟବାନ୍‌ ତମେ । ତୁମକୁ ଖୋଜିବା ପାଇଁ ଆଉ ଝୁରିବା ପାଇଁ ଲୋକ ଅଛନ୍ତି-। ଏଇ ସଂସାରରେ ସୌଭାଗ୍ୟ ଏହି ମାପରେ ତଉଲା ଯାଏ ।

 

ସହଦେବ ବାବୁଙ୍କର ମନରେ କଥାଟା ଧରିଲା...ସତେ ତା’ ସବୁ ଛିଣ୍ଡିଗଲା ବେଳେ ଯେଉଁମାନେ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତି, ସେମାନେ ପ୍ରକୃତରେ ପ୍ରିୟଜନ ।

 

ସତ୍ୟପ୍ରକାଶକୁ ଚାହିଁ ହସି କହିଲେ—ଭଲ କଥାଟିଏ କହିଲ । ମୁଁ ଆସିଲା ବେଳେ ଭାବୁଥିଲି ଯେ, ଘରକୁ ଗୋଇଠା ମାରି ସ୍ୱାଧୀନ ହେବି ।

 

—ଛି, ଛି । ସେମିତି କ’ଣ ଲୋକ କରେ ? ବାନ୍ଧି ହେବାର ସ୍ୱାଧୀନତା ଥାଉ କି ନ ଥା’ଉ ବାନ୍ଧି ହେବା ପାଇଁ ଆଗ୍ରହ ଓ ଉତ୍ସାହ ରଖିବା ଭାରି ଦରକାର ।

 

—ହଁ—ହଁ । ଦରକାର । ବଞ୍ଚିଥିବା ଯାଏ ବଞ୍ଚିବାର ଆଗ୍ରହ ଆଉ ଉତ୍ସାହ ରଖିବା ଦରକାର । ଯିଏ ଯେତେ ଏତିକି ରଖିପାରେ ସେ ସେତେ ଭଲରେ ବଞ୍ଚେ ।

 

—ସହଦେବ ବାବୁ ଠିକ୍‌ କହିଲେ । ସେ ବଞ୍ଚିଛନ୍ତି ।...ତାଙ୍କର ମଧ୍ୟ ବଞ୍ଚି ରହିବା ଦରକାର

 

—ଥଟ୍ଟା କରୁଛ ନା ସତ୍ୟପ୍ରକାଶ ?

 

ଏଁ, ଥଟ୍ଟା ? —ନା ? ନୁହେଁ ତ ।

 

ଦୁହେଁ ଦୁହିଁଙ୍କୁ ଚାହିଁଥିଲେ ! —ବଞ୍ଚିବାର ମୋହ ଓ ସେହି ମୋହର ମାୟା କ’ଣ ସତରେ ବଞ୍ଚିବାର ଖୋରାକ ?

Image

 

ହାଟ-ବାହୁଡ଼ା

 

ଯିବା ଆସିବା ରାସ୍ତାରେ ଠିଆ ହୋଇଥିଲେ ଯେମିତି ବାଟୋଇ ଆସି ବନ୍ଧୁତା ଓ ଆତ୍ମୀୟତା କରେ, ସେମିତି ରାସ୍ତାକୁ ଦୁଆର ଖୋଲି ବସି ରହିଲେ ହଠାତ୍‌ ଅଭ୍ୟାଗତ ଯୁଟିଯାନ୍ତି ।

 

ଭିକାରି ଆସନ୍ତି । ହାତରେ ତମ୍ୱା ପାତ୍ର ଫୁଲ ଧରି ପୂଜକ ଆସନ୍ତି । ସମୟ ବୁଝିବାକୁ ଅଚିହ୍ନା ଲୋକ ଆସନ୍ତି । ସେମିତି ସଙ୍ଖୋଳିବାକୁ ଚିହ୍ନା ଲୋକେ ବି ଆସିଯାନ୍ତି ।

 

ବିଜୟରାଘବ ବାବୁ ବସି ଚା’ ଖାଉଥିଲେ ।

 

ହଠାତ୍‌ ଚମକାଇ ଦେଇ ପ୍ରଭାକର ବାବୁ ପହଞ୍ଚିଗଲେ । ରାଘବବାବୁଙ୍କ ମୁହଁରେ ନିରୁତ୍ସାହ ଭାବ ଦେଖା ଦେଲା—ତାଙ୍କର କାମରେ ବିଘ୍ନ ହୋଇଛି ।

 

ହସି ପ୍ରଭାକର କହିଲେ—ଆହା, ଟିକିଏ ଡେରି ହୋଇଗଲା । ଆପଣ ଚା’ ଖାଇ ସାରିଲେଣି ।

 

—ଖାଇବେ ?

 

—ସେଇଥି ପାଇଁ ଆସିଥିଲି । ଏବେ କିଛି ବନ୍ଧୁ ପହଞ୍ଚିଥିଲେ । ସେମାନେ ବିଦାୟ ହୋଇଗଲା ପରେ ଚା’ ଖାଇବାକୁ ଇଚ୍ଛା ହେଲା । ....ଦୋକାନକୁ ଯିବାକୁ ମନ ଅଡ଼ିଲା । ଯାଉ ଯାଉ ଦେଖିଲି ଏଠି ଚା’ ଖାଉଛନ୍ତି ।

 

—ଚା’ କରି ଆଣେ ।

 

—ନିଜେ କରିବେ ? ...ନାହିଁ, ଥାଉ ।

 

—ଅସୁବିଧା ନାହିଁ । ମୁଁ ଏବେ ଚା’ କରିବା କାମ ନିଜ ହାତରେ ରଖିଛି । ପରକୁ ଖୋସାମତ କରିବା ବଦଳରେ ନିଜେ ଯାଇ କପେ ଅଧେ ଚା’ କରି ଆଣିବା ସୁବିଧା ।

 

—ଅଳ୍ପ ଆଣିବେ । ଚା’ ଖାଇବାକୁ ଇଚ୍ଛା ହେଲା ।

 

—ହଉ । କ’ଣ ଟିକିଏ ପଢ଼ୁଥାନ୍ତୁ ।

 

ଚା’ କପ୍‌କୁ ହାତରେ ଧରି ପ୍ରଭାକର କହିଲେ—ଭଲ ଲାଗିଲା । ....ବଡ଼ ଅଶାନ୍ତି ହେଲାଣି । ଈଶ୍ୱର ହେଲେ ସହଜ ସଳଖରେ ନେଇଯାନ୍ତେ....

 

—ହଁ, ସେ ତ ମଣିଷର ଖିଜମଦ୍‌ କରିବାକୁ ଚାହିଁ ବସିଛନ୍ତି ! କେଉଁ ସୃଷ୍ଟି ଆରମ୍ଭରୁ ମଣିଷ ଏମିତି ତାହାର ନାନା ପ୍ରକାରର ଇଚ୍ଛା ପୂରଣ କରିବାକୁ ଈଶ୍ୱରଙ୍କୁ ତାଗଦା ପଠାଉଛି ।

 

ହସି ପ୍ରଭାକର କହିଲେ—ମରିବାର ସୁବିଧା କ’ଣ ଠାକୁରଙ୍କୁ ତାଗଦା ?

 

—ଆଉ କ’ଣ ତାହାହେଲେ ? ଯାହା ଘଟୁ ବୋଲି ଆମ ମନରେ ଉତ୍ସାହର ଜୁଆର ଉଠେ ସେ ସବୁ ତ ଈଶ୍ୱରଙ୍କୁ ତାଗଦା ।

 

—ସତ କହୁଛି ବିଜୟରାଘବ ବାବୁ । ଭଲ ଲାଗୁନାହିଁ । ସମୟ ଆଉ ସମାଜ ଏତେ ବଦଳିଗଲାଣି ଯେ, ମନଟା ସମ୍ଭାଳି ପାରୁ ନାହିଁ ।

 

—କେଉଁଦିନ ଏଇ କଥା ନ ଥିଲା ? ସବୁ ଦିନ ଏମିତି ସମାଜ ଆଉ ସଂସାର ତାହାର ବଦଳୁଥିଲା । ଲୋକ ସନ୍ତାପି ହୋଇ ମରିବାକୁ ବୋବାଳି ଛାଡ଼ୁଥିଲେ । ଏବେ ସମୟଟା ଭଲ ଜଣାପଡ଼ୁଛି ।

 

—କେମିତି ?

 

—ପ୍ରତ୍ୟେକ ବିଷୟରେ ସଫଳତା ଆଉ ସାର୍ଥକତା ଦେଖା ଦେଉଛି । ମୂର୍ଖ ବିଦ୍ୱାନ ହେଉଛନ୍ତି । ମାନ ସମ୍ମାନ ପାଉଛନ୍ତି । ଗରିବ ଧନୀ ହେଉଛି । ସମାଜ କି ସମୟ କ’ଣ ତାଙ୍କର ବିଗାଡ଼ୁଛି ?

 

—ସେମାନେ ସମୟର ଗତି ସାଙ୍ଗରେ ତାଳ ଦେଇ ଚାଲି ପାରୁଛନ୍ତି ।

 

ଠିକ୍‌ ତ । ସେମାନେ ସମର୍ଥ ଲୋକ । ପାଣି ପବନର ଅନୁକୂଳରେ ଯାଇ ପାରୁଛନ୍ତି । ବୋକା ପରି ପାଣି ପବନର ପ୍ରତିକୂଳରେ ଯାଇ ପଣ୍ଡ ପରିଶ୍ରମ କରୁନାହାନ୍ତି ।

 

—କରନ୍ତୁ । ପ୍ରଭାକର ପରି ଲୋକ ପାରିବେ ନାହିଁ ।

 

—ପାରିବେ । କିନ୍ତୁ ସେମାନେ ତାଙ୍କର ଅତୀତକୁ ଭୁଲି ପାରୁ ନାହାନ୍ତି । ଦିନ ଦି’ ପହରରେ ସକାଳର ଲାଲ ସୂର୍ଯ୍ୟକୁ ଖୋଜୁଛନ୍ତି । ସକାଳର ହେମାଳ ପବନରେ ଦେହରେ ଲୁଗା ଦେଇଥିଲେ ବୋଲି ଦିନ ଦି’ ପହରରେ ଲୁଗାରେ ଢାଙ୍କି ହେବାକୁ ଚାହୁଁଛନ୍ତି ।

 

ପ୍ରଭାକର ବସି ଭାବିଲା ।

 

—ଏଥିରେ ବାବୁ ଭାବିବାର କଥା ନାହିଁ । ଏମିତି ସଂସାର ଆଗେଇଯାଏ । ପରିବର୍ତ୍ତନ ସବୁ ଦିନେ ଆସିଥିଲା । ପୁରୁଣା କଥା ଘସରା ହେଇ ଯାଇଥିଲା । ପୁରୁଣା କଥାକୁ ଜାବୁଡ଼ି ଧରି ଲୋକ ନିଜକୁ ପୁରୁଖା ଲୋକ ବୋଲି କହୁଥିଲା । ସେ ଆପଣା ମନକୁ ଅଯୋଗ୍ୟ ହୋଇ ଯାଇଛି ।

 

—ବୁଝିଲେ ବି କରି ହେଉନାହିଁ ।

 

—ହୁଏ ନାହିଁ । ଅଭ୍ୟାସକୁ ଛାଡ଼ି ହୁଏ ନାହିଁ । ଅଭ୍ୟାସକୁ ଛାଡ଼ି ନ ପାରିଲେ ମଣିଷ ଆଡ଼େଇ ହେଇଯିବ ନଇଲେ ମରିବ ।

 

—ମନ ତ ସେଇଆ ଡାକୁଛି ।

 

—ନୂଆକୁ ସମ୍ଭାଳି ନ ପାରିବା ମଣିଷର ମନର ମରଣ ।

 

ପ୍ରଭାକର ହସିଥିଲା ।

Image

 

ଗଳ୍ପ ଲେଖକଙ୍କ ପରିଚିତି

 

ଭଞ୍ଜନଗରଠାରୁ ଦୁଇମାଇଲ ଦୂର ନୂଆଗାଁରେ ଲେଖକଙ୍କର ଘର । ବାପା ଶ୍ରୀବତ୍ସ ପଟ୍ଟନାୟକ ଓ ମାଆ ସୁନ୍ଦରମଣି ଦେବୀ । କିନ୍ତୁ କଲିକତାରେ ଜନ୍ମ ହୋଇ ପଚାଶ ବର୍ଷ ହେଲାଣି କଟକ ସହରର ଅଧିବାସୀ । ଗଞ୍ଜାମ ଜିଲ୍ଲା ସହିତ ସମ୍ପର୍କ ତୁଟି ଯାଇଛି ।

 

ପ୍ରଥମ ଗଳ୍ପ ଊଣେଇଶ ଶହ ଛତିଶି ମସିହାରେ ଲେଖା ଓ ପୁସ୍ତକାକାରରେ ‘‘ତୁଠ ପଥର’’ରେ ପ୍ରକାଶିତ ।

 

ସହସ୍ରାଧିକ କ୍ଷୁଦ୍ରଗଳ୍ପର ଲେଖକ ହିସାବରେ ଅଦ୍ୟାବଧି ଅଧିକାଂଶ ଗଳ୍ପ ପୁସ୍ତକ ଆକାରରେ ଅପ୍ରକାଶିତ । ପ୍ରକାଶିତ ଗଳ୍ପ ପୁସ୍ତକମାନ ଏବେ ବିଲୁପ୍ତ ।

 

ପ୍ରକାଶିତ ଗଳ୍ପ ପୁସ୍ତକମାନଙ୍କ ମଧ୍ୟରୁ ୧୯୪୯-୫୧ ରେ ‘ତୁଠ ପଥର’ ଉତ୍କଳ ମାଟ୍ରିକୁଲେସନ (୧୯୫୧-୫୩) ପାଇଁ ଓ ‘ପଥୁକି’ ମାଟ୍ରିକୁଲେସନରେ (୧୯୫୩-୫୫) ପରୀକ୍ଷା ପାଇଁ ପାଠ୍ୟ ପୁସ୍ତକ ହୋଇଛି । ଶାଳଗ୍ରାମ ଓ ନିଶାଣ ଖୁଣ୍ଟ ଦୁଇଟି ଗଳ୍ପ ପୁସ୍ତକ ଉତ୍କଳ ବିଶ୍ୱବିଦ୍ୟାଳୟର ଆଇ.ଏ. ପାଠ୍ୟରେ ସାତ ବର୍ଷ ଚଳିଛି ।

 

ଅନ୍ୟାନ୍ୟ ଚାରିଖଣ୍ଡ ପ୍ରକାଶିତ ଗଳ୍ପ ପୁସ୍ତକ ହେଲା ହୃଦୟର ବନ୍ଧନ, ପଥର ଢିମା, ହାଟ ସଉଦା ଓ କଳ୍ପନାର ଫୁଲ ।

 

ଏହିପରି ଆଠଖଣ୍ଡ ପ୍ରକାଶିତ ଗଳ୍ପ ପୁସ୍ତକ ପରେ ହାଟ-ବାହୁଡ଼ା ଗଳ୍ପ ପୁସ୍ତକଟି ନବମ ପ୍ରକାଶିତ ଗଳ୍ପ ପୁସ୍ତକ ।

 

ପ୍ରତ୍ୟେକ ଗଳ୍ପ ବ୍ୟକ୍ତିଗତ ଅନୁଭବକୁ ଆଧାର କରି ଲେଖା ହୋଇଛି ।

 

ଏହାଛଡ଼ା ଏହି ଗାଳ୍ପିକଙ୍କର ସିନ୍ଦୂରଗାର (୧୯୩୬) ଉପନ୍ୟାସଠାରୁ ଆରମ୍ଭ କରି ପ୍ରୀତିର କଜଳ (୧୯୭୪) ଉପନ୍ୟାସମାନ ରହିଛି । ଏହାର ସଂଖ୍ୟା ଓ ପ୍ରକାର ଗଳ୍ପ ପରି ।

 

ସମାଲୋଚନା ବହି ଓଡ଼ିଆ ସାହିତ୍ୟର ଆଗପଛ ଓ ଲେଖକପାଠକ ଦୁଇଖଣ୍ଡ ଛଡ଼ା ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି, ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କ ସହଯୋଗରେ ପ୍ରେମର ନିୟତି ବହି ମଧ୍ୟ ଅଛି ।

 

ଲେଖକଙ୍କର ଜନ୍ମ ସତର ମସିହା (୮-୪-୧୯୧୭) ।

 

ଠିକଣା

ରାଜକିଶୋର ପଟ୍ଟନାୟକ ।

ରାଜକିଶୋର ପଟ୍ଟନାୟକ

୩୧ । ୧୨ । ୭୪

ଆଡ଼ଭୋକେଟ୍‌

 

ପୁରୀଘାଟ ରୋଡ଼୍‍

 

ପୋଷ୍ଟ-କଟକ (୯)

 

Image